Traffic Fines: ଚାଲାଣ ଭରୁନାହାନ୍ତି କି? ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ, ଲାଇସେନ୍ସରୁ PUC ଯାଏଁ ସବୁ ସେବା ବନ୍ଦ!
ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଭାଙ୍ଗି ଇ-ଚାଲାଣ କାଟିଥିଲେ ଏଣିକି ତାହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ବକେୟା ଟ୍ରାଫିକ୍ ଜରିମାନା ଆଦାୟକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଜେ.ବି. ପାରଦିୱାଲା ଓ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି, ବକେୟା ଇ-ଚାଲାଣ ଥିବା ଗାଡ଼ିର ଅନଲାଇନ୍ ଓ ଅନ୍ୟାନ୍ୟ ଗାଡ଼ି ସମ୍ପର୍କିତ ସେବାକୁ ଫ୍ରିଜ୍ କରାଯାଉ। ଏଭଳି ଗାଡ଼ିର ରେଜିଷ୍ଟ୍ରେସନ୍ ନବୀକରଣ, ଡୁପ୍ଲିକେଟ୍ ରେଜିଷ୍ଟ୍ରେସନ୍, ମାଲିକାନା ହସ୍ତାନ୍ତର ଓ ଠିକଣା ଅପଡେଟ୍ ଭଳି ସେବା ମଧ୍ୟ ଅଟକାଇବାକୁ କୁହାଯାଇଛି।
ଏହାସହ ବକେୟା ଚାଲାଣ ଥିବା ଗାଡ଼ିକୁ କେନ୍ଦ୍ରୀୟ ପରିବହନ ପୋର୍ଟାଲରେ ବ୍ଲାକଲିଷ୍ଟ କରାଯିବ। ଚାଲାଣ ପୈଠ ନହେବା ପର୍ଯ୍ୟନ୍ତ PUC ସାର୍ଟିଫିକେଟ୍ ମଧ୍ୟ ଜାରି ନକରିବାକୁ କୋର୍ଟ କହିଛନ୍ତି। ଏକାଧିକ ଟ୍ରାଫିକ୍ ଉଲ୍ଲଂଘନ ଥିଲେ ଡ୍ରାଇଭିଂ ଲାଇସେନ୍ସର ନବୀକରଣ ରୋକିବା ସହ ଚାଲୁଥିବା ଲାଇସେନ୍ସକୁ ସସ୍ପେଣ୍ଡ କରିବା ପାଇଁ ମଧ୍ୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି।
କୋର୍ଟଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, ବିଭିନ୍ନ ସମୟରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ପ୍ରାୟ ୪୯,୧୯୪.୦୫ କୋଟି ଟଙ୍କା ବକେୟା ଥିଲା। ସେଥିରୁ ୨୬,୧୭୫.୦୫ କୋଟି ଟଙ୍କା ଆଦାୟ ହୋଇଛି।
ସୁପ୍ରିମକୋର୍ଟ କହିଛନ୍ତି, କେବଳ ହଜାର ହଜାର ଇ-ଚାଲାଣ କାଟିଦେଲେ ହେବ ନାହିଁ, ଜରିମାନା ଆଦାୟ ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ। ବକେୟା ଚାଲାଣ ଥିବା ଗାଡ଼ିର ରାଣ୍ଡମ୍ ଚେକିଂ କରି ଆବଶ୍ୟକ ହେଲେ ଗାଡ଼ି ଜବତ କରିବାକୁ ମଧ୍ୟ କୁହାଯାଇଛି।
ଏହି ନିର୍ଦ୍ଦେଶ ସହ ୨୦୨୫ରେ ସଡ଼କ ପରିବହନ ମନ୍ତ୍ରଣାଳୟ ପ୍ରସ୍ତୁତ କରିଥିବା ଇ-ଏନଫୋର୍ସମେଣ୍ଟ SOPକୁ ରାଜ୍ୟଗୁଡ଼ିକ ଲାଗୁ କରିବେ। ସ୍ପିଡ୍ କ୍ୟାମେରା, CCTV ଓ ସ୍ପିଡ୍ ଗନ୍ ଭଳି ପ୍ରଯୁକ୍ତିରେ ନିୟମ ଉଲ୍ଲଂଘନ ଉପରେ ନଜର ରଖାଯିବ।
ଏପଟେ ସୋମବାର ସୁପ୍ରିମକୋର୍ଟ ବକେୟା ଟ୍ରାଫିକ୍ ଚାଲାଣକୁ ବିଦ୍ୟୁତ୍ ବିଲ୍ ସହ ଯୋଡ଼ି ଆଦାୟ କରିବାର ସମ୍ଭାବନା ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଏହା ଏବେ ଏକ ପ୍ରସ୍ତାବ/ସୁପାରିଶ ଭାବେ ଉଠିଛି, ଆଜିର ନିର୍ଦ୍ଦେଶରେ ବିଦ୍ୟୁତ୍ ବିଲ୍ରେ ଚାଲାଣ ଯୋଡ଼ିବାକୁ ଆଦେଶ ଦିଆଯାଇନାହିଁ। ଏହି ମାମଲା ୨୦୧୨ରୁ ଚାଲିଥିବା ସଡ଼କ ସୁରକ୍ଷା ସମ୍ପର୍କିତ ମାମଲା ହୋଇଥିବା ବେଳେ କୋର୍ଟଙ୍କ ନିରନ୍ତର ନଜରଦାରି ଜାରି ରହିଛି ।

