Latest Odisha News

‘ପରାଜୟ ଭୟରେ ହିଂସାକାଣ୍ଡ କରୁଛି ବିଜେଡି, ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ’

ଭୁବନେଶ୍ୱର: ନିର୍ବାଚନ ହାରିବା ସୁନିଶ୍ଚିତ ଜାଣିବା ପରେ ବିଜେଡି ରକ୍ତମୁଖା ହୋଇପଡିଛି । ରାଜ୍ୟରେ ହିଂସାର ବାତାବରଣ ସୃଷ୍ଟି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରୁଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ସେ ଆହୁରି କହିଛନ୍ତି, ଗୁରୁବାର ଅପରାହ୍ନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଅନ୍ତର୍ଗତ ଧାମରା ଅଞ୍ଚଳର କାଞ୍ଜିଆମାଳ ପଞ୍ଚାୟତ ଧାନକୁଟା ଗାଁରେ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପ୍ରଧାନ ଓ ଅନ୍ୟମାନେ ପ୍ରଚାର ପତ୍ର ଧରି ଗୃହ ସମ୍ପର୍କ କରୁଥିବାବେଳେ ସ୍ଥାନୀୟ ବିଜେଡି ଗୁଣ୍ଡାମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଆଜି ସେହି ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଉତ୍ତରାଧିକାରୀ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୁଣ୍ଡା ଓ ବାହାରୁ ଭଡାରେ ଆସିଥିବା ପେଶାଦାର ଅପରାଧୀମାନେ ବିଜେପିର ଯୁବ କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

ଗତ ୪ଦିନ ତଳେ ଗଞ୍ଜାମ ଜିଲ୍ଲା ସଭାପତି ଡ. ସୁବାଷ ସାହୁ ଓ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ସେହି ଚାନ୍ଦବାଲିରେ ବିଜେଡିର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିବା ସହ ଗାଡିକୁ ଭାଙ୍ଗି ଦେଇଥିଲେ । ପରାଜୟର ଭୟରେ ରାଜ୍ୟରୁ ଯାଇଥିବା ବିଜେଡିର ବଡପଣ୍ଡାମାନେ ଏଭଳି ଅନୈତିକ ଓ ହିଂସାକାଣ୍ଡ ଭିଆଉଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଯେଉଁମାନେ ଏଭଳି ହିଂସାକାଣ୍ଡ ଭିଆଇଛନ୍ତି ଓ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାମଲ ଦାବି କରିଛନ୍ତି ।

Comments are closed.