Latest Odisha News

BREAKING NEWS

ପୁରୀ ଏମାର ମଠ ପରିସରରେ ସିଂହ ମୂର୍ତ୍ତି ମିଳିବା ଘଟଣାରେ ପ୍ରଶ୍ନ କଲେ ସମ୍ବିତ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର : ପୁରୀ ଏମାର ମଠ ପରିସରରେ ସିଂହ ମୂର୍ତ୍ତି ମିଳିବା ଘଟଣାରେ ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ସିଧା ପ୍ରଶ୍ନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏଥିସହ ଉଦବେଗ ପ୍ରକାଶ କରି କହିଛନ୍ତି, ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ଇତିହାସକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ । ପୁରାତନ ଐତିହ୍ୟ ଓ ଇତିହାସକୁ ସୁରକ୍ଷିିତ ରଖି ନପାରିଲେ ଭବିଷ୍ୟତ ପୀଢ଼ି କେବେହେଲେ ଆମକୁ କ୍ଷମା କରିବେ ନାହିଁ । ଅନ୍ୟପଟେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଏହାର ଜବାବ ଦେଇଛନ୍ତି।

ସମ୍ବିତ ପାତ୍ର କହିଛନ୍ତି,  ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ଆରମ୍ଭ ହେବା ସମୟରେ ପୁରାତନ ଐତିହ୍ୟ ଧ୍ବଂସ ପାଇବାର ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି । ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଂଚଳ ଏବଂ ୨୦୦ ମିଟର ହେଉଛି ରେଗୁଲେଟେଡ ଅଞ୍ଚଳ । ଏହା ସତ୍ୱେ ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ନିଷିଦ୍ଧାଞ୍ଚଳ ବେନିୟମ ଭାବେ ଖନନ କରାଯିବା ଏବଂ ପରିଧି ଭିତରେ ଥିବା ଏମାର ମଠର ଭଗ୍ନବଶାଷ ସ୍ୱରୁପ ସିଂହ ମୂର୍ତ୍ତି ଭଗ୍ନ ଅବସ୍ଥାରେ ମିଳିବା ଚିନ୍ତାର ବିଷୟ । ଗଙ୍ଗ ରାଜତ୍ୱ ସମୟର ଏହି କୀର୍ତ୍ତିରାଜି କେବଳ ଏକ ଭଗ୍ନ ସିଂହ ପ୍ରତିମୂର୍ତ୍ତି ନୁହେଁ ବରଂ ଏହି ମୂର୍ତ୍ତି ହେଉଛି ଓଡ଼ିଆ ଜାତିର ପ୍ରତୀକ, ଇତିହାସ ଏବଂ ସ୍ୱାଭିମାନ । ବିନା ଅନୁମତିରେ କାର୍ଯ୍ୟ ହେଉଥିବାରୁ ଏଏସଆଇ ବାରମ୍ବାର ତାଗିଦ୍ କରିବା ସତ୍ୱେ ରାଜ୍ୟ ସରକାରଙ୍କ କଳାପାହାଡ ଆଚରଣ ଏବଂ ଜିଦଖୋର ମନୋଭାବ କାରଣରୁ ଭଗ୍ନସିଂହ ସ୍ୱରୁପ ଐତିହ୍ୟ କୀର୍ତ୍ତିରାଜି ଆଜି ଆମ ସମସ୍ତଙ୍କୁ ଐତିହ୍ୟ ଓ ଇତିହାସର ସୁରକ୍ଷାକୁ ନେଇ ପ୍ରଶ୍ନ କରୁଛି । ଐତିହ୍ୟ ଓ ଇତିହାସକୁ ରାଜ୍ୟ ସରକାର କାହିଁକି ସଂରକ୍ଷିତ ରଖିିବେ ନାହିଁ ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି ।

ସେହିପରି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ର କହିଛନ୍ତି ଯେ, ସତ କେବେହେଲେ ଲୁଚି ରହେ ନାହିଁ । ଶ୍ରୀମନ୍ଦିର ପରିକ୍ରମା ଅଂଚଳ ଖନନ କରାଯିବା ପୂର୍ବରୁ ଗ୍ରାଉଣ୍ଡ ପେନେଟ୍ରେଟିଂ ସଠିକ ସର୍ଭେ କାର୍ଯ୍ୟ କରିନଥିଲେ । ଏଭଳି ବେଆଇନ ଖନନ ଦ୍ୱାରା କଣ କଣ କ୍ଷତି ହେବ, ତାର ଅନୁସନ୍ଧାନ ହୋଇନଥିଲା । ଏପରିକି ଜିପିଆରଏସ ସର୍ଭେ ମଧ୍ୟ କରାଇନଥିଲେ । ଜେସିବି ଓ ବଡ ବଡ ମେସିନ ଦ୍ୱାରା ଖନନ କାର୍ଯ୍ୟ ହେବା କାରଣରୁ ବହୁ ପୁରାତନ ଅବଶେଷ କ୍ଷତି ହେବା ସହ ଧ୍ୱଂସ ପାଇଲା । ଏପରିକି ଖନନ ସମୟରେ ବାହାରିଥିବା ମାଟିକୁ ସଂଗ୍ରହ ନକରି ବିକ୍ରି କରିଦିଆଯାଇଛି ।

ମାଟି ତଳେ ଅନେକ କିର୍ତୀରାଜ ଓ ପ୍ରାଚୀନ ଧ୍ୱଂସାବଶେଷ ରହିଯାଇଥିବାବେଳେ ଜେସିବି ମେସିନ ସାହାଯ୍ୟରେ ମାଟି ଖୋଳିବା ଏବଂ ଇତିହାସ ଓ ଐତିହ୍ୟକୁ ନଷ୍ଟ କରିବା ଆମ ସମସ୍ତଙ୍କ ମନକୁ ଶକ୍ତ ଆଘାତ ଦେଇଛି । ବୈଜ୍ଞାନିକ ପଦ୍ଧତିକୁ ବାଦ୍ ଦେଇ ଏବଂ ବିନା ଅନୁମତିରେ ଖନନ କାର୍ଯ୍ୟ ହୋଇଥିବାରୁ ଆଜି ଏଭଳି ସ୍ଥିତି ଉପୁଜିଛି ବୋଲି ଡ.ପାତ୍ର କହିଛନ୍ତି ।

ତେବେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଏହାର ଜବାବ ରଖିବାକୁ ଯାଇ କହିଛନ୍ତି, ସମ୍ବିତ ପାତ୍ର ଯାହା କହିବେ ତାହା ବେଦର ଗାର ନୁହେଁ। ସରକାର ଠିକ୍ କାମ କରିଛନ୍ତି । ଯଦି ଚ୍ୟାଲେଞ୍ଜ ହୁଏ ସରକାର ଆଇନର ଲଢେଇ ଲଢ଼ିବାକୁ ପ୍ରସ୍ତୁତ। ତେବେ ଡିପିଆର ପ୍ରସଙ୍ଗକୁ ଗାଲେଇ ଦେଇଥିଲେ ବିଜେଡି ବିଧାୟକ ।

Leave A Reply

Your email address will not be published.