Latest Odisha News

ମୁକ୍ତି ପାଇଁ ଆବେଗଭରା ଚିଠି ଲେଖିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ: ମୁକ୍ତି ପାଇଁ ଚିଠି ଲେଖିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଟି ସୁଥେନ୍ଥିରରାଜ ଓରଫ ସନ୍ଥନ । ସେ ଏକ ଆବେଗଭରା ଚିଠି ଲେଖି ତାଙ୍କର ମୁକ୍ତି ପାଇଁ ନିବେଦନ କରିଛନ୍ତି । ସେ ଚିଠିରେ ତାଙ୍କ ଜେଲ ଜୀବନର ଦୁର୍ଦ୍ଦଶା ବିଷୟରେ ଉଲ୍ଲେଖ କରିଛନ୍ତି ।  ସେ ଲେଖିଛନ୍ତି, ସ୍ୱତନ୍ତ୍ର କ୍ୟାମ୍ପରେ ସେ ସ୍ୱାଧୀନ କଏଦୀ ଭାବେ ଅଛନ୍ତି ସତ । ହେଲେ ଏଠାରେ ତାଙ୍କ ଦେହରେ ସୂର୍ଯ୍ୟକିରଣ ବାଜୁନି । ଏ ନେଇ ସାରା ବିଶ୍ୱର ତାମିଲମାନଙ୍କୁ ସ୍ୱର ଉଠାଇବାକୁ କହିଛନ୍ତି  । ଯାହାଫଳରେ ସେ ଏଥିରୁ ମୁକ୍ତି ପାଇ ନିଜ ଘରକୁ ଫେରିପାଇବେ ବୋଲି କହିଛନ୍ତି ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭ ଜଣ ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି  ଶ୍ରୀଲଙ୍କା ନାଗରିକ  ସନ୍ଥନ ।  ଦୀର୍ଘ ବର୍ଷ ଧରି ସେ ନିଜ ଅପରାଧର ସଜା କାଟୁଛନ୍ତି । ତେବେ ୨୦୨୨ ନଭେମ୍ବର ୧୧ ତାରିଖରେ ସୁପ୍ରିମ କୋର୍ଟ ରାଜୀବ ଗାନ୍ଧୀ ହତ୍ୟା ଘଟଣାର ସମସ୍ତ ଅଭିଯୁ୍କ୍ତଙ୍କୁ ଛାଡି ଦେବାପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ତଥାପି ସେ ମୁରଗାଓ, ରୋବର୍ଟ ପୟାସ ଏବଂ ଜୟକୁମାରଙ୍କ ସହ ତ୍ରିଚି ସେଣ୍ଟ୍ରାଲ ପିଜନ କ୍ୟାମ୍ପରେ  ରହୁଛନ୍ତି   । ତାଙ୍କ ସହ ରହୁଥିବା ନଳିନୀ ଏବଂ ରବିଚନ୍ଦ୍ରନଙ୍କୁ କୋର୍ଟ ନିର୍ଦ୍ଦେଶ ପାଇବାର ଦିନକ ପରେ ଛାଡ଼ି ଦିଆଯାଇଛି ଏବଂ ସେମାନେ ନିଜ ପରିବାର ପାଖରେ ରହିଛନ୍ତି । ହେଲେ ଏମାନଙ୍କୁ ସ୍ପେଶାଲ କ୍ୟାମ୍ପରେ ରଖାଯାଇଛି । ଏମାନେ ଶ୍ରୀଲଙ୍କା ନାଗରିକ ବୋଲି ସେମାନଙ୍କୁ ଛଡା ଯାଇ ନ ଥିବା କହିଛନ୍ତି ସନ୍ଥନ । ସେ ତାଙ୍କ ମା’ଙ୍କୁ ୩୨ ବର୍ଷ ହେଲା ଦେଖିନାହାନ୍ତି । ଏପରିକି ତାଙ୍କୁ ଫୋନରେ କଥା ହେବାକୁ ଅନୁମତି ମିଳୁ ନ ଥିବା ସେ ଦୁଃଖର ସହ କହିଛନ୍ତି ।

ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ମନ୍ତ୍ରୀଙ୍କ  ଦୃଷ୍ଟି ଆକର୍ଷଣ କରି ମୁକ୍ତି ପାଇଁ ନିବେଦନ କରିଛନ୍ତି । ଏଥିସହ ତାଙ୍କୁ ଚେନ୍ନାଇସ୍ଥିତ ଶ୍ରୀଲଙ୍କା ଡେପୁଟି ହାଇକମିଶନ ଅଫିସକୁ ଯିବାପାଇଁ ସୁଯୋଗ ଦେବାକୁ କହିଛନ୍ତି ।

Leave A Reply

Your email address will not be published.