Latest Odisha News

BREAKING NEWS

ଅଡିଓ ଭାଇରାଲ୍, ଫସିଯିବେ କି ବିଜେପି ବିଧାୟକ?

ଭୁବନେଶ୍ବର: ଆସିକା ବିଧାୟକଙ୍କ ନାଁରେ ସଂଗୀନ ଅଭିଯୋଗ । ଅଡିଓ ଭାଇରାଲ, ବଢିବ କି ଅଡୁଆ ! ବିଜେପି ବିଧାୟକ ସରୋଜ ପାଢୀ ଦୁଇ ଜଣ ବାଲିଘାଟ ଲିଜଧାରୀଙ୍କୁ ବାଲିଘାଟ ବାବଦକୁ ବଟି ମାଗୁଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେଲା ବାଲିଘାଟ ଲିଜଧାରୀଙ୍କ ସହ ବିଧାୟକଙ୍କ ଅଡିଓ ଘୁରି ବୁଲୁଥିବା ବେଳେ ଆସିକାରେ ବଢିଛି ରାଜନୈତିକ ତାତି । ବିଜେଡି ନେତ୍ରୀ ତଥା ଆସିକାର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ବାଇଁ ଅଡିଓର ତଦନ୍ତ ଦାବି କରିଛନ୍ତି । ସେପଟେ ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ ହୋଇଥିବା ଆସିକା ବିଧାୟକ କହିଛନ୍ତି ।

ବାଲିଘାଟ ପାଇଁ ବଟି !

ବାଲିଘାଟ ପାଇଁ ଟଙ୍କା ମାଗୁଛନ୍ତି କି ବିଜେପି ବିଧାୟକ ସରୋଜ ପାଢୀ? ଅଡିଓ ଭାଇରାଲ ହେବା ପରେ ବଢିଛି ରାଜନୈତିକ ତାତି। ଘାଟ ନିଲାମଧାରୀ ସୁଧାକର ଚୌଧୁରୀ ଓ ଜଗଦଲପୁର ବାଲିଘାଟ ମାଲିକ ନୃସିଂହ ନାୟକଙ୍କ ସହ ବିଜେପି ବିଧାୟକଙ୍କ ଫୋନ୍ ବାର୍ତ୍ତାଳପର ଅଡିଓ ଭାଇରାଲ ହୋଇଛି । ସୋସିଆଲ୍ ମିଡିଆରେ ଦୁଇ ଅଡିଓ ଭାଇରାଲ୍ ହେବା ପରେ ବିଜେପି ବିଧାୟକ ସରୋଜ ପାଢୀଙ୍କୁ କାଠଗଡାକୁ ଟାଣିଛି ବିଜେଡି । ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ବାଇଁ ବିଜେପି ଉପରେ ବର୍ଷିଛନ୍ତି। ଭାଇରାଲ୍ ଅଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ସେପଟେ ତାଙ୍କୁ ବଦନାମ କରିବାକୁ ଏଭଳି ହୀନ ଚକ୍ରାନ୍ତ କରାଯାଇଥିବା କହିଛନ୍ତି ସରୋଜ ପାଢୀ । ନିର୍ବାଚନମଣ୍ଡଳୀର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ ଲିଜଧାରୀ । ସେମାନଙ୍କୁ ଟଙ୍କା ଫେରାଇବାକୁ ସେ ଫୋନରେ କହୁଥିଲେ । ହେଲେ ଏହାକୁ ଭିନ୍ନ ରୂପ ଦିଆଯାଇଥିବା ସରୋଜ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଭାଇରାଲ୍ ଅଡିଓର ସତ କଣ? ବାଲିଘାଟ ଲିଜଧାରୀଙ୍କୁ ବଟି ମାଗୁଥିଲେ କି ବିଜେପି ବିଧାୟକ? ନା ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଇଛି?  ପୂରା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଛି ।

Comments are closed.