Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବଲାଙ୍ଗିର ବିଇଓ ଅଫିସ ଆକାଉଣ୍ଟାଣ୍ଟ, ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ପେନସନ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଆଜି ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି । ଜଣେ ଶିକ୍ଷକଙ୍କ ପେନସନ ଫାଇଲ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା । ଲାଞ୍ଚ ଟଙ୍କା ଜବତ କରିବା ସହ ଆକାଉଣ୍ଟାଣ୍ଟଙ୍କ ତିନୋଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।

ଅଭିଯୋଗ ଅନୁସାରେ, ଜଣେ ସହାୟକ ଶିକ୍ଷକ ତାଙ୍କ ଏନପିଏ ପେନସନ ସ୍କିମ ପାଇଁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିଲେ । ସେଠାରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ତାଙ୍କୁ ପେନସନ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶିକ୍ଷକ ଜଣକ ଏ ସମ୍ପର୍କରେ ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଏହାପରେ ଯୋଜନା ଅନୁଯାୟୀ, ସେ ଆଜି ଆକାଉଣ୍ଟାଣ୍ଟଙ୍କୁ ଟଙ୍କା ଦେବାକୁ ଆସିଥିଲେ । ତାଙ୍କ ଠାରୁ ଅଜୟ ଖୁଣ୍ଟିଆ ଲାଞ୍ଚ ନେବା ସମୟରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ । ଲାଞ୍ଚ ଟଙ୍କା ଜବତ କରିବା ସହ ବଲାଙ୍ଗୀର ଭିଜିଲାନ୍ସ ଓ ଅନ୍ୟ ଦୁଇ ଭିଜିଲାନ୍ସ ଟିମ୍ ଏବେ ଏକକାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଆକାଉଣ୍ଟାଣ୍ଟଙ୍କ ସଇଁତଳା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।

ଏହାସହିତ ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର ୨୨ରେ ୟୁସି ୭ପିସି ଆକ୍ଟରେ ମାମଲା ରୁଜୁ କରିଥିବାର ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ବର୍ତ୍ତମାନ ଚଢାଉ ଓ ଛାନଭିନ୍ ଜାରି ରହିଥିବା ବେଳେ ଏହା ସରିବା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ କହିଛି ।

Leave A Reply

Your email address will not be published.