Latest Odisha News

BREAKING NEWS

ନିର୍ବାଚନରେ ହାରିଥିବା ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ବିଜେପି, କାରଣ କ’ଣ ?

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପୁଷ୍କର ସିଂ ଧାମି ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ରହିଛି। ନିର୍ବାଚନ ପରେ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ମୀନାକ୍ଷୀ ଲେହି ଡେରାଡୁନରେ ବସିଥିବା ନିର୍ବାଚିତ ବିଧାୟକଙ୍କୁ ନେଇ ଏକ ବୈଠକ ବସିଥିଲା । ଏହି ବୈଠକରେ ଧାମିଙ୍କ ନାମ ଉପରେ ମୋହର ମରାଯାଇଛି। ଏହାପରେ ଉତ୍ତରାଖଣ୍ଡରେ ବିଜେପି ମାର୍ଚ୍ଚ ୨୩ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସ୍ଥିର କରିଛି।

ସୂଚନାନୁସାରେ, ଧାମି ଯଦିଓ ନିର୍ବାଚନରେ ହାରିଛନ୍ତି ହେଲେ ତାଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିବା ପଛରେ ରହିଛି ସମାଲୋଚନା । କାରଣ ଧାମି ଯଦିଓ ଅଳ୍ପ ସମୟ ପାଇଁ ଗତ ସରକାରର କାର୍ଯ୍ୟକାଳରେ ରହିଥିଲେ ହେଲେ ଏହା ପୂର୍ବରୁ ଦଳ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଥିଲା । ଯାହାକୁ ନେଇ ଅସନ୍ତୋଷ ବଢିଥିଲା ଦଳ ଭିତରେ । ସେହିପରି ଯଦିଓ ଧାମି ହାରିଛନ୍ତି ହେଲେ ବିଧାନସଭା ନିର୍ବାଚନ ତାଙ୍କ ନେତୃତ୍ୱରେ ବିଜେପି ଲଢିଥିଲା । ତେଣୁ ଏବେ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ବିଜେପି ସ୍ଥିର କରିଥିବା ସୂଚନା ରହିଛି।

ସୋମବାର ଅପରାହ୍ନ ୪ଟାରେ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ନବ ନିର୍ବାଚିତ ବିଧାନସଭା ଦଳର ବୈଠକ ଡାକିଛି ବିଜେପି। ଏହି ସଭାରେ ନୂଆ ନେତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରି ମନୋନୀତ କରାଯିବ । ରାଜ୍ୟ ବିଜେପି ସଭାପତି ମଦନ କୌଶିକ କହିଛନ୍ତି ଯେ ସୋମବାର ଦିନ ସମସ୍ତ ନବ ନିର୍ବାଚିତ ବିଧାୟକ ବିଧାନସଭାରେ ଶପଥ ଗ୍ରହଣ କରିବେ ଏବଂ ଏହା ପରେ ବିଧାନସଭା ଦଳର ବୈଠକ ହେବ। ବିଜେପି ବିଧାନସଭା ପାର୍ଟି ବୈଠକରେ ସାଂସଦମାନଙ୍କୁ ମଧ୍ୟ ଡକାଯାଇଛି।

ଉତ୍ତରାଖଣ୍ଡରେ ବିଜେପିର ସଂଖ୍ୟାଗରିଷ୍ଠତା ହାସଲ କରିଛି, କିନ୍ତୁ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ଖତିମା ବିଧାନସଭା ଆସନରୁ ପରାଜୟର ସାମ୍ନା କରିବାକୁ ପଡିଛି। ଏଭଳି ପରିସ୍ଥିତିରେ ସରକାରର ନେତୃତ୍ୱ କିଏ ନେବେ ସେନେଇ ସନ୍ଦେହ ଉପୁଜିଥିଲା। ଅନେକ ବିଧାୟକ ଧାମିଙ୍କ ପାଇଁ ଆସନ ଖାଲି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଫେବୃଆରୀ ୧୪ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଏହି ମାସରେ ଘୋଷିତ ଫଳାଫଳ ଗୁଡିକରେ ବିଜେପି କ୍ରମାଗତ ଦ୍ୱିତୀୟ ଥର ପାଇଁ ୭୦ଟି ସିଟ୍ ମଧ୍ୟରୁ ୪୭ଟି ଜିତି କ୍ଷମତାକୁ ଆସିଛି।

Leave A Reply

Your email address will not be published.