Latest Odisha News

‘ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ’

ଭୁବନେଶ୍ୱର: ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଛି ବିଜେପି । କଂଗ୍ରେସ ଓ ବିଜେଡି ଉଭୟ ଶାସନ କ୍ଷମତାରେ ଥିବା ସମୟରେ ଏମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା କହିଛନ୍ତି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର । ସେ ଆହୁରି କହିଛନ୍ତି ଯେ, ବିଜେପି ସରକାରରେ ଓଡିଶାରେ ସାମାଜିକ ନ୍ୟାୟ ସ୍ଥାପନା ହୋଇଛି, ଏହାକୁ କଂଗ୍ରେସ ଓ ବିଜେଡି ହଜମ କରିପାରୁ ନାହାଁନ୍ତି ।

ସେ ଆହୁରି କହିଛନ୍ତି, ଗଣମାଧ୍ୟମରେ ଚର୍ଚ୍ଚା ଓ ଶିରୋନାମାରେ ରହିବା ପାଇଁ ଓଡ଼ିଶା ବିଧାନସଭାରେ ବିଜେଡି ଓ କଂଗ୍ରେସ ଉଭୟ “ଦୌରାତ୍ମ” ଦେଖାଉଛନ୍ତି । ବିଧାନସଭାରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ନହେଉ, ସେ ନେଇ ବିଜେଡି ଓ କଂଗ୍ରେସ ଅପଚେଷ୍ଟା କରୁଛି । ଏବେ “ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ” । ଯେତେବେଳେ ଜନଗଣନା ହେବ ସେତେବେଳେ ଜାତି ଜନଗଣନା ପ୍ରସଙ୍ଗ ଉଠାଇବା ଯଥାର୍ଥ ହୋଇପାରେ । ଏବେ ଅଯଥାରେ ଜାତି ଜନଗଣନା ପ୍ରସଙ୍ଗରେ ବିଧାନସଭାକୁ ବନ୍ଦ କରୁଛି କଂଗ୍ରେସ ।

ଜଣେ ଆଦିବାସୀ ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେଡି ଓ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହିଁ । ଓଡ଼ିଶାରେ ଆଦିବାସୀ, ଦଳିତ ୩୮ ପ୍ରତିଶତ ଓ ଓବିସି ୫୨ ପ୍ରତିଶତ ଅଛନ୍ତି । ଏ ସମସ୍ତଙ୍କୁ ନ୍ୟାୟ ଦେବାରେ ସମର୍ଥ ହୋଇଛି ବିଜେପି ବୋଲି ମନୋଜ ମହାପାତ୍ର କହିଛନ୍ତି ।

ବିଜେପି ସରକାର ଗଠନରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିବାବେଳେ ଅତୀତରେ କଂଗ୍ରେସ ଓ ବିଜେଡି ଓବିସି, ଏସି,ଏସ୍‌ଟିଙ୍କୁ ଆଦୌ ପ୍ରାଧାନ୍ୟ ଦେଇନଥିବାର ନଜିର ରହିଛି । “କଂଗ୍ରେସ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବାର” ଅପଚେଷ୍ଟା କରୁଥିବା ବିଜେଡି ଆଦିବାସୀମାନଙ୍କ ଜମି ହଡପ କରିବା ପାଇଁ ଜଘନ୍ୟ ଷଡଯନ୍ତ୍ର କରିଥିଲା ।

ଠିକ୍ ସେହିପରିଭାବେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ବିଭାଗ ପାଇଁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଟିଏ ମଧ୍ୟ ଦେଇନଥିଲେ । ସଂରକ୍ଷଣ ପାଇଁ କୁମ୍ଭୀର କାନ୍ଧଣା କାନ୍ଦୁଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦଳର ସଭାପତି ଓ ବିରୋଧୀ ଦଳ ନେତା ୨ଟି ପଦକୁ ମାଡି ବସିଛନ୍ତି । ବିଜେଡି ଓ ନବୀନ ବାବୁ ଯଦି ସାମାଜିକ ନ୍ୟାୟରେ ବିଶ୍ୱାସ ରଖୁଥାନ୍ତି ତେବେ ଏ ଦୁଇଟି ପଦରୁ ଗୋଟିଏ ପଦବୀ ଅନୁସୂଚିତ ଜାତି, ଜନଜାତି କିମ୍ବା ପଛୁଆ ବର୍ଗଙ୍କୁ ଦେଇ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Comments are closed.