Latest Odisha News

BREAKING NEWS

ବଲୁଚିସ୍ତାନରେ ରକ୍ତର ହୋଲି; ଥରୁଛି ପାକିସ୍ତାନ, ଧ୍ୱସ୍ତ ହେଲା ସେନା!

ଇସଲାମବାଦ: ପାକିସ୍ତାନରେ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି । ବଲୁଚ୍ ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣରେ ରକ୍ତାକ୍ତ ହୋଇଛି ପାକିସ୍ତାନ ମାଟି । ବଲୁଚିସ୍ତାନ ଲିବରେସନ ଆର୍ମି, BLA ର ‘ଅପରେସନ୍ ହେରୋଫ୍’ ପାକ୍ ସେନାର ନିଦ ହଜାଇ ଦେଇଛି । କୁହାଯାଉଛି କି, ଗୋଟିଏ କି ଦୁଇଟି ନୁହେଁ, ବରଂ ୨୦୦ରୁ ଅଧିକ ପାକିସ୍ତାନୀ ଯବାନଙ୍କୁ ନିପାତ କରିଛନ୍ତି ବଲୁଚ୍ ବାଗୀ । ମହିଳା ଫିଦାୟୀନଙ୍କ ଆତ୍ମଘାତୀ ଆକ୍ରମଣରେ ଛାରଖାର ହୋଇଛି ପାକିସ୍ତାନୀ ସେନା ।

ବଲୁଚିସ୍ତାନର କୋଣ ଅନୁକୋଣରେ ଏବେ କେବଳ ଗୁଳି ଗୋଳାର ଶବ୍ଦ। ବିଦ୍ରୋହୀ ଗୋଷ୍ଠୀ BLA ର ‘ଅପରେସନ୍ ହେରୋଫ୍- ଫେଜ୍ ୨’ ଏବେ ପାକିସ୍ତାନ ସରକାରଙ୍କ ପାଇଁ କାଳ ସାଜିଛି। ପ୍ରାୟ ୪୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ରକ୍ତାକ୍ତ ସଂଘର୍ଷରେ ମସ୍ତୁଙ୍ଗ, ଖାରାନ ଏବଂ ପସନି ଭଳି ଅଞ୍ଚଳରେ ପାକ୍ ସେନାକୁ ପଛକୁ ହଟିବାକୁ ପଡ଼ିଛି। BLA ଦାବି କରିଛି ଯେ, ସେମାନଙ୍କ ଲଢ଼ୁଆ ବାହିନୀ କ୍ୱେଟା ଏବଂ ନୋଶ୍‌କୀ ଭଳି ଗୁରୁତ୍ୱପୂର୍ଣ୍ଣ ସହରକୁ ନିଜ କବ୍‌ଜାକୁ ନେଇ ସାରିଛନ୍ତି। ୨୦୦ରୁ ଅଧିକ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିବା ବେଳେ ୧୭ରୁ ଅଧିକ ପାକ୍ ଯବାନଙ୍କୁ ବନ୍ଧକ ରଖାଯାଇଛି । ଅନେକ ସେନା ଛାଉଣୀ ଉପରେ ଏବେ ବିଦ୍ରୋହୀଙ୍କ କବ୍‌ଜା । ଖାଲି ସେତିକି ନୁହେଁ, ଏହି ଆକ୍ରମଣରେ ସବୁଠାରୁ ଭୟଙ୍କର ସାଜିଛନ୍ତି ‘ମହିଳା ଫିଦାୟୀନ’। BLA ପକ୍ଷରୁ ଜାରି ବୟାନ ଅନୁସାରେ, ଆସିଫା ମେଙ୍ଗଲ ନାମକ ଜଣେ ମହିଳା ଆତ୍ମଘାତୀ ବୋମା ବିସ୍ଫୋରଣ କରି ପାକ୍ ସେନାର ଅଣ୍ଟା ଭାଙ୍ଗି ଦେଇଛନ୍ତି । ମଜିଦ ବ୍ରିଗେଡ୍‌ର ଏହି ମହିଳା ଫିଦାୟୀନ ନିଜକୁ ଉଡ଼ାଇ ଦେଇ ପାକିସ୍ତାନୀ ଫୌଜୀଙ୍କୁ ମୃତ୍ୟୁର ଦ୍ୱାର ଦେଖାଇଛନ୍ତି। ତେବେ ପାକ୍ ସରକାର ଏହି ମୃତ୍ୟୁ ସଂଖ୍ୟାକୁ ଲୁଚାଉଛନ୍ତି ।

ଏହି ସଂଘର୍ଷରେ BLA ର ୧୮ ଜଣ ମଧ୍ୟ ନିହତ ହୋଇଛନ୍ତି। ଏଥିରେ ମଜିଦ ବ୍ରିଗେଡ୍‌ର ୧୧ ଜଣ ଆତ୍ମଘାତୀ ହାମଲାକାରୀ ସାମିଲ ଅଛନ୍ତି। ବିଦ୍ରୋହୀମାନେ ଚେତାବନୀ ଦେଇଛନ୍ତି ଯେ, ଯେଉଁମାନେ ପାକ୍ ସେନାକୁ ସାହାଯ୍ୟ କରିବେ ସେମାନଙ୍କୁ ଶତ୍ରୁ ବୋଲି ଗଣାଯିବ।

ବର୍ତ୍ତମାନ ପରିସ୍ଥିତି ଯାହା, ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବଲୁଚିସ୍ତାନର ଏହି ବିଦ୍ରୋହ ଆଗକୁ ଆହୁରି ଭୟଙ୍କର ରୂପ ନେବ ।

Leave A Reply

Your email address will not be published.