Latest Odisha News

BREAKING NEWS

ବିଧାନସଭାରେ ବିବାଦୀୟ ବୟାନ ପ୍ରସଙ୍ଗ: ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ

ଭୁବନେଶ୍ୱର: ବିଜେପି ବିଧାୟକ ତଥା ବିଧାନସଭାର ବିଧାୟକ ଦଳ ଉପ-ନେତା ବିଷ୍ଣୁ ଚରଣ ସେଠୀ ଶେଷରେ ନିଜର ବିବାଦୀୟ ବୟାନଲାଗି ଦୁଃଖ ପ୍ରକାଶ କରିବାପରେ ଶୁକ୍ରବାର ଦିନ ଗୃହ କାର୍ଯ୍ୟ ସ୍ୱାଭାବିକ ପରିସ୍ଥିତିକୁ ଆସିଛି । ବିଧାୟକ ବିଷ୍ଣୁ ସେଠୀ ଗୁରୁବାର ଦିନ ସ୍ୱାମୀ ପରିତ୍ୟକ୍ତା ମୁସଲିମ୍ ମହିଳାଙ୍କୁ ନେଇ ଗୃହରେ ବିବାଦୀୟ ବୟାନ ଦେଇଥିଲେ, ଯାହାକୁ ନେଇ ବିରୋଧୀ କଂଗ୍ରେସ ଓ ଶାସକ ବିଜେଡ଼ି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ।

ବିଧାୟକ ବିଷ୍ଣୁ ସେଠୀ ତାଙ୍କର ବିବାଦୀୟ ବୟାନ ଲାଗି ଗୃହରେ ଦୁଃଖ ପ୍ରକାଶ କରିବା ସହିତ ସେ କହିଛନ୍ତି ଯେ, କୌଣସି ଧର୍ମୀୟ ଭାବନାକୁ ଆଘାତ କରିବା ତାଙ୍କର ଆଦୌ ଉଦ୍ଦେଶ୍ୟ ନଥିଲା । ଏପରିକି ସେ ଗୃହରେ ଦେଇଥିବା ସେହି ବିବାଦୀୟ ବିବୃତ୍ତିକୁ ବିଧାନସଭା ବିବରଣୀରୁ ବାଦ ଦେଇଦେବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଅନୁରୋଧ କରିଛନ୍ତି ।

ଏହାପରେ ବାଚସ୍ପତି ଏହି ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ବିଧାନସଭା ବିବରଣୀରୁ ବାଦ ଦେବା ଲାଗି ରୁଲିଂ ଘୋଷଣା କରିଥିଲେ । ଏହାପରେ ଗୃହକାର୍ଯ୍ୟ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା ।

କଂଗ୍ରେସ ଦଳର ସଦସ୍ୟମାନେ ବିଧାୟକ ବିଷ୍ଣୁ ସେଠୀଙ୍କୁ ଠାରୁ ନିଃସର୍ତ୍ତ କ୍ଷମା ମାଗିବା ନେଇ ଗୃହରେ ହଟ୍ଟଗୋଳ କରିବା ଯୋଗୁଁ ପୂର୍ବରୁ ବାଚସ୍ପତି ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

Leave A Reply

Your email address will not be published.