Latest Odisha News

BREAKING NEWS

ଲୋକପ୍ରତିନିଧିଙ୍କୁ ମିଳୁନି ସୁରକ୍ଷା କିନ୍ତୁ ସଚିବଙ୍କ ହାଇ ସିକ୍ୟୁରିଟି ନେଇ ସରକାରଙ୍କ ଅଧିକ ଚିନ୍ତା: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ସଚିବ ଝଡ଼। ଫାଇବ-ଟି ସଚିବଙ୍କୁ ନେଇ ଚାଲିଛି ବୟାନବାଜି। ସୋସିଆଲ ମିଡିଆ ଏକ୍ସରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ପରସ୍ପରଙ୍କ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ। ଏହାରି ଭିତରେ ବିଜେପିର ପୂର୍ବତନ ସଭାପତି ତଥା ଜାତୀୟ କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ସଦସ୍ୟ ସମୀର ମହାନ୍ତି ଟ୍ୱିଟର ଜରିଆରେ ବିଜେଡି ଉପରେ ବର୍ଷିଛନ୍ତି।

ସେ କହିଛନ୍ତି, ଓଡ଼ିଶାରେ କିଛି ଦିନ ହେବ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଲୋକପ୍ରତିନିଧି କୁଆଡେ ଗଲେ ତାଙ୍କୁ ସୁରକ୍ଷା ମିଳୁନାହିଁ କିନ୍ତୁ ସଚିବଙ୍କୁ କେତେ ହାଇ ସିକ୍ୟୁରିଟି ସୁରକ୍ଷା ଦେଇହେବ, ସେ ବିଷୟରେ ସରକାର ଅଧିକ ଚିନ୍ତା କରୁଛନ୍ତି। ସେହିପରି କିଛି ଦିନ ହେବ ଯେଉଁଭଳି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡି ନେତାମାନେ ପ୍ରାୟୋଜିତ ଭାବେ ଦିବାଲୋକରେ ରାସ୍ତାରେ ଅତର୍କିତ ଭାବରେ ଅଟକାଇବା ପାଇଁ ଚେଷ୍ଟା କରିବା ସହ ଜନକଲ୍ୟାଣକାରୀ କାର୍ଯ୍ୟକୁ ବାଧା ଦେଉଛନ୍ତି, ତାହା ଠିକ୍ ନୁହେଁ ଏବଂ ଗଣତନ୍ତ୍ର ପାଇଁ ବିପଦ।

ଓଡ଼ିଶାର ରାଜଧାନୀର ସାଂସଦଙ୍କୁ ଯଦି ଏଭଳି ବ୍ୟବହାର କରାଯାଉଛି ତା’ ହେଲେ ସାଧାରଣ ଲୋକମାନେ କେମିତି ଅବସ୍ଥାରେ ଅଛନ୍ତି, ଜଣାପଡୁଛି। ସାଂସଦ ଆଜି ନିଜେ କହିଛନ୍ତି ମୁଁ ସୁରକ୍ଷିତ ନୁହେଁ। ଏହା ବହୁତ ବଡ ସାଂଘାତିକ ଘଟଣା। ଯଦି ଜଣେ ମହିଳା ସାଂସଦଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ତା’ ହେଲେ ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ଚିନ୍ତାର ବିଷୟ। ସାଂସଦଙ୍କ ସୁରକ୍ଷାକୁ ଠିକ୍ କରିବା ସହିତ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶରେ ସହଯୋଗୀ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମୀର ମହାନ୍ତି ଟ୍ୱିଟ କରିଛନ୍ତି।

Comments are closed.