ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୪ ମାର୍କେଟ ଅଞ୍ଚଳରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଦ୍ଵାରା ଏକ ସ୍ୱତନ୍ତ୍ର ସଫେଇ ଅଭିଯାନ କରାଯାଇଥିଲା। ଯେଉଁଥିରେ ମାର୍କେଟ ଏବଂ ଆଖପାଖ ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ସଫା କରାଯାଇଥିଲା।
ତେବେ ସୁଗମ ଗତିବିଧି ଏବଂ ସାର୍ବଜନୀନ ସ୍ଥାନକୁ ସଫା ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏଥିସହିତ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲ ଗୁଡ଼ିକୁ ହଟାଇବା ସହ ପରିତ୍ୟକ୍ତ ଯାନବାହନ ଗୁଡ଼ିକୁ ମଧ୍ୟ ଉଠାଇ ଦିଆଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଏସବୁ ବ୍ୟତୀତ ୟୁନିଟ୍-୪ରେ ମାଛ ବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ସଫେଇ ଯାଞ୍ଚ ସମୟରେ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି।
ତେବେ ତିନୋଟି ରେଷ୍ଟୁରାଣ୍ଟ ଏବଂ ହୋଟେଲ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ମଧ୍ୟ ରିପୋର୍ଟରୁ ଜଣାପଡିଛି। ଅନ୍ୟ ଦୁଇଟି ଦୋକାନକୁ ସେମାନଙ୍କ ପରିସର ପଛରେ ଅଳିଆ ଫୋପଡ଼ିବା ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଏଥିସହିତ ଦୁର୍ବଳ ପରିମଳ ପାଇଁ ନାଗରିକ ସଂସ୍ଥା ମଧ୍ୟ ୧ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ଅପରପକ୍ଷରେ ସାର୍ବଜନୀନ ସ୍ଥାନରେ ଅଳିଆ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।
Comments are closed.