Latest Odisha News

BREAKING NEWS

ଦୃଷ୍ଟିହୀନ ଦମ୍ପତ୍ତିଙ୍କୁ ସାହା ହେଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଦୃଷ୍ଟିହୀନ ଦମ୍ପତ୍ତି ଅଶୋକ ନାୟକ ଓ ସୁମିତ୍ରା ନାୟକ । ଦୁହେଁ ନିଜନିଜ ସଂଘର୍ଷମୟ ଜୀବନରେ ସାଥୀ ସାଜିଥିଲେ । ନିଜ ଅନ୍ଧକାରମୟ ଦୁନିଆରେ ଆଲୋକର ରାହା ଖୋଜିବାକୁ ସ୍ୱପ୍ନ ଦେଖିଥିଲେ । ସମୟକ୍ରମେ ଦୁହେଁ ଏକ ଶିଶୁକନ୍ୟାର ପିତାମାତା ହେବା ପରେ ତାଙ୍କ ଜୀବନରେ ଖୁସୀର ଲହର ଖେଳିଥିଲା । ହେଲେ ଏବେ ସେହି ଖୁସୀର ଲହରରେ ମାଡିଆସିଛି ଅଦିନିଆ ଝଡ ।

ଅଶୋକ ଓ ସୁମିତ୍ରାଙ୍କ ଦୁଇ ବର୍ଷୀୟା ଶିଶୁକନ୍ୟା ପୂଜାର୍ଚ୍ଚନା ଜନ୍ମରୁ ଦୃଷ୍ଟିହୀନ ହେବା ସହ ଚକ୍ଷୁ କର୍କଟ ରୋଗରେ ପୀଡିତ । ତଥାପି ଦୃଷ୍ଟିହୀନ ଦମ୍ପତ୍ତି ନିଜ ଶିଶୁକନ୍ୟାର ଚିକିତ୍ସା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଚିକିତ୍ସା ଜାରି ରହିଥିଲେ ବି ଆଗକୁ ଉନ୍ନତମାନର ଚିକିତ୍ସାର ଆବଶ୍ୟକତା ପଡିଛି । ଏଥିପାଇଁ ତାଙ୍କୁ ରାଜ୍ୟ ବାହାରର ହସ୍ପିଟାଲ ଯିବାକୁ ପରାମର୍ଶ ମିଳିଛି । ହେଲେ ସବୁ କ୍ଷେତ୍ରରେ ଅର୍ଥ ସାଜିଛି ବାଧକ ।

ଅଧିକ ଅର୍ଥ ଆୟ କିମ୍ବା ଯୋଗାଡ କରିବା ମଧ୍ୟ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ପାଇଁ ଅସମ୍ଭବ ହୋଇପଡିଛି । ଏପରି ଅସମୟରେ ତାଙ୍କୁ ସହାୟତା ଯୋଗାଇବାକୁ ଆଗେଇ ଆସିଛି କମିଶନରେଟ୍ ପୋଲିସ । ଇନଫୋସିଟି ଥାନା ଅଧିକାରୀଣୀ ସମିତା ମିଶ୍ର ଓ ଅନ୍ୟ କର୍ମଚାରୀମାନେ ମିଳିତ ଭାବେ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । କମିଶନରେଟ ପୋଲିସର ଏପରି ପଦକ୍ଷେପ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ମନରେ ସାହସ ଭରିଥିଲାବେଳେ ପୋଲିସର ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Comments are closed.