Latest Odisha News

BREAKING NEWS

Indravati reservoir: ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡିଗଲା ଡଙ୍ଗା;ଜଣେ ନିଖୋଜ,ସର୍ଚ୍ଚ ଅପରେସନ ଜାରି

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଏକ ଦେଶୀ ଡଙ୍ଗା ଓଲଟି ପଡ଼ିଥିଲା । ଜଣେ ବ୍ୟକ୍ତି ନିଖୋଜ ରହିଥିବାବେଳେ ଅନ୍ୟ ଦୁଇଜଣ ସୌଭାଗ୍ୟବଶତଃ ପହଁରି ପହଁରି କୂଳକୁ ଫେରିଛନ୍ତି । ନିଖୋଜ ଜଣକ ହେଲେ ବ୍ରାହ୍ମଣୀ ଚଞ୍ଚରା ଗ୍ରାମର ହର ବେହେରୁକ୍ (୪୫)।

ଖବରମୁତାବକ, ବ୍ରାହ୍ମଣୀ ଚଞ୍ଚରା ଗ୍ରାମର ତିନିଜଣ ବ୍ୟକ୍ତି (ହର ବେହେରୁକ୍, ରବି ପୁଝାରୀ (୪୫) ଏବଂ ଚନ୍ଦ୍ର ବେହେରା (୩୨)) ଏକ ଦେଶୀ ଡଙ୍ଗାରେ ସିକାତୁଜି ଗାଁ ନିକଟସ୍ଥ ଜୁରଘାଟରୁ ମାଛ ଧରିବା ପାଇଁ ଜଳଭଣ୍ଡାର ଭିତରକୁ ଯାଇଥିଲେ। ତେବେ ଗଭୀର ଜଳରାଶି ମଧ୍ୟରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଗ୍ରାମବାସୀ ତୁରନ୍ତ ସ୍ଥାନୀୟ ପ୍ରଶାସନ, ଥୁଆମୂଳ ରାମପୁର ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗର ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଶେଷ ସୂଚନା ସୁଦ୍ଧା ନିଖୋଜ ହର ବେହେରୁକ୍‌ଙ୍କ କୌଣସି ପତ୍ତା ମିଳିପାରି ନାହିଁ ।

Comments are closed.