Latest Odisha News

କୃଷ୍ଣସାର ମୃଗ ଶିକାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ

ଯୋଦ୍ଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଶୁକ୍ରବାର ଯୋଦ୍ଧପୁର କୋର୍ଟରେ ହାଜର ହେବାନେଇ ଆଦେଶ ଜାରି କରିଥିଲେ କୋର୍ଟ । ମାତ୍ର କୋର୍ଟର ନୋଟିସକୁ ବେଖାତିର କରିଛନ୍ତି ସଲମାନ । ଆଜି ଏହି ମାମଲାର ଶୁଣାଣି ଥିବାବେଳେ ସଲୁ କିନ୍ତୁ କୋର୍ଟରେ ହାଜର ହୋଇନଥିଲେ ।

ସଲମାନ ଏବେ ସୁଟିଂରେ ବ୍ୟସ୍ତ ଥିବା ତଥା ଜନୈକ ଗ୍ୟାଙ୍ଗଷ୍ଟର ତାଙ୍କୁ ହତ୍ୟା ଧମକ ଦେଇଥିବା କାରଣରୁ ସେ କୋର୍ଟରେ ହାଜର ହୋଇପାରୁନଥିବା ତାଙ୍କ ଓକିଲ ଜଣାଇଛନ୍ତି।

ସଲମାନ ଏଥିଲାଗି ହାଜିର କ୍ଷମା ନିବେଦନ କରିଥିବା ବେଳେ କୋର୍ଟ ତାଙ୍କୁ ଡିସେମ୍ବର ୧୯ ତାରିଖରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପ୍ରାୟ ୨୧ ବର୍ଷ ପୂର୍ବେ ସଲମାନ ଓ ତାଙ୍କ ସାଥୀମାନେ ୨ଟି କୃଷ୍ଣସାର ମୃଗ ଶିକାର କରିଥିଲେ। ସଲମାନଙ୍କ ସହ ଏହି ମାମଲାରେ ବଲିଉଡ ଅଭିନେତା ସୈଫଅଲ୍ଲୀ ଖାନ, ନିଲମ, ତବୁ, ସୋନାଲି ବେନ୍ଦ୍ରେ ଓ ଦୁଷ୍ୟନ୍ତ ସିଂହ ପ୍ରମୁଖ ଅଭିଯୁକ୍ତ ଥିଲେ। ତେବେ ସନ୍ଦେହ ଆଧାରରେ ଏମାନେ କୋର୍ଟରୁ ମୁକ୍ତ ହୋଇଯାଇଥିବା ବେଳେ ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଏଥିଲାଗି କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ କରିଥିବା ବେଳେ ସେ ଉପର କୋର୍ଟରେ ଆବେଦନ କରିଥିଲେ ।

ଏହି ଶୁଣାଣିରେ ଅନୁପସ୍ଥିତ ଥିବା ସଲମାନ ଆଗାମୀ ଶୁଣାଣିରେ ହାଜର ନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୋର୍ଟ ସଫାସଫା କହିଦେଇଛନ୍ତି।

Leave A Reply

Your email address will not be published.