ଭୁବନେଶ୍ୱର: ଅକ୍ଟୋବର ୩୧ ତାରିଖ ତଥା କୁମାର ପୂର୍ଣ୍ଣିମାରେ ରାତିର ଆକାଶରେ “ନୀଳ ଜହ୍ନ” ଚମକିବ ବୋଲି ଚର୍ଚ୍ଚା ହେଉଛି। ହେଲେ କେତେକ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଥିବା ଏହି କଥା ଠିକ୍ ନୁହେଁ ବୋଲି ପ୍ରକାଶ କରିଛନ୍ତି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିର୍ଦେଶକ, ଶୁଭେନ୍ଦୁ ପଟ୍ଟନାୟକ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସେଦିନ ରାତିର ଆକାଶରେ ସବୁଦିନ ଭଳି ଉଜ୍ଜ୍ୱଳ ଧଳା ଜହ୍ନ ଦେଖାଯିବ।
ନୀଳ ଚନ୍ଦ୍ର କ’ଣ?
ଏକ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡିଲେ ଦ୍ୱିତୀୟ ପୂର୍ଣ୍ଣିମାକୁ “ନୀଳ ଜହ୍ନ” ଭାବରେ ନାମିତ କରାଯାଏ, ଯାହାର ଚନ୍ଦ୍ରର ରଙ୍ଗ ସହିତ କୌଣସି ସମ୍ପର୍କ ନାହିଁ ।
ଏହା କେବଳ ଏକ ନାମକରଣ ଯାହାକି ଏକ କ୍ୟାଲେଣ୍ଡର ମାସରେ ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ୟାଖ୍ୟା କରିବା ପାଇଁ ବ୍ୟବହୃତ ହୁଏ। ବ୍ଲୁ ମୁନ୍ ଶବ୍ଦଟି ଲୋକପ୍ରିୟ କଥନ “Once in a blue moon” ରୁ ଉତ୍ପନ୍ନ ହୋଇଛି । ଏହା ଏକ ବିରଳ ଘଟଣା ହେଇଥିବାରୁ ଏହାର ଏଭଳି ନାମକରଣ କରାଯାଇଛି।
ନୀଳ ଚନ୍ଦ୍ର କେତେ ବିରଳ?
ଦୁଇଟି କ୍ରମାଗତ ପୂର୍ଣ୍ଣିମା ମଧ୍ୟରେ ସମୟ ପ୍ରାୟ ୨୯.୫ ଦିନ, ଯାହା ଫେବୃଆରୀ ବ୍ୟତୀତ ଅନ୍ୟ ସମସ୍ତ ମାସ ଅପେକ୍ଷା କମ୍ ଅଟେ। ତେଣୁ, ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ହେବା ପାଇଁ, ପ୍ରଥମ ପୂର୍ଣ୍ଣିମା ମାସର ୧ କିମ୍ବା ୨ ତାରିଖରେ ହେବା ଉଚିତ୍। ୩୦ ଦିନିଆ ମାସ ଅପେକ୍ଷା ୩୧ ଦିନିଆ ମାସରେ ଏକ ନୀଳଜହ୍ନ ହେବାର ସମ୍ଭାବନା ଅଧିକ। ଫେବୃଆରୀରେ ନୀଳ ଜହ୍ନ ସମ୍ଭବ ନୁହେଁ କାରଣ ଏହା ୨୮ ଦିନ, ଏବଂ ୨୯ ଦିନର ହେଇଥାଏ। ୩୧ ଦିନ ଥିବା ମାସରେ ନୀଳଜହ୍ନ ୨ ରୁ ୩ ବର୍ଷ ମଧ୍ୟରେ ହୁଏ।
ଏପରି ନୀଳଜହ୍ନ ଗତ ୨୦୧୮ ମସିହା ମାର୍ଚ୍ଚ ଏବଂ ଜାନୁୟାରୀ ମାସରେରେ ଘଟିଥିଲା, ପରବର୍ତ୍ତୀ ଅଗଷ୍ଟ- ୨୦୨୩ ମସିହାରେ ପଡିବ । ୩୦ ଦିନର ଏକ ମାସରେ ଶେଷ ବ୍ଲୁ ମୁନ୍ ୩୦ ଜୁନ୍ ୨୦୦୭ ରେ ପଡିଥିଲା ଏବଂ ପରବର୍ତ୍ତୀ ୨୦୫୦ ମସିହା ସେପ୍ଟେମ୍ବର ମାସ ୩୦ ତାରିଖରେ ହେବ । କୌତୁହଳର ବିଷୟ ହେଲା ଏହି ଅକ୍ଟୋବର୍ ମାସର ନୀଳଜହ୍ନ ଖ୍ରିଷ୍ଟିଆନ୍ ମାନଙ୍କ ହାଲୋଇନ୍ ପର୍ବ ଦିନ ପଡୁଛି । ଶେଷଥର ହାଲୋଇନ୍ ଦିନ ପୂର୍ଣ୍ଣଚନ୍ଦ୍ର ୧୯୪୪ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପଡିଥିଲା ।
“ନୀଳ ଜହ୍ନ” ଯାହା ପ୍ରକୃତରେ ନୀଳ ରଙ୍ଗର ଅବିଶ୍ୱାସନୀୟ ଭାବରେ ବିରଳ ଏବଂ କ୍ୟାଲେଣ୍ଡର କିମ୍ବା ଚନ୍ଦ୍ରର କଳା ସହିତ କୌଣସି ସମ୍ପର୍କ ନାହିଁ । ବାୟୁମଣ୍ଡଳରେ ଆଗ୍ନେୟଗିରି ପାଉଁଶ ଏବଂ ଧୂଆଁ, ବାୟୁରେ ଜଳ ବୁନ୍ଦା କିମ୍ବା କିଛି ପ୍ରକାରର ମେଘ ଆଦିର ସ୍ଥିତି ଯୋଗୁଁ , କେବେ କେବେ ଏକ ପୂର୍ଣ୍ଣିମା ଜହ୍ନ କିଛି ସମୟ ପାଇଁ ନୀଳ ଦେଖାଯାଇପାରେ । କିନ୍ତୁ ଏହା ଅତି ବିରଳ।
ଏହା କେବେ ଭାରତରେ ଦୃଶ୍ୟମାନ ହେବ?
ଅକ୍ଟୋବର ୩୧ ରେ ରାତି ୮.୧୯ ରେ ପୂର୍ଣ୍ଣିମା ଜହ୍ନ ଦେଖାଯିବ। ଏହା ଉଭୟ ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକା, ଆଫ୍ରିକା, ସମଗ୍ର ୟୁରୋପ ଏବଂ ଏସିଆର ଅନେକାଂଶରେ ଦେଖିହେବ। ତେବେ ପରୀକ୍ଷା କରିପାରିବେ କଥାକଥିତ “ନୀଳ ଜହ୍ନ” ରାତିର ଆକାଶରେ ଧଳା ନା ନୀଳ ଦେଖାଯାଉଛି।
Comments are closed.