Latest Odisha News

BREAKING NEWS

ଗାଡକଣର କୃତ୍ରିମ ଅଳିଆ ପାହାଡକୁ ଦେଖି ବିଜେପିର କ୍ଷୋଭ: କହିଲା, ୭୨ ଘଣ୍ଟା ଭିତରେ ପଦକ୍ଷେପ ନ ନେଲେ ତୀବ୍ର ହେବ ଆନ୍ଦୋଳନ

ଭୁବନେଶ୍ୱର:ଗାଡକଣରେ ‘କୃତ୍ରିମ ଅଳିଆ ପାହାଡ’ ଛିଡା କରିଛନ୍ତି ସରକାର । ଏପରି କରି ରାଜ୍ୟ ସରକାର ସାମାଜିକ ଅପରାଧ କରିଛନ୍ତି । ରାଜ୍ୟ ସରକାରଙ୍କ ଜୀବନ ଦେବାର ଅଧିକାର ନାହିଁ କିନ୍ତୁ ଜୀବନ ନେବାର ଅଧିକାର କେଉଁଠୁ ଆସିଲା ?  ଓଡିଶାବାସୀଙ୍କ ଜୀବନ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହାକୁ ବନ୍ଦ କରନ୍ତୁ ରାଜ୍ୟ ସରକାର । ଏମିତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସେତିକି ନୁହେଁ, ଗାଡଗଣ ଅଳିଆ ଗଦା  ହଟାଇବା ଦିଗରେ ଯଦି ଆଗାମୀ ୭୨ ଘଣ୍ଟା ଭିତରେ ଠୋସ୍ ପଦକ୍ଷେପ ନ ନିଆଯାଏ ତେବେ  ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛି ବିଜେପି ।
ଆଜି ଗାଡକଣସ୍ଥିତ ‘କୃତ୍ରିମ ଅଳିଆ ପାହାଡ’ ସ୍ଥଳ ପରିଦର୍ଶନ କରିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।   ଏହି ଅବସରରେ ସେ କହିଛନ୍ତି,  ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି ।  କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି ।
ଶ୍ରୀ ସାମଲ ବିଜେପି ସରକାରର ଅପରାଗତା ଉପରେ ଜୋରଦାର ବର୍ଷିବା ସହ କହିଛନ୍ତି, ସାରା ସହର ଗନ୍ଧମୟ । ହଜାର ହଜାର ଲୋକ ଡେଙ୍ଗୁରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସରକାରଙ୍କ ଜୀବନ ଦେବାର ଅଧିକାର ନାହିଁ କିନ୍ତୁ ଜୀବନ ନେବାର ଅଧିକାର କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି  ।  ରାଜ୍ୟ ସରକାର ସାମାଜିକ ଅପରାଧ କରିଛନ୍ତି ଏବଂ ବିଧିବ୍ୟବସ୍ଥା ଅନୁଯାୟୀ ଦଣ୍ଡିତ ହେବା ଉଚିତ୍ । ରାଜ୍ୟ ସରକାର ତୁରନ୍ତ ଏହି ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ ବୋଲି ସେ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ପରେ ଭୁବନେଶ୍ୱର ଜିଲ୍ଲା ତରଫରୁ ଜାରୀ ରହିଥିବା ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ସାମଲ କହିଛନ୍ତି ଯେ; ସତ୍ୟାଗ୍ରହକୁ ୪ଦିନ ବିତିଲେ ବି ରାଜ୍ୟ ସରକାର ନିଦାବିଷ୍ଣୁ ।
 ଭଗବାନ ଭରସାରେ ଓଡ଼ିଶାରେ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯଦି ଶାସନ ଚଳାଇବାରେ ସକ୍ଷମ ନୁହନ୍ତି, ତାହେଲେ ଗାଦି ଛାଡିଦେବା ଉଚିତ୍ ବୋଲି ସେ କହିଛନ୍ତି ।   ସେ କହିଛନ୍ତି,  ନିଆଁରେ ଗଛ ପୋଡି ହେବାର ଜାଣିଥିଲି, କିନ୍ତୁ ଦୂଷିତ ଅଳିଆ ଓ ପରିବେଶ କାରଣରୁ ଗଛ ପୋଡି ହେବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା । ଦୂଷିତ ଓ ଗନ୍ଧମୟ ପରିବେଶ କାରଣରୁ ସ୍ଥାନୀୟ ଅଂଚଳରେ ଚର୍ମ, ଶ୍ୱାସ ଭଳି ବିଭିନ୍ନ ରୋଗ ବ୍ୟାପକ ଭାବେ ବଢିଚାଲିଛି । ଅଳିଆ ଅବର୍ଜନାପୂର୍ଣ୍ଣ ପାହାଡର ଦୁର୍ଗନ୍ଧ ଧୀରେ ଧୀରେ ସମଗ୍ର ରାଜଧାନୀ ତଥା ଏହାର ଆଶ୍ୱପାଶ୍ୱର୍କୁ ବ୍ୟାପିଗଲାଣି । ଘରୁ ବାହାରିବା ଅସହ୍ୟ ହୋଇପଡିଲାଣି । ଆଖପାଖ ମନ୍ଦିରକୁ ଭକ୍ତ ଯାଉନାହାନ୍ତି ।  ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।
  ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଏହି ଆନ୍ଦୋଳନ ପ୍ରତି ପୂର୍ଣ୍ଣ ସମର୍ଥନ ରହିଛି । ଆଗାମୀ ୭୨ ଘଂଟା ଭିତରେ ପ୍ରଶାସନ ତଥା ରାଜ୍ୟ ସରକାର କୈାଣସି ଠୋସ୍ ପଦକ୍ଷେପ ଗ୍ରହଣ ନକରିଲେ ଏହାକୁ ଆହୁରି ତୀବ୍ର କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସତ୍ୟାଗ୍ରହ ସ୍ଥଳରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ରଞ୍ଜନ ପଟେଲ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ସହସଂଯୋଜକ ସୁଜିତ୍ କୁମାର ଦାସ, ସ୍ୱଚ୍ଛ ଭାରତ ରାଜ୍ୟ ସଂଯୋଜକ ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.