ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାଓ୍ୱତ । ମହିଳା ମୋର୍ଚ୍ଚାର ପ୍ରତିନିଧିମାନଙ୍କ ସହ ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ ରିପୋର୍ଟ ସେ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି । ଓଡିଶାରେ ମହିଳାମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବାହାର କରୁଛି ଶାସକ ବିଜୁ ଜନତା ଦଳ ବୋଲି କହିଛନ୍ତି ଦୀପ୍ତି ରାୱତ ଭରଦ୍ୱାଜ ।
ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଶାସକ ବିଜେଡିର ୨୩ ବର୍ଷର ନିରୁଙ୍କଶ ଶାସନରେ ଓଡିଶାର ମାଁ ଓ ଭଉଣୀଙ୍କ ସଠିକ୍ ଆର୍ଥିକ ବିକାଶ ହୋଇନାହିଁ । ମମିତା, ପରୀ, ବେବିନା ଭଳି ଅନେକ ମହିଳା ହିଂସା ଓ ନିର୍ଯାତନା ଘଟଣାରେ ବିଜେଡି ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ରହିବା ଅତ୍ୟନ୍ତ ଲଜ୍ଜାଜନକ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୮ବର୍ଷ ଶାସନ କାଳରେ ମହିଳାଙ୍କ କଲ୍ୟାଣ ଓ ବିକାଶ ପାଇଁ ଅନେକ ଜନକଲ୍ୟାଣକାରି ଯୋଜନା ସଫଳତାର ସହ ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ଗାଁ ଗାଁରେ ପଂହଚାଇବା ସହ ମହିଳାଙ୍କୁ ଅବଗତ କରିବା ପାଇଁ ମହିଳା ମୋର୍ଚ୍ଚାର କେନ୍ଦ୍ରୀୟ ପଦାଧିକାରୀମାନେ ଗତ ୨୨ ତାରିଖରୁ ଦୁଇ ଦିନିଆ ଓଡିଶା ଆସି ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ଗସ୍ତ କରିଥିଲେ । ଗସ୍ତ ଅବସରରେ କେନ୍ଦ୍ରୀୟ ଯୋଜନାର ରୂପାୟନ ଏବଂ ସ୍ଥାନୀୟ ଅଂଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ ।
ଦୀର୍ଘ ଦିନ ଧରି ନିଜ ହକ୍ ଦାବି କରି ଆନ୍ଦୋଳନ କରିଆସୁଥିବା ଅଙ୍ଗନବାଡୀ କର୍ମଚାରୀଙ୍କୁ ଜିଲ୍ଲା ଏବଂ ଭୁବନେଶ୍ୱରରେ ମହିଳା ମୋର୍ଚ୍ଚାର ପ୍ରତିନିଧିମାନେ ଭେଟି ଆଲୋଚନା କରିବା ସହିତ ତାଙ୍କ ଦାବୀ ପ୍ରତି ସମର୍ଥନ ଜଣାଇଥିଲେ । ରାଜ୍ୟ ସରକାର ଜନତାଙ୍କ ସହ ପାତର ଅନ୍ତର କରୁଛନ୍ତି । ନିର୍ଭୟା ଫଣ୍ଡରେ ୨୦୨୧ମସିହାରେ କେନ୍ଦ୍ର ସରକାର ୭୫କୋଟି ଟଙ୍କା ଖର୍ଚ୍ଚ ପାଇଁ ଦେଇଥିଲେ ବି ଓଡିଶା ମାତ୍ର ୪୫କୋଟି ଖର୍ଚ୍ଚ କରିଥିଲେ । ୨୦୨୨ରେ କେନ୍ଦ୍ର ସରକାର ୨୬କୋଟି ଟଙ୍କା ଦେଇଥିଲେ ବି ୧୯କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଓଡ଼ିଶା ଦୁଷ୍କର୍ମ, ସାଇବର କ୍ରାଇମ, ଅପହରଣ ଇତ୍ୟାଦିରେ ଓଡ଼ିଶା ସ୍ଥାନ ୫ନଂରେ ରହିବା ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀମତୀ ଭରଦ୍ୱାଜ କହିଛନ୍ତି ।
Comments are closed.