ରାଉରକେଲା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଡକ୍ଟର ଉଦିତ ରାଜଙ୍କୁ ବିରୋଧ । ରବିବାର ରାଉରକେଲାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କଂଗ୍ରେସ ନେତା ଉଦିତ ରାଜ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ଥିଲ।।
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତାଙ୍କୁ ବିଜେପି ଦଳର କର୍ମୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । ନୂଆବଜାର ଛକ ଦେଇ ଯାଉଥିବା ବେଳେ ସେଠାରେ ଅପେକ୍ଷା କରିଥିବା ବିଜେପି କର୍ମୀମାନେ ଉଦିତ ରାଜଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ ।
କଂଗ୍ରେସ ନେତାଙ୍କୁ ମଧ୍ୟ କଳାପତାକା ପ୍ରଦର୍ଶନ କରାଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ବିଜେପି କର୍ମୀଙ୍କୁ ବୁଝାସୁଝା କରିଥିଲା । ଏମିତିକି ଏପରି ନକରିବାକୁ ବାରଣ କରିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଉଦିତ ରାଜଙ୍କ ବୟାନ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ । ଏଥିସହ ଜନଜାତି ବିରୋଧୀ । ଯାହା କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସେଥିପାଇଁ କଂଗ୍ରେସ ତାଙ୍କୁ ଦଳରୁ ବାହାର କରୁ । ଏମିତିକି ଉଦିତ ରାଜ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଦରକାର । ନହେଲେ ବିଜେପି ଆଗାମୀ ଦିନରେ ଏହାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିବ ।
ଗତ ଅକ୍ଟୋବର ୫ ତାରିଖରେ କଂଗ୍ରେସ ନେତା ଏକ ଟ୍ୱିଟ୍ କରି କହିଥିଲେ ଯେ, ଦ୍ରୌପଦୀ ମୁର୍ମୁଙ୍କ ଭଳି ରାଷ୍ଟ୍ରପତି କୌଣସି ଦେଶକୁ ମିଳିବା ଉଚିତ ନୁହେଁ । ଏଥିସହିତ ସେ ‘ଚମଚାଗିରି’ କରୁଛନ୍ତି ବୋଲି ଉଦିତ ରାଜ କହିଥିଲେ । ଏହାପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ ଯେ ଏହା କେବଳ କଂଗ୍ରେସର ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଛି । ସେପଟେ ରାଷ୍ଟ୍ରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ଉଦିତ୍ ରାଜଙ୍କୁ ସମନ କରିଛନ୍ତି ଜାତୀୟ ମହିଳା କମିଶନ ।
ଦ୍ରୌପଦୀ ମୁର୍ମୁଙ୍କ ବୟାନକୁ ନେଇ ଉଦିତ ରାଜ ଟ୍ୱିଟ୍ କରି ବିବାଦୀୟ ହେବା ପରେ କହିଥିଲେ, ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ତାଙ୍କର ବୟାନ ବ୍ୟକ୍ତିଗତ । ଏଥିରେ କଂଗ୍ରେସ ସହ କୌଣସି ସମ୍ପର୍କ ନାହିଁ ।
Comments are closed.