Latest Odisha News

BREAKING NEWS

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୁହରି

ନୂଆଦିଲ୍ଲୀ; ଲୋକସଭା କାମଚଳା ବାଚସ୍ପତି ଭାବେ ଶପଥ ନେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସେପଟେ ଆଜିଠୁ ଅଷ୍ଟାଦଶ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି । ଶପଥ ନେବା ପରେ ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ ଭର୍ତ୍ତୃହରି । ଆଜି ଓ ଆସନ୍ତାକାଲି ୨ଦିନ ଧରି ଏହି ଶପଥ ପାଠ କାର୍ଯ୍ୟକ୍ରମ ଚାଲିବ । ତେବେ ପ୍ରଥମ ଥର ପାଇଁ ନୂଆ ସଂସଦ ଗୃହରେ ଶପଥ ଗ୍ରହଣ କରିବେ ନବନିର୍ବାଚିତ ସାଂସଦ ।

ଜୁନ୍ ୨୦ରେ ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଅଷ୍ଟାଦଶ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କାମଚଳା ବାଚସ୍ପତି ଭାବରେ ଶପଥ ନେଇଛନ୍ତି ଭର୍ତ୍ତୃହରି ମହତାବ ।  ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା। ଏଥିସହିତ ଲୋକ ସଭା ସଦସ୍ୟ କେ ସୁରେଶ, ଟି ଆର ବାଲୁ, ରାଧା ମୋହନ ସିଂ, ଫଗ୍ଗାନ୍ ସିଂ କୁଲାଷ୍ଟେ ଏବଂ ସୁଦୀପ ବନ୍ଦୋପାଧ୍ୟାୟ ସହକାରୀ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରିବେ । ସମ୍ବିଧାନ ଧାରା ୯୯ ଅନୁଯାୟୀ ଏହି ପଦବୀରେ ନିଯୁକ୍ତ କରାଯାଇଛି। ଆସନ୍ତା ୨୬ ତାରିଖରେ ନୂଆ ବାଚସ୍ପତି ନିର୍ବାଚନ ହେବ ।  ବାଚସ୍ପତି ନିର୍ବାଚନ ନହେବା ପର୍ଯ୍ୟନ୍ତ ଏମାନେ ଏହି ପଦରେ ରହି କାମଚଳା ଭାବେ କାର୍ଯ୍ୟ କରିବେ ।

ସୂଚନାଯୋଗ୍ୟ, ଲୋକସଭାକୁ ଲଗାତାର ୭ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ସେ ୬ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ।

Comments are closed.