Latest Odisha News

BREAKING NEWS

କଟକରେ ବିଜେପିର ବିକ୍ଷୋଭ, ଜୋର୍ ଧରିଲା ମନ୍ତ୍ରୀଙ୍କ ଗିରଫ ଦାବି

କଟକ : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ପ୍ରିନ୍ସିପାଲ ମମିତା ମେହେର ମୃତ୍ୟୁ ଘଟଣାରେ ତୀବ୍ର ହେଲା ବିରୋଧ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି । ତେବେ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଦର୍ଶାଇ ବିରୋଧ କରିଛି କଟକ ନଗର ବିଜେପି । ବାଦାମବାଡି ଟ୍ରାଫିକ ଛକରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ଏବଂ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁଳିକା ଦାହ କରାଯାଇଛି ।

ନଗର ବିଜେପି ଅଭିଯୋଗ କରିଛି ଯେ, ମହାଲିଙ୍ଗ କଲେଜକୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ବାରମ୍ବାର କଣ ପାଇଁ ଯାଉଥିଲେ । ତେଣୁ ଏହାର ତଦନ୍ତ ଦାବି କରିଛି ବିଜେପି । ଘଟଣାରେ ଅନ୍ୟ କେତେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଦଳ ଅଭିଯୋଗ କରିଛି । ତେଣୁ ଘଟଣାର ସିବିଆଇ ତଦନ୍ତ କରାଗଲେ ଆହୁରି ସତ୍ୟାସତ୍ୟ ପଦାକୁ ଆସିବ । ରାଜ୍ୟରେ ଅପରାଧ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ, ମୁଖ୍ୟମନ୍ତ୍ରୀ କଣ ପାଇଁ ଚୁପ୍ ବୋଲି ଦଳ ପ୍ରଶ୍ନ କରିଛି । ନଗର ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ, ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି, ବିଶ୍ବରଞ୍ଜନ ମିଶ୍ର, ସବ୍ୟସାଚୀ ମହାପାତ୍ର, ସୁବାସ ମହାନ୍ତି ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.