Latest Odisha News

BREAKING NEWS

ଭରସା ଜିତିବେ ତ ଧର୍ମେନ୍ଦ୍ର ଓ ବୈଜୟନ୍ତ?

ଭୁବନେଶ୍ୱର/ନୂଆଦିଲ୍ଲୀ:ବିହାର, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଦଳର ଶୀର୍ଷ ନେତୃତ୍ୱ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କୁ ମୁଖ୍ୟ ଦାୟିତ୍ୱ ଦେଇଛନ୍ତି। ଏହା ଦଳର ଅଭିଜ୍ଞତା, ଦକ୍ଷତା ଓ ଜାତିଗତ ରଣନୀତି ଉପରେ ଗୁରୁତ୍ୱ ଦେଉଛି। କିନ୍ତୁ କାହିଁକି ଏହି ଦୁଇ ନେତାଙ୍କୁ ବାଛିଲା ବିଜେପି? ଦେଖନ୍ତୁ ଏହି ରିପୋର୍ଟ

ବିଜେପି ବିହାର ନିର୍ବାଚନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟ ଦାୟିତ୍ୱ ଦେଇଛି। ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ ଓ ଉତ୍ତର ପ୍ରଦେଶର ବରିଷ୍ଠ ନେତା କେଶବ ପ୍ରସାଦ ମୌର୍ଯ୍ୟା ସହ-ଦାୟିତ୍ୱରେ ରହିଛନ୍ତି। ତାମିଲନାଡୁ ପାଇଁ ବିଜେପି ଜାତୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମୁଖ୍ୟ ଦାୟିତ୍ୱ ଦେଇଛି, ସହ-ଦାୟିତ୍ୱରେ ରହିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ମୁରଲୀଧର ମୋହୋଲ। ତେବେ କାହିଁକି ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା?

ଦଳୀୟ ସୂତ୍ର କହୁଛି, ଏହାର ଦୁଇଟି ମୁଖ୍ୟ କାରଣ, ନିର୍ବାଚନ ପରିଚାଳନାରେ ଅଭିଜ୍ଞତା ଓ ବିଜେପିର ଓବିସି ଜାତିଗତ ରଣନୀତି। ସମ୍ବଲପୁରର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଜଣେ ଓବିସି ନେତା। ପୂର୍ବରୁ ହରିୟାଣା, ଉତ୍ତରାଖଣ୍ଡ, ବିହାର ଭଳି ରାଜ୍ୟରେ ନିର୍ବାଚନୀ ପ୍ରଚାରର ଦାୟିତ୍ୱ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କର ବିଶ୍ୱାସ ଜିତିପାରିଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, “ଧର୍ମେନ୍ଦ୍ର ହେଉଛନ୍ତି ବିଜେପିର ଅନ୍ୟତମ ସବୁଠାରୁ ଦକ୍ଷ ନିର୍ବାଚନ ପରିଚାଳକଙ୍କ ମଧ୍ୟରୁ ଜଣେ। ଜାତୀୟ ନେତୃତ୍ୱକୁ ରାଜ୍ୟର ତୃଣମୂଳ ସ୍ଥିତି ସହ ଯୋଡ଼ିବାରେ ତାଙ୍କର ଦକ୍ଷତା ରହିଛି। ତେଣୁ ଦଳର ଶୀର୍ଷ ନେତୃତ୍ୱ ତାଙ୍କୁ ବିହାର ଦାୟିତ୍ୱ ଦେଇଛନ୍ତି । ୨୦୨୦ରେ ବିହାର ନିର୍ବାଚନରେ ବିଜେପି ଦ୍ୱିତୀୟ ସବୁଠାରୁ ବଡ଼ ଦଳ ହେବାରେ ପ୍ରଧାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ରାଜ୍ୟର ତୃଣମୂଳ ସ୍ଥିତି ଓ ପ୍ରାର୍ଥୀଙ୍କ ଜିତିବା ସମ୍ଭାବନା ମୂଲ୍ୟାଙ୍କନ କରି ସେ ଦଳର ଶୀର୍ଷ ନେତୃତ୍ୱକୁ ସିଧାସଳଖ ସୂଚନା ଦିଅନ୍ତି।

ଅନ୍ୟପଟେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଯିଏ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି, ତାଙ୍କୁ ତାମିଲନାଡୁର ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ହୋଇଛି। ୩୦ ବର୍ଷ ପରେ ଦିଲ୍ଲୀକୁ ଦଳ କ୍ଷମତାକୁ ଫେରିଛି। ସେହିପରି ପୂର୍ବରୁ ଆସାମ ଓ ମଣିପୁରରେ ନିର୍ବାଚନ ପରିଚାଳନା କରି ଦଳକୁ କ୍ଷମତାରେ ବସାଇବାରେ ଏକ ବଡ଼ ଭୂମିକା ନେଇଥିଲେ। ଯଦିଓ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ୨୦୧୯ ସାଧାରଣ ନିର୍ବାଚନ ବେଳେ । କିନ୍ତୁ ଅଳ୍ପ କେଇ ବର୍ଷ ଭିତରେ ଦଳ ପାଇଁ ସେ ମଧ୍ୟ ଜଣେ ଆସେଟ୍ ହୋଇପାରିଛନ୍ତି । ଆଉ ମୋଦି, ଶାହଙ୍କ ଗୁଡ ବୁକରେ ନିଜକୁ ସାମିଲ କରିପାରିଛନ୍ତି । ଯଦିଓ ତାମିଲନାଡୁରେ ବିଜେପିର ସ୍ଥିତି ସେତେଟା ମଜଭୂତ ନୁହେଁ । କିନ୍ତୁ ଦଳ ବିଭିନ୍ନ ରଣନୀତି ପ୍ରସ୍ତୁତ କରି ତାମିଲ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି ।

ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଜେପି ଅଭିଜ୍ଞତା, ଦକ୍ଷତା ଓ ଜାତିଗତ ରଣନୀତି ସହ ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟଗୁଡ଼ିକରେ ଜିତିବା ଲକ୍ଷ୍ୟ ରଖିଛି। ନିର୍ବାଚନ ଋତୁ ଜୋର ଧରୁଥିବା ବେଳେ ଏହି ନେତାମାନେ କିପରି ଦଳର ପ୍ରଚାରକୁ ଆଗେଇ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

Comments are closed.