ନୂଆଦିଲ୍ଲୀ: ଦିଲ୍ଲୀରେ ଫୁଟିବ ପଦ୍ମ ! ଅଧିକାଂଶ ଏକଜିଟ୍ ପୋଲ ଏନେଇ ସଂକେତ ଦେଇଛନ୍ତି । କେବଳ ଓ୍ବି ପ୍ରିଜାଇଡ୍ ସର୍ଭେ ହିଁ ଆପ୍ ପୁଣି କ୍ଷମତାକୁ ଆସିବା ନେଇ ଆକଳନ କରିଛି । ଏକଜିଟ୍ ପୋଲ ସତ ନହେଲେ ମଧ୍ୟ ଏକଥା ସତ ଯେ, ଦିଲ୍ଲୀରେ ଆପ୍ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ଲଗାତର ଚତୁର୍ଥ ଥର ପାଇଁ ଦିଲ୍ଲୀରେ ନିର୍ବାଚନ ଲଢୁଛି ଆପ୍ । ୧୦ବର୍ଷରୁ ଅଧିକ ସମୟ ଧରି ଦଳ କ୍ଷମତାରେ ରହିଛି । ତେବେ ଦିଲ୍ଲୀରେ ଆପର ପକଡ୍ ଦୁର୍ବଳ ହେବା ସହ ହରିୟାଣା ଓ ମହାରାଷ୍ଟ୍ର ପରେ ବିଜେପିକୁ ବଡ ବୁଷ୍ଟ ମିଳିପାରେ ବୋଲି ଆକଳନ କରାଯାଉଛି ।
କେତେ ସତ ହୋଇଛି ପୂର୍ବ ଆକଳନ?
୨୦୧୩ରେ ନିର୍ବାଚନ ରାଜନୀତିରେ ଏଣ୍ଟ୍ରି କରିଥିଲା ଆପ୍ । ୨୦୧୫ ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ଅଧିକାଂଶ ଏକଜିଟ୍ ପୋଲ ସର୍ଭେ ଭୁଲ୍ ପ୍ରମାଣିତ ହୋଇଥିଲା । ଆପକୁ ସର୍ବାଧିକ ୫୩ ସିଟ୍ ଦେଇଥିଲା ଆକ୍ସିସ୍ ଇଣ୍ଡିଆ ସର୍ଭେ । ଅନ୍ୟ ସଂସ୍ଥାର ସର୍ଭେ ଆହୁରି କମ୍ ସିଟ୍ ଆକଳନ କରିଥିଲେ । ତେବେ ୬୭ଟି ସିଟ୍ ଜିତି ଚମକାଇଥିଲା ଆପ୍ । ତେବେ ୨୦୨୦ରେ ଆପ୍ ପୁଣି କ୍ଷମତାକୁ ଫେରିବା ନେଇ ଏକଜିଟ୍ ପୋଲରେ ଆକଳନ କରାଯାଇଥିଲା । ଆଉ ଆକଳନ ସତ ବି ହୋଇଥିଲା । ହେଲେ ୨୦୨୫ରେ ଦିଲ୍ଲୀ ବିଧାନସଭାର ଅଧିକାଂଶ ସିଟରେ ବିଜେପି ଓ ଆପ୍ ମଧ୍ୟରେ ସିଧାସଳଖ ଟକ୍କର ହେଉଛି । ତେଣୁ ଏକଜିଟ୍ ପୋଲ ସର୍ଭେ ଆକଳନ ଓ ନିର୍ବାଚନ ଫଳାଫଳ ଅଲଗା ହୋଇପାରେ ବୋଲି କୁହାଯାଉଛି । କାରଣ ଦିଲ୍ଲୀରେ କିଛି ବି ହୋଇପାରେ ।
ମାଇକ୍ରୋ ମ୍ୟାନେଜମେଣ୍ଟ ମାଷ୍ଟରଷ୍ଟ୍ରୋକ୍ !
ଦିଲ୍ଲୀର ତୃଣମୂଳସ୍ତରରେ ସୁଦୃଢ ସଂଗଠନ ହେଉଛି ଆମ ଆଦମୀ ପାର୍ଟିର ସବୁଠୁ ବଡ ବଳ । ୨୦୨୦ରେ ଦିଲ୍ଲୀର ୧୩ହଜାର ପୋଲିଂ ବୁଥରେ ୧୮ଲକ୍ଷରୁ ଅଧିକ ଭୋଟ୍ ପାଇଥିଲା ଆପ୍ । ଏଥର ବୁଥସ୍ତରରୁ ହିଁ ସଂଗଠନ ସଜାଡିବା ଉପରେ ଗୁରୁତ୍ବ ଦେଇଥିଲା ବିଜେପି । ବୁଥସ୍ତରର କର୍ମକର୍ତ୍ତାଙ୍କ ସହ ନମୋ ଆପରେ ସିଧାସଳଖ ଯୋଗାଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେରା ବୁଥ୍ ସବସେ ମଜବୁତ କାର୍ଯ୍ୟକ୍ରମରେ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦି । ଦିଲ୍ଲୀରେ ଆପ୍ ସହ ଭୋଟ୍ ବ୍ୟବଧାନ କମାଇବା ଉପରେ ଦଳ ଗୁରୁତ୍ବ ଦେଇଛି ।
ଆପକୁ ହରାଇବାକୁ ବର୍ଷେ ତଳୁ ପ୍ଲାନିଂ
ଦିଲ୍ଲୀରେ କ୍ଷମତାକୁ ଆସିବାକୁ ବର୍ଷେ ତଳୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଆପର ବରିଷ୍ଠ ନେତା କେବେ ତିହାର ଜେଲରୁ ବାହାରିବେ, ତାକୁ ଆପ୍ କର୍ମକର୍ତ୍ତା ଅପେକ୍ଷା କରିଥିବା ବେଳେ ମାଇକ୍ରୋ ମ୍ୟାନେଜମେଣ୍ଟରେ ଲାଗିଥିଲା ବିଜେପି । ପ୍ରତି ବୁଥରେ ଆପ୍ ସହ ରହିଥିବା ପୂର୍ବ ଭୋଟ୍ ବ୍ୟବଧାନ କମାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବିଜେପି ନେତା । ଅରବିନ୍ଦ କେଜ୍ରିଓ୍ବାଲ, ମନୀଷ ସିସୋଦିଆଙ୍କ ପରି ବରିଷ୍ଠ ନେତା ଜେଲରେ ରହିଥିବାରୁ ଗ୍ରାଉଣ୍ଡରେ ପହଞ୍ଚି ପାରିନଥିଲେ । ଆଉ ଏହାର ସୁଯୋଗ ନେଇଥିଲା ବିଜେପି । ଦଳର କର୍ମକର୍ତ୍ତା ବୁଥସ୍ତରରେ ପହଞ୍ଚି ବିଜେପିକୁ ମଜବୁତ କରିଥିଲେ ତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବା ଆରଏସଏସ ୫୦ହଜାରରୁ ଅଧିକ ଡ୍ରଇଂରୁମ୍ ମିଟିଂ ଦ୍ବାରା ଲୋକଙ୍କ ପାଖରେ ପହଞ୍ଚିଥିଲା ।
ଖେଳ ବଦଳାଇବେ ମଧ୍ୟବିତ୍ତ !
ଦିଲ୍ଲୀ ଜନସଂଖ୍ୟାର ବଡ଼ ଭାଗ ମଧ୍ୟବିତ୍ତ ହୋଇଥିବା ବେଳେ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଆୟକର ନିଷ୍ପତ୍ତି ବିଜେପି ସପକ୍ଷରେ ଯାଇପାରେ। ଦିଲ୍ଲୀର ୧୫ଲକ୍ଷ କରଦାତାଙ୍କ ମଧ୍ୟରୁ ୬ଲକ୍ଷ ଆୟକରର ନୂଆ ବ୍ୟବସ୍ଥାରୁ ଲାଭ ପାଇବେ । ଏମାନଙ୍କ ମଧ୍ୟରେ ରହିଛନ୍ତି ୪ଲକ୍ଷ ସରକାରୀ କର୍ମଚାରୀ । ତେଣୁ ମଧ୍ୟବିତ୍ତ ବିଜେପି ଆଡକୁ ଢଳିଥିଲେ ଫଳାଫଳ ବିଜେପି ସପକ୍ଷରେ ହୋଇପାରେ । ଏହାସହ ଦିଲ୍ଲୀରେ ଅନେକ ମାଗଣା ଯୋଜନା ନେଇ ଘୋଷଣା କରିଛି ବିଜେପି । ଦଳିତ ଭୋଟ୍ ବିଭାଜନ କରିବା ସହ ନିଜର କୋର୍ ଭୋଟବ୍ୟାଙ୍କ ବଣିଆ, ପଞ୍ଜାବୀ ଓ ଶିଖ ଭୋଟରଙ୍କୁ ନିଜ ସପକ୍ଷକୁ ନେବାକୁ ଉଦ୍ୟମ କରିଛି । ତେବେ ଆପର ତୃଣମୂଳସ୍ତରରେ ଉପସ୍ଥିତି ସହ ସଂଗଠନ ଭଲ ରହିଥିବା ବେଳେ ଏକଜିଟ୍ ପୋଲ ଫଳାଫଳ ବଦଳିପାରେ ବୋଲି କିଛି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି ।
Comments are closed.