Latest Odisha News

BREAKING NEWS

ରାହୁଲଙ୍କୁ ଚାରିଆଡୁ ନିନ୍ଦା: କେନ୍ଦ୍ର ମନ୍ତ୍ରୀ କହିଲେ ମିଛ କହୁଛନ୍ତି ରାହୁଲ, ସଂସଦ ଇତିହାସରେ ଏହା କଳା ଦିନ

ନୂଆଦିଲ୍ଲୀ: ଆଜି ସଂସଦର ଶୀତ ଅଧିବେଶନର ୨୦ ତମ ଓ ଦ୍ୱିତୀୟ ଶେଷ ଦିନ। ଆସନ୍ତାକାଲିର ପ୍ରକ୍ରିୟା ପରେ ଏହି ଅଧିବେଶନ ଶେଷ ହେବ। ଆଜି ମଧ୍ୟ ଆମ୍ବେଦକର ପ୍ରସଙ୍ଗରେ ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଥିଲା। ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିବା ବେଳେ ଉପୁଜିଥିଲା ଠେଲାଠେଲି ପରିସ୍ଥିତି । ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଛନ୍ତି। ଅଭିଯୋଗ ହେଉଛି ଯେ, କୁଆଡେ ରାହୁଲ ଗାନ୍ଧୀ ସେମାନଙ୍କୁ ଧକ୍କା ଦେଇଛନ୍ତି। ଏବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଚାରିଆଡୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କରାଯାଉଛି ଟାର୍ଗେଟ୍‌। ଏପରିକି ତାଙ୍କ ବିରୋଧରେ ଲିଗାଲ ଆକ୍ସନ ନେବାକୁ ଅଣ୍ଟା ଭିଡିଲାଣି ବିଜେପି।

ଅନ୍ୟପଟେ ଏହି ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ରାହୁଲ ଗାନ୍ଧୀ ଆସିବା ପରେ ଲୋକମାନେ ତାଙ୍କ ପାଇଁ ରାସ୍ତା ତିଆରି କରୁଥିଲେ। ଆମ ଲୋକମାନେ ତାଙ୍କ ପାଇଁ ରାସ୍ତା ତିଆରି କରୁଛୁ। ସେଠାରେ ଠେଲାଠେଲି ପରିସ୍ଥିତି ଉପୁଜିଥିଲା। ଏହି ଧକ୍କା ଯୋଗୁଁ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଏହା ଜାଣିଶୁଣି କରାଯାଇଛି। ଏଫଆଇଆର ପଞ୍ଜୀକୃତ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ବିକଳ୍ପ ଖୋଲା ଅଛି।” କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଲିଗାଲ ଆକ୍ସନ ନେବାକୁ ଦାବି କରିଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ରକ୍ତସ୍ରାବ ବନ୍ଦ ହେଉନାହିଁ। ମୁକେଶ ରାଜପୁତ ଚେତାଶୂନ୍ୟ ଅଛନ୍ତି। ରାହୁଲ ଗାନ୍ଧିଙ୍କ ଗୁଣ୍ଡାଗର୍ଦ୍ଦି ତାଙ୍କ ନିରାଶାକୁ ପ୍ରତିଫଳିତ କରୁଛି। ଯାହା ବି ଆଇନଗତ ପ୍ରକ୍ରିୟା ଆବଶ୍ୟକ, ତାହା କରାଯିବା ଉଚିତ ବୋଲି ସେ କହିଛନ୍ତି।

ଏହି ଘଟଣା ପରେ ବିଜେପି ନେତାମାନେ ଗଣମାଧ୍ୟମ ଆଗରେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ସଂସଦ ଇତିହାସରେ ଏହା କଳା ଦିନ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ। ସମସ୍ତ ମର୍ଯ୍ୟାଦା ଉଲ୍ଲଙ୍ଘନ କରାଯାଇଛି। ରାହୁଲ ଗାନ୍ଧି ଓ କଂଗ୍ରେସ ଯେଉଁ ଦାଦାଗିରି କରିଛନ୍ତି ତାହାର ଦ୍ୱିତୀୟ କୌଣସି ଉଦାହାରଣ ମିଳିବ ନାହିଁ। ସେମାନେ ଏବେ ଏଭଳି ଦାଦାଗିରି କରିବେ। ଭାରତର ସାଂସ୍କୃତିକ ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି ଆଚରଣ ଦେଖିବାକୁ ମିଳି ନାହିଁ। ସେମାନଙ୍କୁ ଏକ ସ୍କୁଲରେ ତାଲିମ ଦିଆଯିବା ଉଚିତ୍। ଗଣତନ୍ତ୍ରରେ କିପରି କାମ କରିବେ ତାହା ସେମାନେ ଶିଖିବେ। ଏହି ପ୍ରକାରର ଆଚରଣକୁ ଆମେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି।

ଅନ୍ୟପଟେ ପ୍ରତାପ ଷଡଙ୍ଗୀ ଆହତ ହେବା ଘଟଣାରେ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ସଂସଦ ଭବନ କାହାର ବ୍ୟକ୍ତିଗତ ଜାଗିର ନୁହେଁ।  ରାହୁଲଙ୍କ ଅହଙ୍କାର ଓ ତାଙ୍କ ସାମନ୍ତବାଦୀ ମନୋଭାବ ଯୋଗୁଁ ନିର୍ବାଚିତ ସାଂସଦଙ୍କ ଜୀବନ ବିପଦରେ।  ତାଙ୍କ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ।  ଯେତେ ନିନ୍ଦା କଲେ ମଧ୍ୟ ଏହା କମ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

 

Leave A Reply

Your email address will not be published.