ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ନିର୍ମିତ ନୂଆ କଲେଜଗୁଡ଼ିକର ଶିଳାନ୍ୟାସ କରିବାକୁ ଥିବା ବେଳେ ଏବେ ଏହି କଲେଜ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି କଂଗ୍ରେସ । ନୂଆ କଲେଜ ଗୁଡିକର ନାଁ ବୀର ସାଭରକରଙ୍କ ନାମରେ ନାମିତ କରାନଯାଇ ଏହାକୁ ଡ.ମନମୋହନ ସିଂ ନାଁରେ ନାମିତ କରିବାକୁ ଦାବି କରିଛି କଂଗ୍ରେସ । ଯାହାକୁ ନେଇ ଆରମ୍ଭ ହୋଇଛି ବିଜେପି କଂଗ୍ରେସ ବାକ୍ ଯୁଦ୍ଧ ।
ତେବେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପରିସରରେ ନିର୍ମିତ ହୋଇଥିବା ବୀର ସାଭରକର କଲେଜର ଆଜି ମୋଦି ଶିଳାନ୍ୟାସ କରିବେ । ଯାହାକୁ ନେଇ କଂଗ୍ରେସର ଛାତ୍ର ଶାଖା (ଏନଏସୟୁଆଇ) ଗତ ସପ୍ତାହରେ ଦେହାନ୍ତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମରେ ଏହି କଲେଜର ନାମକରଣ କରିବାକୁ ଦାବି କରିଛି । ଏନେଇ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (ଏନଏସୟୁଆଇ) ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି ଉକ୍ତ ଶିକ୍ଷା କ୍ଷେତ୍ରରେ ମନମୋହନ ସିଂହଙ୍କ ଅବଦାନ ଉପରେ ଆଲୋକପାତ କରିଛି । ଏତିସହିତ ମୋଦିଙ୍କୁ ଅନୁରୋଧ କରିଛି ଯେ ତାଙ୍କ ଐତିହ୍ୟକୁ ସମ୍ମାନ ଜଣାଇ କଲେଜର ନାଁକୁ ସାଭରକରଙ୍କ ନାମରେ ନାମିତ ନକରି ମନମୋହନଙ୍କ ନାଁରେ ନାମିତ କରାଯିବା ଉଚିତ୍ ।
ସେମାନଙ୍କ ଦେବି ଅନୁଯାୟୀ, ସ୍ବର୍ଗତଃ ମନମୋହନ ସିଂହ ଆଇଆଇଟି, ଆଇଆଇଏମ୍, ଏମ୍ସ ଭଳି ଅନେକ ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ ମଧ୍ୟ ପ୍ରଣୟନ କରିଥିଲେ । ତାଙ୍କ ନାମରେ ପ୍ରତିଷ୍ଠାନଗୁଡ଼ିକର ନାମକରଣ ଆଗାମୀ ପିଢ଼ିକୁ ପ୍ରେରଣା ଦେବ ଏବଂ ତାଙ୍କର ପରିବର୍ତ୍ତନକାରୀ ଦୃଷ୍ଟିକୋଣକୁ ଏହା ଯଥେଷ୍ଟ ସମ୍ମାନ ମଧ୍ୟ ପ୍ରଦାନ କରିବ । ଏନଏସୟୁଆଇ ଆହୁରି ମଧ୍ୟ କହିଛି, ଯାହାଙ୍କର ୧୯୯୧ ଅର୍ଥନୀତିରେ ଏକ ଯୁଗାନ୍ତକାରୀ ଅବଦାନ ରହିଛି ତାଙ୍କ ନାଁରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ମଧ୍ୟ ଦାବି କରିଛି ।
ଅନ୍ୟପଟେ କଂଗ୍ରେସ ସାଂସଦ ନାସିର ହୁସେନ ଏବଂ ସୁଖଜିନ୍ଦର ରନ୍ଧାୱା ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ବ୍ରିଟିଶମାନଙ୍କୁ ଦୟା ଆବେଦନ ଲେଖିଥିବା ବ୍ୟକ୍ତିଙ୍କୁ ବିଜେପି ପ୍ରଶଂସା କରିବାକୁ ସମାଲୋଚିତ କରିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀ ପୁଣି ଥରେ ଚିନ୍ତା କରିବା ଉଚିତ । ଯେଉଁ ବ୍ୟକ୍ତି ବ୍ରିଟିଶମାନଙ୍କୁ କ୍ଷମା ମାଗିଥିଲେ । ତାଙ୍କ ନାମରେ ଏକ କଲେଜର ନାମକରଣ କିପରି କରାଯାଇପାରିବ? ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ନେତା ।
ଯାହାକୁ କଡା ସମାଲୋଚନା କରିଛି ବିଜେପି । କଂଗ୍ରେସ ଏପରି କରି ପ୍ରତୀକାତ୍ମକ ବ୍ୟକ୍ତିତ୍ୱଙ୍କୁ ଅବମାନନା କରୁଥିବା ଅଭିଯୋଗ କରିଛି । ଏହାକୁ ନେଇ ବିଜେପି ନେତା ବୀରେନ୍ଦ୍ର ସଚଦେବ କହିଛନ୍ତି, କେବଳ କଂଗ୍ରେସ ଜାଣିଛି କେଉଁ ନେତାଙ୍କୁ ସେମାନେ ସମ୍ମାନ କରନ୍ତି । ବୀର ସାଭରକର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଯଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ତାଙ୍କ ସମ୍ମାନରେ ଏହାର କଲେଜର ନାମକରଣ କରୁଛି, ତେବେ ଆମେ ବିଜେପି ସ୍ବାଗତ କରୁଛି ।
Comments are closed.