Latest Odisha News

ରାଜ୍ୟ ସରକାରଙ୍କୁ ହିସାବ ମାଗିଲା ବିଜେପି: କୁଆଡେ ଗଲା ବିପର୍ଯ୍ୟୟ ପରିଚାଳନା ପାଇଁ ଆସିଥିବା ୧୨୧୫ କୋଟି ?

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା ପାଇଁ ଗତ ୧୨ ବର୍ଷରେ ରାଜ୍ୟର ୧୫ଟି ବିଭାଗକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ତାର ଖର୍ଚ୍ଚ କାହିଁକି ଦେଉନାହାନ୍ତି ରାଜ୍ୟ ସରକାର ? କାହିଁକି ପଇଠ କରି ନାହାନ୍ତି ୟୁସି ? ୧୨୧୫.୭୧ କୋଟି ଟଙ୍କାର ହିସାବ ମିଳୁନି ?  କୁଆଡେ ଗଲା ଏତେ ଟଙ୍କା ?  ଏତେ ଟଙ୍କା ହେରଫେର କରାଯାଇନି ତ ? ଯଦି ହୋଇଛି ତାହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରିଛି  ବିଜେପିି ।

ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର  କହିଛନ୍ତି,  ବାତ୍ୟା, ବନ୍ୟା ଭଳି ବିଭିନ୍ନ ପ୍ରାକୃତିକ ଦୁର୍ବିପାକରେ ଓଡିଶା  ବାରମ୍ବାର ଶିକାର ହେଉଛି । ଏଥିରୁ ବଂଚିବା ପାଇଁ ଏବଂ କ୍ଷୟକ୍ଷତି ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରକୁ ଯଥେଷ୍ଟ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ବିଶେଷ ଭାବେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ହାତ ଖୋଲି ଆର୍ଥିକ ସହାୟତା କରିଛନ୍ତି।

ମହାପାତ୍ର ବିଭିନ୍ନ ବିଭାଗକୁ ଆସିଥିବା ଅନୁଦାନର ହିସାବ ଦେଇ କହିଛନ୍ତି,  ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ୨୦୪୪.୭୮ କୋଟି ଟଙ୍କା ଆସିଥିବାବେଳେ ୪୩୩.୪୨ କୋଟି ଟଙ୍କାର ହିସାବ ମିଳୁନାହିଁ । ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗକୁ ଆସିଥିବା ୧୬୧୫.୫୧ କୋଟିରୁ ୩୩୬.୪୪ କୋଟି ଟଙ୍କା; ଶକ୍ତି ବିଭାଗର ୧୧୬୫.୧୯ କୋଟିରୁ ୧୯୭.୯୫ କୋଟି ଟଙ୍କା; ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ୨୨୫.୨୫ କୋଟିରୁ ୧୫୬.୬୦କୋଟି ଟଙ୍କାର ହିସାବ ମିଳୁନାହିଁ ।

ସେହିପରି ଗୃହ ବିଭାଗର ୨୩.୮୦କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ୨୨.୪୦ କୋଟି, ଜଳସଂପଦ ବିଭାଗର ୨୧.୭୯ କୋଟି ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗର ୨୨.୫୦ ଲକ୍ଷ ଟଙ୍କାର ହିସାବ ମିଳୁନାହିଁ । ଏଥିରୁ ଏକ ବଡ ଧରଣର ଆର୍ଥିକ ହେରଫେରର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ବାରମ୍ବାର ତାଗିଦ୍ ପରେ ରାଜ୍ୟ ସରକାରଙ୍କ ଚେତା ଉଡିଯାଇଛି । ବର୍ତ୍ତମାନ ଚଂଚକତା କରାଯାଇ ଆର୍ଥିକ ହେରାଫେରିକୁ ରଫାଦଫା କରାଯିବାର ପ୍ରୟାସ ଆରମ୍ଭ ହୋଇଛି । ବର୍ତମାନ ଏସଆରସି ସମସ୍ତ ବିଭାଗକୁ ୟୁସି ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇ ପରୋକ୍ଷରେ ମିଛ ବିଲ୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାଶ ହେବା ଉଚିତ୍ ଏବଂ ଏହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ମଧ୍ୟ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Comments are closed.