ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଜୋରସୋରରେ ବିଜେପି ଉପରେ ବର୍ଷିଛନ୍ତି ରାହୁଲ। ଏହାସହ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ବିଜେପିକୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, ଗରିବଙ୍କୁ ଲୁଟୁଛନ୍ତି ସରକାର। ବିଜେପି ସାରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି।
ଓଡ଼ିଶା ସରକାର କେବଳ ଗରିବଙ୍କୁ ଲୁଟୁଛନ୍ତି। ପ୍ରଥମେ ବିଜେଡି ଲୁଟୁଥିଲା, ଏବେ ବର୍ତ୍ତମାନର ସରକାର ଲୁଟୁଛି ବୋଲି କହିଲେ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସେହିପରି ପୁରୀ ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ। କହିଲେ, ଏଥର ରଥଟଣା ବେଳେ ଏକ ହାଇଡ୍ରାମା ହେଲା। ଅଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲ।
ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ଶୁଣି ତୀବ୍ର ସମାଲୋଚନା କରିଛନ୍ତି ବିଜେପି ମନ୍ତ୍ରୀ ସୁରେଶ ପୂଜାରୀ। ସୁରେଶ ପୂଜାରୀ କହିଛନ୍ତି, ସମ୍ବିଧାନକୁ ରକ୍ତାକ୍ତ କରିଥିବା ଓ ବିପଦରେ ପକାଇଥିବା ଦଳ ହେଉଛି କଂଗ୍ରେସ। ଜରୁରୀ ପରିସ୍ଥିତି ଘୋଷଣା କରି ସମସ୍ତଙ୍କ କଣ୍ଠରୋଧ କରାଗଲା। ରାଜନୈତିକ ଦଳକୁ ବ୍ୟାନ କରାଗଲା, କର୍ମକର୍ତ୍ତାଙ୍କୁ ଜେଲ୍ରେ ପୂରାଇଲେ। ରାହୁଲଙ୍କ କଥା ’ଶୋ ଚୁହା ଖାକେ ବିଲି ହଜକୋ ଚଲି ଭଳି। ଶହେ ମୂଷା ଖାଇବା ପରେ ବିଲେଇ ତୀର୍ଥ ଗଲା ଭଳି।
ସେହିପରି ରାହୁଲ ଗାନ୍ଧି ଅବାନ୍ତର କଥା କହୁଛନ୍ତି ବୋଲି କହିଲେ ଆଇନ ମନ୍ତ୍ରୀ। ‘ବଳଭଦ୍ରଙ୍କ ରଥ ମୋଡ଼ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା। ଅଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ। ସବୁ ବର୍ଷ ରଥ ୨ ଦିନରେ ଲାଗେ; କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି। କଂଗ୍ରେସ ସମ୍ବିଧାନ ହତ୍ୟା କରିଥିବା ଦଳ, ଏବେ ନାଟକ କରୁଛି ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ଚୌହାନ।
ଅନ୍ୟପଟେ ରାହୁଲ ଓ ଖାର୍ଗେଙ୍କ ସମାଲୋଚନା ପରେ ପ୍ରଦୀପ ପୁରୋହିତ ମଧ୍ୟ କଡ଼ା ଜବାବ ଦେଇ କହିଛନ୍ତି, ଦିନ ଥିଲା, କଂଗ୍ରେସ ବ୍ୟତୀତ ଆଉ କୌଣସି ଦଳକୁ ଲୋକେ ଚିହ୍ନି ନଥିଲେ। ଓଡ଼ିଶାରେ ଲମ୍ବା ସମୟ ଧରି କଂଗ୍ରେସ ଶାସନ କରିଥିଲା। କିନ୍ତୁ ଛବିରାଣୀ ଓ ଅନ୍ୟ ନିର୍ଯାତନା ଘଟଣା ସେତେବଳେ ଘଟିଥିଲା। ଆଜି କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି। ଆଜି ସେମାନଙ୍କ କୃତକର୍ମର ଫଳ ପାଉଛି କଂଗ୍ରେସ। ଓଡ଼ିଶାର ଲୋକେ ସେମାନଙ୍କ କଥା ଶୁଣିବା ସ୍ଥିତିରେ ନାହାନ୍ତି। ଡ୍ରାଇଭରଙ୍କ ଦାବି କିପରି ପୂରଣ କରାଯିବ ସେନେଇ ଉଦ୍ୟମ ଚାଲିଛି। ରଥ ଅଘଟଣକୁ ଗୁରୁତର ସହ ନେଇଛନ୍ତି ସରକାର। ତଦନ୍ତ ହେବ, କେଉଁଠି ତ୍ରୁଟି ରହିଲା ତର୍ଜମା ହେବ। ସର୍ବସାଧାରଣରେ ରିପୋର୍ଟ ପ୍ରକାଶ କରାଯିବ।
Comments are closed.