Latest Odisha News

BREAKING NEWS

ବିଜେପିକୁ କେରଳ ଝଟକା, ମିଳିଲା ମାତ୍ର ୫ ପ୍ରତିଶତ ଭୋଟ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ କେରଳରେ ବଡ଼ ଝଟକା ଲାଗିଛି। ଭାରତର ପ୍ରମୁଖ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ବଡ଼ ପରାଜୟ ପରେ କୌଣସି ଦକ୍ଷିଣ ରାଜ୍ୟରେ ଦଳର ସ୍ଥିତି ଭଲ ନାହିଁ। କିନ୍ତୁ ଅନ୍ୟତମ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାରେ ଦଳ ଭଲ ପ୍ରଦର୍ଶନ କରି କ୍ଷମତାକୁ ଆସିବାକୁ ଜୋରଦାର ଉଦ୍ୟମ କରୁଛି।

ଏଭଳି ସ୍ଥିତିରେ କିନ୍ତୁ କେରଳ ବିଜେପିକୁ ଏକ ବଡ଼ ଝଟକା ଦେଇଛି। କେରଳର ପୁଥୁପଲ୍ଲୀ ବିଧାନସଭା ଉପନିର୍ବାଚନରେ ବିଜେପିକୁ ଅତ୍ୟନ୍ତ ନୈରାଶ୍ୟଜନକ ଖବର ମିଳିଛି। ବିଜେପି ପ୍ରାର୍ଥୀ ତଥା କୋଟାୟମ ଜିଲ୍ଲା ସମ୍ପାଦକ ଜି ଲିଯିନ ଲାଲ ଉପନିର୍ବାଚନରେ ମାତ୍ର ପାଞ୍ଚ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି।

ସେପଟେ କିନ୍ତୁ ବିଜୟଲାଭ କରିଥିବା କଂଗ୍ରେସ ପ୍ରାର୍ଥୀ ଚାଣ୍ଡୀ ଓମେନଙ୍କୁ ୬୧ ପ୍ରତିଶତରୁ ଅଧିକ ଭୋଟ ମିଳିଥିବା ବେଳେ ସିପିଆଇଏମ ପ୍ରାର୍ଥୀ ଜାଇକ ସି ଥୋମାସଙ୍କୁ ୩୨ ପ୍ରତିଶତ ଭୋଟ ମିଳିଛି। ତେଣୁ ୨୦୧୧ ପରଠାରୁ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ଏହା ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ ବୋଲି କୁହାଯାଉଛି।

ଲାଲ ଉପନିର୍ବାଚନରେ ମାତ୍ର ଛଅ ହଜାର ୫୫୮ ଭୋଟ ପାଇଛନ୍ତି। ୨୦୨୧ ରେ ଏହି ନିର୍ବାଚନ ମଣ୍ଡଳୀରୁ ଦଳ ୧୧ ହଜାର ୬୯୪ ଭୋଟ ପାଇଥିଲା। ଦେଶରେ ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ ପରେ ଏହି ଉପନିର୍ବାଚନ ହୋଇଥିବା ବେଳେ କେରଳରେ ବିରୋଧୀ ମେଣ୍ଟରେ ଥିବା ସହଯୋଗୀ କଂଗ୍ରେସ ଓ ବାମପନ୍ଥୀ ମୁହାଁମୁହିଁ ହୋଇଥିଲେ। ଯାହାକୁ ବିଜେପି ଏକ ପ୍ରମୁଖ ନିର୍ବାଚନୀ ଅସ୍ତ୍ର କରିଥିଲା।

ପୁଥୁପଲ୍ଲୀରେ ନିଜର ଭୋଟ ହାର ବଢାଇବା ପାଇଁ ବିଜେପି ସଂଖ୍ୟାଲଘୁ ବର୍ଗଙ୍କୁ ଆଖି ଆଗରେ ରଖି ବହୁ କାର୍ଯ୍ୟକ୍ରମ କରିଥିଲା। କିନ୍ତୁ କିନ୍ତୁ ମଣିପୁରର ପ୍ରଭାବ ନିର୍ବାଚନ ଉପରେ ପଡିବାରୁ ଏହା ଫଳପ୍ରଦ ହୋଇପାରି ନ ଥିବା କୁହାଯାଉଛି।

ଏପରିକି କେରଳ ବାଚସ୍ପତି ଏ ଏନ ସମସିରଙ୍କ ଗଣେଶଙ୍କ ସମ୍ପର୍କିତ ଟିପ୍ପଣୀକୁ ସିପିଆଇଏମ ବିରୋଧରେ ନେଇ ବିଜେପି ପକ୍ଷରୁ ମାହୋଲ ତିଆରି କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଏହା କଂଗ୍ରେସକୁ ସହାୟକ ହୋଇଥିବା ଚର୍ଚ୍ଚା ହେଉଛି। ଏପରିକି ୨୦୧୯ ଲୋକସଭା ନିର୍ବାଚନରେ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସମ୍ପର୍କିତ ପ୍ରସଙ୍ଗ ନେଇ ସିପିଆଇମ ବିରୋଧୀ ହାୱା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ତାହା କଂଗ୍ରେସକୁ ସହାୟକ ହୋଇଥିଲା।

ଦଳର କେରଳ ପ୍ରଭାରୀ ପ୍ରକାଶ ଜାଭେଦକରଙ୍କ ନେତୃତ୍ୱରେ ବିଜେପି ଏକ ୧୭ ଜଣିଆ ଟିମ ଗଠନ କରିବା ସହ ଉପନିର୍ବାଚନ ପାଇଁ ପୁରା ଦମ ଲଗାଇ ଦେଇଥିଲା। ରାଜ୍ୟ ବିଜେପି ସହ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ରାଧା ମୋହନଦାସ ଅଗ୍ରୱାଲ ପୁଥୁପଲ୍ଲୀରେ କ୍ୟାମ୍ପ କରିଥିଲେ ଓ ବହୁ କେନ୍ଦ୍ରମନ୍ତ୍ରୀ ଦଳ ପାଇଁ ଜୋରଦାର ପ୍ରଚାର ମଧ୍ୟ କରିଥିଲେ।

ଏପରିକି ବିଜେପିକୁ ଯାଇ ଦଳର ଜାତୀୟ ସମ୍ପାଦକ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ କେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି ଜୋରଦାର ପ୍ରଚାର ମଧ୍ୟ କରିଥିଲେ। କିନ୍ତୁ କିଛି ଲାଭ ମିଳିବା ବଦଳରେ ଦଳର ପ୍ରଦର୍ଶନ ବହୁତ ଖରାପ ହେଲା।

୨୦୨୧ ବିଧାନସଭା ନିର୍ବାଚନରେ ପୁଥୁପଲ୍ଲୀରେ ବିଜେପି ପ୍ରାର୍ଥୀ ପାଖାପାଖି ୯ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୬ ରେ ଦଳ ସଂଖ୍ୟାଲଘୁ ପ୍ରାର୍ଥୀ ଛିଡା କରି ୧୨ ପ୍ରତିଶତ ଭୋଟ ହାତେଇବାକୁ ସକ୍ଷମ ହୋଇଥିଲା।

ଉପନିର୍ବାଚନ ଫଳାଫଳ ସରକାର ବିରୋଧୀ ହାୱାର ପ୍ରତିଫଳନ ବୋଲି କହିଛନ୍ତି କେରଳ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ ପରେ ସିଂପାଥି ଭୋଟ କଂଗ୍ରେସକୁ ମିଳିଥିବା କୁହାଯାଇଛି।

ସେପଟେ ଦେଶରେ ବିରୋଧୀ ମେଣ୍ଟ ଇଣ୍ଡିଆ ଭିତରେ ଥିବା ଦୁଇ ଦଳର ଲଢେଇ ଓ ତା ପରେ ବି କଂଗ୍ରେସ ପ୍ରାର୍ଥୀ ବହୁ ଭୋଟରେ ଜିତିବା ସହ ବିଜେପିର ଖରାପ ପ୍ରଦର୍ଶନ ଚର୍ଚ୍ଚାକୁ ବଢ଼ାଇ ଦେଇଛି।

Leave A Reply

Your email address will not be published.