Latest Odisha News

BREAKING NEWS

ବିଜେପି ବିଧାୟକଙ୍କ ପ୍ରଶ୍ନ-ମହାଠକେଇ କରିଥିଲେ ୩ ବର୍ଷ ତଳେ; ବହିଷ୍କାର କରିବାକୁ ଆଜି ମନେ ପଡିଲା ?

ଭୁବନେଶ୍ୱର:  ମହାଠକେଇ କରିଥିଲେ ୩ ବର୍ଷ ତଳେ  । ହେଲେ ଦଣ୍ଡ ଦେବା ପାଇଁ ଆଜି କେମିତି ମନେ ପଡିଲା ? ଲୋକାୟୁକ୍ତଙ୍କ ରିପୋର୍ଟରେ ବିଧାୟକ ସୁଧାଂଶୁ ପରିଡାଙ୍କ ଅଭିଯୋଗ ସତ ପ୍ରମାଣିତ ହେଲା ହେଲେ  ଗିରଫ କରାଗଲାନି  କାହିଁକି ?  ଯଦି ସ୍ୱଚ୍ଛତା ଦେଖଉଛ, ତେବେ ଦଳର ୪୦ ବିଧାୟକଙ୍କ ନାଁରେ ରହିଛି ସଙ୍ଗୀନ ମାମଲା । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ନେବ ? ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କାର କଲାପରେ ଏପରି ପ୍ରଶ୍ନ କରିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଏହି ଦୁଇ ବିଧାୟକ ହେଲେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡା ।  ସୁଧାଂଶୁ ପରିଡାଙ୍କୁ ଚାଷୀଙ୍କ ଟଙ୍କା ହଡପ ଅଭିଯୋଗରେ ଦଳରୁ ନିଲମ୍ବିତ କରାଯାଇଛି  ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ସୁଧାଂଶୁଙ୍କ ବହିଷ୍କାରକୁ ନେଇ  ବିଜେପି ବିଧାୟକ ତଥା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି,   ଆଜି ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ସୁଧାଂଶୁ ପରିଡାଙ୍କ ଦ୍ୱାରା ହୋଇଥିବା ମହାଠକେଇ ହେଉଛି 2017 ରୁ 2020 ସମୟର  । ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡି ହଡ଼ପ ନେଇ ଭିଜିଲାନ୍ସ ତଦନ୍ତ କରିଥିଲା । ତଦନ୍ତରେ ଟଙ୍କା ହଡପ ଅଭିଯୋଗରେ ସୁଧାଂଶୁ ପରିଡାଙ୍କ ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହୋଇଥିଲା । ତଥାପି  କାହିଁକି ସରକାର ଦୀର୍ଘ ଦିନ ଧରି ଚୁପ ବସିଥିଲେ ? ଲୋକାୟୁକ୍ତଙ୍କ ରିପୋର୍ଟରେ ଅଭିଯୋଗ ପ୍ରମାଣିତ ହେବା ପରେ ବି କାହିଁକି ଗିରଫ ହୋଇ ନ ଥିଲେ ବିଧାୟକ ସୁଧାଂଶୁ ପରିଡା ?

ଅନ୍ୟପକ୍ଷେ ଚାଷୀମାନେ ହରାଇଥିବା ୩00 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଫେରି ପାଇବେ ତ ? ଏନେଇ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କର ପ୍ରେସ ରିଲିଜ କେବେ ଆସିବ ବୋଲି ଟୁଇଟ କରି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ।

ସେ କହିଛନ୍ତି, ସ୍ଵଛ ଭାବମୂର୍ତ୍ତିର ନାଟକ ଆଉ ଲୋକେ ବିଶ୍ୱାସ କରୁନାହାନ୍ତି l ବିଜୁ ଜନତା ଦଳରେ ୪0 ଜଣ ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ଅଛି  । ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ? ଯେଉଁ ଗଣମାଧ୍ୟମ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିବ ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯିବ  । ଏହା ଓଡିଶାରେ ବାରମ୍ବାର ଘଟୁଛି  । ଜଣେ ସଚିବଙ୍କୁ ସମାଲୋଚନା କରିବାରୁ ବିଜେଡିରେ ଦୁଇ ଦୁଇ ଜଣ ବିଧାୟକଙ୍କ ବିରୋଧରେ ମିଛ ମାମଲା ଓ କାର୍ଯ୍ୟାନୁଷ୍ଠାନ  । ଏହା ହିଁ ସ୍ପଷ୍ଟ କରୁଛି ବିଜୁ ଜନତା ଦଳ ଭିତରେ ଥିବା ଅସହାୟତା  ।

ଏଠି କହିରଖିବୁ, ଲଗାତାର ନିଜ ଖବରକାଗଜ ସମ୍ପାଦକୀୟରେ ୫ଟି ସଚିବ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିବା ସୌମ୍ୟ ପଟ୍ଟନାୟକଙ୍କୁ ପ୍ରଥମେ ଉପସଭାପତି ପଦରୁ ବାହାର କରାଯାଇଥିଲା । ଶେଷରେ ଆଜି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଦଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.