ଇମ୍ଫାଲ: ମଣିପୁର ହିଂସା ତୀବ୍ର ରୂପ ନେଇଛି। ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏପଟେ ଦଙ୍ଗାକାରୀମାନେ ବିଜେପି ବିଧାୟକଙ୍କ ଉପରେ ବୋମାମାଡ଼ କରିଛନ୍ତି। ଗୁରୁବାର ଇମ୍ଫାଲ୍ରେ ବିଜେପି ବିଧାୟକ ଭୁଙ୍ଗଜାଗିନ ଭାଲ୍ତେଙ୍କ ଉପରେ ବୋମା ମାଡ଼ ହୋଇଛି। ସେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ଏକ ବୈଠକରେ ଯୋଗ ଦେଇ ସଚିବାଳୟରୁ ଫେରୁଥିବା ବେଳେ ଦଙ୍ଗାକାରୀମାନେ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ।
ରାଜ୍ୟରେ ପୂରା ଆଇନଶୃଙ୍କଳା ବିଗିଡ଼ିଯାଇଛି। ରାଜ୍ୟ ସାରା ଆଦିବାସୀ ଓ ସଂଖ୍ୟା ବହୁଳ ମେଇତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଲାଗି ରହିଛି।
ମଣିପୁରରେ ଭାଲ୍ତେ ଜଣେ ଟାଣୁଆ ବିଜେପି ନେତା। ଫେରଜାୱଲ ଜିଲ୍ଲାର ଥାନଲନ ନିର୍ବାଚନ ମଣ୍ଡଳୀରୁ ସେ ୩ ଧର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଗତକାଲ ବୈଠକ ସାରି ସେ ଇମ୍ଫାଲ୍ରେ ଥିବା ତାଙ୍କ ବାସଭବନକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ବିଧାୟକ ଓ ତାଙ୍କ ଡ୍ରାଇଭରଙ୍କୁ ଆନ୍ଦୋଳନକାରୀମାନେ ଆକ୍ରମଣ କରିଥିବା ବେଳେ ବିଧାୟକଙ୍କ ପିଏସ୍ଓ(ବ୍ୟକ୍ତିଗତ ସୁରକ୍ଷା କର୍ମୀ) ଖସିଯିବାରୁ ସକ୍ଷମ ହୋଇଥିଲେ।
ବିଧାୟକ ଭାଲ୍ତେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଇମ୍ଫାଲ୍ର ଆଞ୍ଚଳିକ ଚିକିତ୍ସା ବିଜ୍ଞାନ ସଂସ୍ଥାନ(RIMS)ରେ ଚିକିତ୍ସିତ ହେଉଛନ୍ତି। କୁକି ସମ୍ପ୍ରଦାୟରୁ ଆସୁଥିବା ଭାଲ୍ତେ ପୂର୍ବ ବିଜେପି ସରକାରରେ ଅଦିବାସୀ ବ୍ୟାପାର ଓ ପାହାଡ଼ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ।
Comments are closed.