Latest Odisha News

BREAKING NEWS

ବିଜେପି ସଭାପତିଙ୍କ ନିଜ ଏରିଆରେ ପ୍ରାର୍ଥୀ ଚୟନରେ ଅଡୁଆ, ବାଙ୍କୀପୁରରେ ନୂଆ ବିବାଦ

ପାଟନା/ବାଙ୍କୀପୁର: ବିହାରର ହାଇପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା କ୍ଷେତ୍ରରେ ଏବେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ଜନତା ପାର୍ଟି ଭିତରେ ଲାଗି ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବେ ପଦାରେ ପଡ଼ିଛି। ବିଶେଷ କରି ଦଳର ନେତା ନୀରଜ କୁମାର ସିହ୍ନାଙ୍କ ବାୟୋଡାଟାରେ ଥିବା ତଥ୍ୟକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ତାଙ୍କ ବାୟୋଡାଟାରେ ଦିଆଯାଇଥିବା ସୂଚନାରେ ବଡ଼ ଧରଣର ଅସଙ୍ଗତି ଥିବା କଥା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବିଜେପି ପାଇଁ ଅଡ଼ୁଆ ବଢ଼ିଯାଇଛି।

 

ସୂଚନା ଅନୁଯାୟୀ, ନୀରଜ କୁମାର ସିହ୍ନା ନିଜର ଶିକ୍ଷାଗତ ଯୋଗ୍ୟତା, ବ୍ୟକ୍ତିଗତ ବିବରଣୀ ଏବଂ ରାଜନୈତିକ ଅଭିଜ୍ଞତାକୁ ନେଇ ଦଳ ନିକଟରେ ଯେଉଁ ବାୟୋଡାଟା ପ୍ରଦାନ କରିଛନ୍ତି, ସେଥିରେ ଥିବା ତଥ୍ୟ ଏବଂ ବାସ୍ତବିକତା ମଧ୍ୟରେ ଅନେକ ତାଳମେଳ ରହୁନଥିବା ଅଭିଯୋଗ ହୋଇଛି। କାଗଜପତ୍ରରେ ଥିବା ଏହି ତ୍ରୁଟି ସାମ୍ନାକୁ ଆସିବା ପରେ କେବଳ ବିରୋଧୀ ନୁହଁନ୍ତି, ବରଂ ଦଳ ଭିତରେ ଥିବା ଗୋଷ୍ଠୀ ମଧ୍ୟ ଏହାକୁ ପ୍ରସଙ୍ଗ କରି ସକ୍ରିୟ ହୋଇଉଠିଛନ୍ତି। ଜଣେ ରାଜନୈତିକ ନେତାଙ୍କ ସ୍ୱଚ୍ଛତା ଉପରେ ଏବେ ସିଧାସଳଖ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

ଏହି ଘଟଣାକୁ ନେଇ ବାଙ୍କୀପୁର ଅଞ୍ଚଳର ଅନ୍ୟଜଣେ ପରିଚିତ ଚେହେରା ତଥା ଯୁବ ବିଜେପି ନେତା ଅଭିଷେକ ବଣ୍ଟି ସିଧାସଳଖ ମୋର୍ଚ୍ଚା ଖୋଲିଛନ୍ତି। ଅଭିଷେକ ବଣ୍ଟି ଏବଂ ତାଙ୍କ ସମର୍ଥକମାନେ ନୀରଜଙ୍କ ବାୟୋଡାଟା ତ୍ରୁଟିକୁ ନେଇ ଦଳର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଖୋଲାଖୋଲି ବିରୋଧ ପ୍ରଦର୍ଶନ କରିଛନ୍ତି। ବଣ୍ଟିଙ୍କ ଗୋଷ୍ଠୀର ଅଭିଯୋଗ ହେଲା ଯେ, ଯେଉଁ ନେତା ନିଜର ବ୍ୟକ୍ତିଗତ ତଥ୍ୟକୁ ନେଇ ସ୍ୱଚ୍ଛ ଓ ସତ୍ୟବାଦୀ ନୁହଁନ୍ତି, ଦଳ ତାଙ୍କୁ କିପରି ଗୁରୁତ୍ୱ ଦେଉଛି ତାହା ଏକ ବଡ଼ ପ୍ରଶ୍ନ। ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ବିଜେପି ସଙ୍ଗଠନ ଭିତରେ ଦୁଇ ଗୋଷ୍ଠୀ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।

 

ବାଙ୍କୀପୁର ଆସନ ବିଜେପି ପାଇଁ ଏକ ଅତ୍ୟନ୍ତ ସମ୍ମାନଜନକ ତଥା ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥିବା ବେଳେ ଏଭଳି ସମୟରେ ନୀରଜ କୁମାର ସିହ୍ନା ଏବଂ ଅଭିଷେକ ବଣ୍ଟିଙ୍କ ମଧ୍ୟରେ ଲାଗିଥିବା ଏହି ଶୀତଳ ଯୁଦ୍ଧ ଦଳୀୟ ହାଇକମାଣ୍ଡଙ୍କ ଚିନ୍ତା ବଢ଼ାଇଦେଇଛି। ସାଧାରଣ ଲୋକଙ୍କ ମଧ୍ୟରେ ଦଳର ଭାବମୂର୍ତ୍ତି ଯେପରି କ୍ଷୁଣ୍ଣ ନହୁଏ, ସେଥିପାଇଁ ଶୀର୍ଷ ନେତୃତ୍ୱ କି ପଦକ୍ଷେପ ନେବେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

 

ଉଲ୍ଲେଖଯୋଗ୍ୟ, ବିଜେପିର ରାଷ୍ଟ୍ରିୟ ସଭାପତି ନୀତିନ ନବୀନ ରାଜ୍ୟସଭାକୁ ଯିବାରୁ ସେ ତାଙ୍କ ଆସନ ଖାଲି କରିଥିଲେ। ଏହାପରେ ଉପନିର୍ବାଚନ ହେଉଛି। କିନ୍ତୁ ନିଜ ଏରିଆରେ ଏଯାବତ ପ୍ରାର୍ଥୀଙ୍କୁ ନେଇ ଦଳ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ପରିବର୍ତ୍ତନ କରିବା ଦଳକୁ ଅଡୁଆରେ ପକାଇଛି।

Leave A Reply

Your email address will not be published.