Latest Odisha News

ଯାତ୍ରୀଙ୍କୁ ନେଇଥିଲା, ଖାଲିରେ ଫେରିଆସିଲା

ନୂଆଦିଲ୍ଲୀ: ମହାକାଶ ଉଡାଣ କ୍ଷେତ୍ରରେ ଅଦ୍ଭୂତପୂର୍ବ ଘଟଣା । ଆଗରୁ କେବେ ଏମିତି ହୋଇନଥିଲା । ମହାକାଶ ଗବେଷଣା ଓ ସ୍ପେସଫ୍ଲାଇଟ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ଯାନ ମହାକାଶଯାତ୍ରୀଙ୍କୁ ଧରି ମହାକାଶ ଯାଇଥିଲା । କିନ୍ତୁ ବିନା ମହାକାଶଯାତ୍ରୀରେ ପୃଥିବୀ ପୃଷ୍ଠକୁ ଫେରିଛି ।

ମହାକାଶରୁ ଖାଲିରେ ଫେରିଲା ବୋଇଂ ଷ୍ଟାରଲାଇନର

ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ନିର୍ମିତ ମହାକାଶ ଯାନ ଷ୍ଟାରଲାଇନର । ସୁନୀତା ୱିଲିୟମସ ଓ ବଚ୍ ୱିଲମୋରଙ୍କୁ ଧରି ଜୁନ୍ ୫ ତାରିଖରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାଇଥିଲା ଷ୍ଟାରଲାଇନର । ହେଲେ ଏମିତି ଏକ ପରିସ୍ଥିତି ସୃଷ୍ଟି ହେଲା ଯେ, ସୁନୀତା ଓ ୱିଲମୋରଙ୍କୁ ନଆଣି ଖାଲି ହାତରେ ଷ୍ଟାରଲାଇନରକୁ ପୃଥିବୀ ଫେରିବାକୁ ପଡିଲା । ଏଭଳି ସ୍ଥିତି ନୂଆ ସ୍ପେସକ୍ରାଫଟ ବା ମହାକାଶଯାନ ନିର୍ମାଣରେ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ପ୍ରମାଣିତ କରିଛି । ସେପଟେମ୍ବର ୭, ଶନିବାର ଭାରତୀୟ ସମୟ ଭୋର୍ ୩ଟା ୩୪ ମିନିଟରେ ଆଇଏସଏସରୁ ବିଚ୍ଛିନ୍ନ ହୋଇଥିଲା ଷ୍ଟାରଲାଇନର । ୬ ଘଂଟା ପରେ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲା ଷ୍ଟାରଲାଇନର । ଆମେରିକାର ନ୍ୟୁ ମେକ୍ସିକୋର ହ୍ୱାଇଟ୍ ସ୍ୟାଣ୍ଡସ ସ୍ପେସ୍ ହାର୍ବରରେ ଟଚ୍ଡାଉନ କରିଥିଲା ଷ୍ଟାରଲାଇନର । ପ୍ରଥମ ଥର ପାଇଁ ଏକ ହ୍ୟୁମାନ ସ୍ପେସଫ୍ଲାଇଟରେ ମହାକାଶଚାରୀଙ୍କୁ ନ ଆଣିପାରି ପୃଥିବୀ ଫେରିଛି ଏକ ମହାକାଶ ଯାନ ।

ଷ୍ଟାରଲାଇନରେ ଦେଖାଦେଇଥିଲା ବୈଷୟିକ ତ୍ରୁଟି

ଆମେରିକୀୟ ମହାକାଶ ଯାନ ନାସାର କମର୍ସିଆଲ କ୍ରିଉ ପ୍ରୋଗ୍ରାମର ଅଂଶବିଶେଷ ଥିଲା ବୋଇଂ ନିର୍ମିତ ଷ୍ଟାରଲାଇନର । ଜୁନ୍ ୫ରେ ସୁନୀତା ଓ ୱିଲମୋରଙ୍କୁ ଧରି ଆନ୍ତର୍ଜାତିକ ମହାକାଶ କେନ୍ଦ୍ର -ଆଇଏସଏସକୁ ଯାଇଥିଲା । ଆଇଏସସ ସହ ସଂଯୋଗ ହେବା ପରେ ଷ୍ଟାରଲାଇନର ସ୍ପେସକ୍ରାଫଟରେ ଦେଖାଦେଇଥିଲା ଏକାଧିକ ବୈଷୟିକ ତ୍ରୁଟି । ଲିକ୍ ହୋଇଥିଲା ହିଲିୟମ ଓ ରିଆକସନ କଂଟ୍ରୋଲ ଥ୍ରଷ୍ଟରରେ ଦେଖାଦେଇଥିଲା ସମସ୍ୟା । ମିଶନ ମାତ୍ର ୮ ଦିନ ପାଇଁ ଥିଲା । କିନ୍ତୁ ଷ୍ଟାରଲାଇନରରେ ସମସ୍ୟା ଯୋଗୁଁ ଦୁଇ ମହାକାଶ ଯାତ୍ରୀଙ୍କୁ ପୃଥିବୀ ଫେରାଇ ଆଣିବାରେ ବିଳମ୍ବ କରିଥିଲା ନାସା । ସୁନୀତା ଓ ୱିଲମୋର ଆସନ୍ତାବର୍ଷ ଫେବ୍ରୁଆରୀରେ ସ୍ପେସଏକ୍ସ କଂପାନିର ମହାକାଶ ଯାନରେ ପୃଥିବୀକୁ ଫେରିବେ ବୋଲି ଘୋଷଣା କରିସାରିଛି ନାସା । ଆଇଏଏସରେ ଫସି ରହିଥିବା ଦୁଇ ମହାକାଶଚାରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ବଡ ରିସ୍କ ନେଇଛି ନାସା । କାରଣ ମହାକାଶରେ ଅଧିକ ଦିନ ରହିଲେ ସ୍ୱାସ୍ଥ୍ୟ ଉପରେ ଅତି ଖରାପ ପଡିବ । ନାସା ଦାବି କରିଛି ଯେ, ଦୁଇ ମହାକାଶଯାତ୍ରୀ ସୁରକ୍ଷିତ ଅଛନ୍ତି । ସୁନୀତା ଓ ୱିଲମୋର ଏକ୍ସପେଡିସନ ୭୧ର ଚାଳକ ଦଳ ସହ ମିଶି ଗବେଷଣା ଓ ଆଇଏସଏସର ରକ୍ଷଣବେକ୍ଷଣ କାମ କରୁଛନ୍ତି । ଦୁଇ ମହାକାଶଯାତ୍ରୀଙ୍କ ମହାକାଶରେ ଅଧିକ ଦିନ ଧରି ରହିବାର ଅଭିଜ୍ଞତା ରହିଛି ବୋଲି ନାସା କହିଛି ।

ଷ୍ଟାରଲାଇନର ଭବିଷ୍ୟତ କ’ଣ ହେବ?

ନାସାର କମର୍ସିଆଲ କ୍ରିଉ ପ୍ରୋଗ୍ରାମ ମିଶନ ବେଳେ ସଂଗୃହୀତ ହୋଇଥିବା ଷ୍ଟାରଲାଇନର ଡାଟା ସମୀକ୍ଷା କରାଯିବ । ଏହା ପରେ ହିଁ ଷ୍ଟାରଲାଇନର ଆଇଏସଏସକୁ ନିୟମିତ ଉଡାଣ କରିପାରିବ କି ନାହିଁ , ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ।

Comments are closed.