Latest Odisha News

BREAKING NEWS

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେତେ ରୋଗୀ, କେତେ ଖର୍ଚ୍ଚ..ଶ୍ୱେତପତ୍ର ଜାରି କର-ବିଜେପି

ଭୁବନେଶ୍ୱର:ରାସ୍ତାଘାଟରେ ଗର୍ଭବତୀଙ୍କ ସନ୍ତାନ ପ୍ରସବ, ଆାମ୍ବୁଲାନ୍ସ ନ ଥିବାରୁ ରୋଗୀ ଅଟୋ ଓ ଖଟରେ ବୁହାହେବ, ଶବକୁ ଟ୍ରଲି, ସାଇକେଲରେ ଘରକୁ ନେବା ଏସବୁ ନିତିଦିନିଆ ଘଟଣା  ହୋଇପଡିଲାଣି । ହେଲେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଆତ୍ମବିଭୋର ହେଉଛନ୍ତି । ଓଡିଶାରେ ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ଜଳଜଳ ଦିଶୁଥିବାବେଳେ ସ୍ୱାସ୍ଥ୍ୟ ବୀମା ନାଁରେ ବିଜେଡି ସରକାର ବାହାବା ନେଉଛନ୍ତି । ଏହା ଯେତକି ହସ୍ୟାସ୍ପଦ ସେତିକି ଦୁଃଖଦାୟକ । ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ ।

ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପ୍ରେସ୍ ବାର୍ତା ଜରିଆରେ ଶ୍ରୀମତୀ ସାହୁ କହିଛନ୍ତି , ଗତ ୨୦୧୮ ମସିହା ଅଗଷ୍ଟ ମାସରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ପରେ ପରବର୍ତୀ ସମୟରେ ବିଜୁ ସ୍ମାର୍ଟ କାର୍ଡ ବାଂଟିଥିଲେ । ଏଥିରେ ରାଜ୍ୟର ୭୦ଲକ୍ଷ ପରିବାର ଅର୍ଥାତ୍ ୩କୋଟି ୫୦ଲକ୍ଷ ଲୋକ ଉପକୃତ ହେବେ ବୋଲି ସରକାର ଯୁକ୍ତି ବାଢିଥିଲେ । କିନ୍ତୁ ଯୋଜନାର ୫ବର୍ଷ ପରେ ସରକାରଙ୍କ ତରଫରୁ କୁହାଗଲା ଯେ, ଏପର୍ଯ୍ୟନ୍ତ ୬୦ଲକ୍ଷ ପରିବାର ଏ ଯୋଜନାରେ ଉପକୃତ ହେଉଛନ୍ତି ଓ ରାଜ୍ୟ ସରକାର ମାସକୁ ୨୦୦କୋଟି ଟଙ୍କା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖର୍ଚ୍ଚ କରୁଛନ୍ତି ବୋଲି ଯାହା ପ୍ରଚାର କରୁଛନ୍ତି ତାହା ଡାହା ମିଛ ।

ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ୨୮ଲକ୍ଷ ଓଡିଶାବାସୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେଉଥିଲେ ଏବଂ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତେଣୁ ସରକାର ମାସକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ୨୦୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଯୁକ୍ତି ବାଢୁଛନ୍ତି ତାହାର ଏକ ଶ୍ୱେତପତ୍ର ଜାରି କରନ୍ତୁ ।

କେତେ ରୋଗୀ, କେଉଁ କେଉଁ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ଓ ଏହା ବାବଦରେ କେଉଁ କେଉଁ ବେସରକାରୀ ହସ୍ପିଟାଲକୁ କେତେ ଟଙ୍କା ଦିଆଯାଇଛି ଜିଲ୍ଲା ୱାରୀ ତଥ୍ୟ ପ୍ରଦାନ କରନ୍ତୁ । କାରଣ କିଛି ଦିନ ତଳେ ଦୁଇଟି ବେସରକାରୀ ହସ୍ପିଟାଲ କିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସେବା ପ୍ରଦାନ କରି ଜାଲି ବିଲ୍ ପୈଠ କରି ଅର୍ଥ ହଡପ କରିଥିଲେ ତାହା ମଧ୍ୟ ସାମ୍ନାକୁ ଆସିଥିଲା । ତେଣୁ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ଯେ, ରାଜ୍ୟ ସରକାର ଓ ବେସରକାରୀ ହସ୍ପିଟାଲ ଭିତରେ ମଧୁଚନ୍ଦ୍ରିକା ରହିବା ସହିତ ଉକ୍ତ ଯୋଜନା ଦୁର୍ନୀତିର ଗନ୍ତାଘର ସାଜିଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

ରାଜ୍ୟ ସରକାର ୨୦୧୮ ମସିହାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୦୮ଟି ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବିଧାନସଭା ତଥ୍ୟ ଅନୁଯାୟୀ ୧୮୩ଟି ବେସରକାରୀ ହସ୍ପିଟାଲରେ ଚିକିତ୍ସା ଉପଲବ୍ଧ ବୋଲି ଜଣାପଡିଥିଲା । ରାଜ୍ୟ ଗ୍ରାମାଂଚଳର ପ୍ରାୟ ୩୩.୪୫ପ୍ରତିଶତ, ପ୍ରାୟ ୨୫ଲକ୍ଷ ଓଡିଆ ଲୋକ ବାହାରକୁ ଯାଇ କାମଧନ୍ଦା କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ରାଜ୍ୟ ଭିତରେ ବାସ କରୁଥିବା ଓଡିଆ ମାନେ ଉପକୃତ ହେଉଥିବା ବେଳେ ରାଜ୍ୟ ବାହାରେ ସେମାନଙ୍କୁ କୌଣସି ମାଗଣା ଚିକିତ୍ସା ସୁବିଧା ମିଳୁନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

ସାଧାରଣ ଗରିବ ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆତ୍ମବଡିମା, ଆତ୍ମପ୍ରଚାର, ଅହଂକାର ଓ ହୀନ ରାଜନୀତି ପାଇଁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାଁନ୍ତି । ଯାହାଫଳରେ ଓଡିଶାର ଜନସାଧାରଣ ଆୟୁଷ୍ମାନ ଭାରତ ଯୋଜନାରୁ ବଂଚିତ ହେବା ସହିତ ଓଡିଶା ବାହାରେ କାମ କରୁଥିବା ପ୍ରାୟ ୨୫ଲକ୍ଷ ଓଡିଆ ଏହି ଯୋଜନାର ସୁଫଳ ପାଇପାରୁନାହାଁନ୍ତି । ସେତିକି ନୁହେଁ, ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବା ଦ୍ୱାରା ଓଡିଶା ଭଳି ଏକ ଗରିବ ରାଜ୍ୟ ମାସକୁ ପ୍ରାୟ ୫୦କୋଟି, ବର୍ଷକୁ ପ୍ରାୟ ୬୦୦କୋଟି ହରାଇବା ବିଡମ୍ବନାର ବିଷୟ । ତେଣୁ ରାଜ୍ୟ ସରକାର ଗରୀବ ଓଡିଆଙ୍କ ସ୍ୱାର୍ଥ ପାଇଁ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଶ୍ରୀମତୀ ସାହୁ ଦାବି କରିଛନ୍ତି ।

Leave A Reply

Your email address will not be published.