ପୁରୀ: ଲୋକଙ୍କ ଧାର୍ମିକ ଭାବନାର ସୁଯୋଗ ନେଇ ପୁରୀ ଜଗନ୍ନାଥ ମନ୍ଦିରରେ ଅନଲାଇନରେ ପୂଜାର୍ଚ୍ଚନାର ସୁଯୋଗ। ଏକ ଡିଜିଟାଲ୍ ପ୍ଲାଟଫର୍ମ ଭକ୍ତଙ୍କ ଭାବାବେଗ ସହ ଖେଳି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
ରଥଯାତ୍ରା ସମୟରେ ପୁରୀକୁ ଆସି ପାରୁ ନ ଥିବା ଭକ୍ତଙ୍କୁ ମନ୍ଦିର ଓ ଦେବାଦେବୀଙ୍କ ରଥରେ ସେମାନଙ୍କ ପକ୍ଷରୁ ପୂଜାର୍ଚ୍ଚନା କରି ସାହାଯ୍ୟ କରିବା ପାଇଁ ‘ଉତ୍ସବ’ ନାମରେ ଏକ ଆପ୍ଲିକେସନ ସହିତ ଓ୍ବେବସାଇଟ୍ ରହିଛି। ଏ ନେଇ ସୋଶିଆଲ ମିଡିଆରେ ବିଜ୍ଞାପନ ଦିଆଯାଇଥିଲା। ଜୁନ୍ ୨୦ରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହାର କିଛି ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୬ରୁ ଏହା ଅନଲାଇନରେ ଚାଲିଥିଲା।
ଏଥିରେ ୪୫୦୦ ଟଙ୍କା ବ୍ୟୟରେ ରଥ ଉପରେ ଅନଲାଇନ୍ ପୂଜା, ମନ୍ଦିର ଭିତରେ ସ୍ୱତନ୍ତ୍ର ପୂଜା ୨,୪୦୧ ଟଙ୍କାରେ, ୨୧୫୧ ଟଙ୍କାରେ ‘ଧ୍ୱଜା ବନ୍ଧା’ ଓ ୮୦୧ ଟଙ୍କାରେ ‘ନାମ ଓ ଗୋତ୍ର ସଙ୍କଳ୍ପ’ ସମେତ ଅନେକ ଅଫର ଆସିଥିଲା। ସେହିପରି ମଣ୍ଡପ ଭୋଗ ଦାନ ପାଇଁ ୬୯୦୧ ଟଙ୍କା ଏବଂ ମହାପ୍ରଭୁଙ୍କ ମସ୍ତକରେ ଆଟିକା ବାନ୍ଧିବାକୁ ୧୧,୫୦୧ ଟଙ୍କା ଦାବି କରାଯାଉଥିଲା । ତେବେ ମନ୍ଦିରରେ ସେପରି କୌଣସି ରୀତିନୀତି ପାଳନ କରାଯାଉନାହିଁ।
ପ୍ରାୟ ୩ ହଜାର ୭ ଶହ ଭକ୍ତ ଏହି ଅଫରର ଲାଭ ଉଠାଇବା ସହ ଅନଲାଇନରେ ଏହି ପ୍ଲାଟଫର୍ମରେ ପୂଜାର୍ଚ୍ଚନା ପାଇଁ ପେମେଣ୍ଟ କରିଛନ୍ତି।
କିନ୍ତୁ ମନ୍ଦିରର ସେବାୟତମାନେ କହିଛନ୍ତି ଯେ ଅନଲାଇନରେ ପୂଜାର୍ଚ୍ଚନା କରିବାର କୌଣସି ବ୍ୟବସ୍ଥା ନାହିଁ କିମ୍ବା ମନ୍ଦିର ପ୍ରଶାସନ ଏ ନେଇ କୌଣସି ଘୋଷଣା କରିନାହିଁ। ପଶ୍ଚିମବଙ୍ଗରୁ ପରିଚାଳିତ ହେଉଥିବା ଏହି ଅନଲାଇନ୍ ପ୍ଲାଟଫର୍ମ ‘ଉତ୍ସବ’ ରଥଯାତ୍ରାରେ ବିଭିନ୍ନ ରୀତିନୀତି ପାଳନର ମିଥ୍ୟା ପ୍ରତିଶ୍ରୁତି ଦେଇ ଅନେକ ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ନେଇ ଠକେଇ କରିଛି। ଏହା ଏକ ନକଲି ପ୍ଲାଟଫର୍ମ ଏବଂ ରଥଯାତ୍ରା ଦିନ ମୁଁ ଏହାକୁ ଠାବ କରିଥିଲି ବୋଲି ଜଣେ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏ ନେଇ ଜଗନ୍ନାଥ ସେନା ଶୁକ୍ରବାର ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
Comments are closed.