Latest Odisha News

BREAKING NEWS

ଭୁବନେଶ୍ୱରରେ ହୋଟେଲରେ ଅସ୍ଥାୟୀ କୋଭିଡ୍ ସେଣ୍ଟର ପାଇଁ ବିଏମସିର ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଅଧିକ ସଂକ୍ରମିତ ଜିଲ୍ଲା ଖୋର୍ଦ୍ଧା । ଭୁବନେଶ୍ୱରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ ରାଜଧାନୀରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ବେଡ୍ ବି ଭର୍ତ୍ତି ହୋଇ ଗଲାଣି । ଆଗକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ୍ ସଂଖ୍ୟା ହବଢ଼ାଇବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱରରେ ଥିବା ହୋଟେଲଗୁଡ଼ିକୁ ବିଭିନ୍ନ ଘରୋଇ ହସ୍ପିଟାଲ ସହ ଅନୁବନ୍ଧିତ କରି ଅସ୍ଥାୟୀ କୋଭିଡ୍ ସେଣ୍ଟର କରିବାକୁ ଯୋଜନା ରଖିଛି ବିଏମସି ।

ଏସମ୍ପର୍କରେ ବିଏମସି କମିଶନର ସଞ୍ଜୟ ସିଂ ରାଜଧାନୀର ପ୍ରଣୁଖ ହୋଟେଲ ମାଲିକ ଏବଂ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଯୋଜନା କାର୍ଯ୍ୟକ୍ଷମ ହେଲେ ସାମାନ୍ୟ ଲକ୍ଷଣ ଥିବା କୋଭିଡ୍ ରୋଗୀ ଉପକୃତ ହୋଇପାରିବେ । ଯୋଜନା ଅନୁସାରେ ଜଣେ ରୋଗୀ ଅଧିକ ସ୍ୱତନ୍ତ୍ର ସୁବିଧା ଚାହିଁବେ ତାଙ୍କୁ ଅନୁବନ୍ଧିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ରହିବା ଓ ଖାଇବ ଖର୍ଚ୍ଚ ରୋଗୀ ବହନ କରିବେ ।

କେଉଁ ଘରୋଇ ହସ୍ପିଟାଲ ସହ କେଉଁ ହୋଟେଲକୁ ଅନୁବନ୍ଧିତ କରାଯିବେ ସେନେଇ ହୋଟେଲ୍ ମାଲିକ ଚୟନ କରିପାରିବେ । ଏନେଇ ବିଏମସ୍ ସମସ୍ତ ପ୍ରକାର ଆନୁସଙ୍ଗିକ ସହାୟତା ଯୋଗାଇ ଦେବା ବୋଲି ବିଏମସି କମିଶନର ପ୍ରତିଶ୍ରୁତି ଦେଇଛନ୍ତି । ବେଡ୍, ଅକ୍ସିଜେନ୍ ସିଲିଣ୍ଡର, ଚିକିତ୍ସା ଉପକରଣ ଓ ଅନ୍ୟାନ୍ୟ ମେଡିକାଲ୍ ସାମଗ୍ରୀ ଯୋଗାଇ ଦେବ ବିଏମସି ।

ଅନ୍ୟ ରାଜ୍ୟରେ ଆପୋଲୋ ହସ୍ପିଟାଲ ଲେମନ୍ ଟ୍ରି ଓ ଜିଞ୍ଜର ଭଳି ହୋଟେଲ ସହ ଅନୁବନ୍ଧିତ ହୋଇ କୋଭିଡ୍ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଉଛି । ଖୁବଶୀଘ୍ର ଓଡ଼ିଶାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ବିଏମସିର ଏଭଳି ଚିନ୍ତାଧାରାକୁ ସ୍ୱାଗତ କରିଛନ୍ତି ହୋଟେଲ୍ ମାଲିକ ।

Leave A Reply

Your email address will not be published.