Latest Odisha News

BREAKING NEWS

ଏମଏଚ ୩୭୦: ସାମ୍ନାକୁ ଆସିଲା ଘଟଣା ପଛର ସତ୍ୟ, ନିଖୋଜ ନୁହେଁ ଥିଲା ସାମୁହିକ ହତ୍ୟା ଏବଂ ଆତ୍ମହତ୍ୟାର ଯୋଜନା

ନୂଆଦିଲ୍ଲୀ: ଆଜିଠୁ ପ୍ରାୟ ଏକ ଦଶକ ପୂର୍ବରୁ ଅର୍ଥାତ୍ ୨୦୧୪ ମସିହା ମାର୍ଚ୍ଚ ୮ତାରିଖ । ସେଦିନ ଏପରି କିଛି ଘଟଣା ଘଟିଥିଲା ଯାହା ସାରା ବିଶ୍ଵକୁ ସ୍ତବ୍ଧ କରିଦେଇଥିଲା । ଏମଏଚ ୩୭୦ ବିମାନ ଯାହା ଅଚାନକ ଭାବରେ ନିଖୋଜ ହୋଇଯାଇଥିଲା । ଘଟଣାଟି ଆଜି ମଧ୍ୟ ରହସ୍ୟଘେରରେ ଅଛି । ବିମାନ ଚଳାଚଳ ଇତିହାସରେ ଏହାକୁ ସବୁଠାରୁ ରହସ୍ୟମୟ ଘଟଣା ବୋଲି କୁହାଯାଏ । ବିମାନରେ ୨୩୯ ଜଣ ଯାତ୍ରୀ ଥିଲେ । ସେମାନଙ୍କ ସହ ପ୍ରକୃତରେ କ’ଣ ଘଟିଥିଲା ତାହା ଏଯାବତ୍ ମଧ୍ୟ ଜଣାପଡିନାହିଁ । କିନ୍ତୁ ଏବେ ଏହି ଘଟଣାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ବ୍ରିଟିସ୍ ଏକ୍ସପର୍ଟ ଏବଂ ବୋଇଙ୍ଗ ୭୭୭ ପାଇଲଟ ଦାବୀ କରିଛନ୍ତି ଯେ, ଟେକ-ଅଫ୍ ଡକ୍ୟୁମେଣ୍ଟରୁ ଏହି ପ୍ରମାଣ ମିଳୁଛି ଯେ ଉକ୍ତ ବିମାନର ପାଇଲଟ ଜଣକ ସାମୁହିକ ହତ୍ୟା ଏବଂ ଆତ୍ମହତ୍ୟାର ଯୋଜନା ରଚିଥିଲେ ।

ରିପୋର୍ଟ ଅନୁସାରେ, ବିଶେଷଜ୍ଞ ହାର୍ଡି କହିଛନ୍ତି ଯେ, ଅତିରିକ୍ତ ଇନ୍ଧନ, ଅମ୍ଳଜାନ ସମେତ କାର୍ଗୋ ମୋନିଫେଷ୍ଟରେ ଟେକଅଫର କିଛି ସମୟ ପୂର୍ବରୁ ବଦଳାଇ ଦିଆଯାଇଥିଲା । ଏଥିରୁ ଏଇଟା ସ୍ପଷ୍ଟ ଯେ, କ୍ୟାପଟେନ ଜହାରି ବିମାନକୁ କ୍ରାଶ କରିବା ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିସାରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏଇଟା ଯେ, ଟେକ୍ ଅଫ୍ ପୂର୍ବରୁ କରାଯାଇଥିବା ପରିବର୍ତ୍ତନରେ କେବଳ କକପିଟ୍ ରେ ଅମ୍ଳଜାନ ସ୍ତର ବୃଦ୍ଧି କରାଯାଇଥିଲା । ବିଶେଷଜ୍ଞ ହାର୍ଡି ଆହୁରି ମଧ୍ୟ କହିଛନ୍ତି ଯେ, ରିୟୁନିଅନ୍ ଦ୍ୱୀପରେ ମିଳିଥିବା ଫ୍ଲାପେରନ୍ ମଧ୍ୟ ଏହି ଆଡକୁ ଇଙ୍ଗିତ କରେ ଯେ, ଶେଷ ପର୍ଯ୍ୟନ୍ତ ବିମାନରେ ଜଣେ ପାଇଲଟ୍ ସକ୍ରିୟ ଥିଲେ । ଏମଏଚ ୩୭୦ ଧିରେ ଧିରେ ତଳ ଆଡକୁ ଗତି କରୁଥିଲା ।

ବିମାନକୁ ଓହ୍ଲାଇବା ପାଇଁ ପାଇଲଟ୍ ହିଁ ତା’ହାକୁ ଅପରେଟ କରିଥାଏ । ଏଥିରୁ ଏହା ସ୍ପଷ୍ଟ ଯେ, ଏହି ଦୁର୍ଘଟଣାର ଯୋଜନା ମୁତାବକ କରାଯାଇଛି । ପାଇଲଟ୍ ଜଣଙ୍କ ସମ୍ପୁର୍ଣ୍ଣ ଯୋଜନା କରିଥିଲା ଯେ ସମୁଦ୍ର ମଝିରେ ପଡିବା ଦ୍ଵାରା ଯେପରି ପାଣି ଭିତରେ ଇନ୍ଧନ ନ ମିଳିବ । ଏହି କାରଣରୁ ବିମାନର ଦୁର୍ଘଟଣାଗ୍ରସ୍ତ ସ୍ଥାନ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ଆମେରିକାର ଟେକ୍ସାସ୍ ସ୍ଥିତ ଏକ କମ୍ପାନୀ ଓସେନ୍ ଇନଫିନିଟି ଦାବି କରିଛି ଯେ, ସେମାନଙ୍କୁ ଏମଏଚ ୩୭୦ ବିମାନର କ୍ରାଶ୍ ସ୍ଥାନ ମିଳିଛି । ଭାରତ ମହାସାଗରରେ ପୁଣିଥରେ ନୂତନ ଭାବରେ ଅନୁସନ୍ଧାନ ଆରମ୍ଭ କରିବାକୁ କମ୍ପାନୀ ମାଲେସିଆ ସରକାରଙ୍କୁ ପ୍ରସ୍ତାବ ଦେଇଛି।

୨୦୧୪ ମସିହା ମାର୍ଚ୍ଚ ମାସ ୮ତାରିଖ ଶୁକ୍ରବାର ଦିନ ରାତି ୧୨ଟା ୨୧ ମିନିଟରେ ମାଲେସିଆର ବିମାନ ଏମଏଚ ୩୭୦ କୁଆଲାଲାମ୍ପୁରରୁ ବେଜିଂ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ବେଜିଂ ବିମାନବନ୍ଦରରେ ଏହା ସକାଳ ୬ଟାରେ ପହଂଚିବାର ଥିଲା । ଏହି ବିମାନରେ ପାଇଲଟ ଓ କର୍ମଚାରୀଙ୍କୁ ମିଶାଇ ୨୩୯ଜଣ ଯାତ୍ରୀ ଥିଲେ । ଯାତ୍ରୀଙ୍କ ମଧ୍ୟରୁ ୧୫୩ ଜଣ ଥିଲେ ଚୀନର ନାଗରିକ । ସେ ମଧ୍ୟରୁ ୫ଜଣ ଭାରତୀୟ ଯାତ୍ରୀ ମଧ୍ୟ ଥିଲେ । ବାକି ମାଲେସିଆ, ଆମେରିକା, ରଷିଆ, କାନାଡା, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ, ଇଟାଲୀ ଓ ୟୁକ୍ରେନର ବହୁ ନାଗରିକ ଯାତ୍ରା କରୁଥିଲେ । ପ୍ରାୟ ୧ ଘଣ୍ଟାକାଳ ଉଡାଣ କରିବା ପରେ ବିମାନଟିର କୁଆଲାଲାମ୍ପୁର ବିମାନବନ୍ଦର ସହ ରେଡିଓ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ପରେ ବିମାନବନ୍ଦରର କର୍ମକର୍ତାମାନେ ବିମାନ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ହୋଇ ପାରିନଥିଲା । ଆଖପାଖ ବିମାନବନ୍ଦରର ରାଡାର ମଧ୍ୟ ବିମାନର ଗତିବିଧିକୁ ନେଇ କୌଣସି ସୂଚନା ପାଇନଥିଲେ ।

ବିମାନଟି ରହସ୍ୟଜନକ ଭାବରେ ନିଖୋଜ ହୋଇଯାଇଥିଲା । ତେବେ ବିମାନ ନିଖୋଜ ହେବାର ପୂର୍ବରୁ କକପିଟରୁ “ଅଲ ରାଇଟ ଗୁଡ ନାଇଟ” ମେସେଜ ଆସିଥିଲା ବୋଲି ମାଲେସିଆ ସେନାମୁଖ୍ୟ ସୂଚନା ଦେଇଥିଲେ । ନିଖୋଜ ମାଲେସିଆ ବିମାନ ଏମଏଚ ୩୭୦କୁ ଠାବ କରିବା ପାଇଁ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ବଡ଼ ସର୍ଚ୍ଚ ଅପରେସନ । ୨୬ଟି ଦେଶର ଅନୁସନ୍ଧାନକାରୀ ଦଳ ନିଖୋଜ ବିମାନର ସନ୍ଧାନରେ ଲାଗି ପଡ଼ିଥିଲେ । ତାଙ୍କ ସହ ସାମିଲ ହୋଇଥିଲେ ଅତ୍ୟାଧୁନିକ ଓ ଉଚ୍ଚ କ୍ଷମତାଯୁକ୍ତ ଜାହାଜ, ଅନୁସନ୍ଧାନୀ ବିମାନ ଓ ଉପଗ୍ରହ । ହେଲେ ବିମାନ ନିଖୋଜ ନେଇ କୌଣସି ଟେର ପାଇନଥିଲେ ଅନୁସନ୍ଧାନକାରୀ ଦଳ । ମାଲେସିଆ ବିମାନ ନିଖୋଜକୁ ନେଇ ମାଲେସିଆ ସରକାର ଦୁର୍ଘଟଣା ହୋଇଛି ବୋଲି ସ୍ପଷ୍ଟୀକରଣ ଦେଇ ଥିଲେ ବି ଏବେ ବି ସଂପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିନି ।

 

 

 

Leave A Reply

Your email address will not be published.