Latest Odisha News

ଏଥର ଶୀତରେ ବୁଲିଯିବା ହରିଶଙ୍କର, ଶୀଘ୍ର କରନ୍ତୁ ଯୋଜନା

ବଲାଙ୍ଗୀର: ଶୀତର ପହିଲି ସ୍ପର୍ଶରେ ଆପଣ କୁଆଡେ ବୁଲିବାକୁ ପ୍ଲାନ କରିଛନ୍ତି କି ନାହିଁ? ଯଦି କରିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଜଣାଇବୁ। ଯେଉଁ ସ୍ଥାନକୁ ଯାଇ ଆପଣ ପ୍ରକୃତିର ସୌନ୍ଦର୍ଯ୍ୟର ମଜା ଉଠାଇପାରିବେ।ଶୀତଦିନେ ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ହରିଶଙ୍କର’ ପ୍ରାକୃତିକ ଶୋଭାରାଜିରେ ପୂରି ଉଠେ। ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ଏଠାରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ଏକାଠି ପୂଜା କରାଯାଏ, ଯାହାକି ହରିଶଙ୍କରର ଅନ୍ୟତମ ମୁଖ୍ୟ ଆକର୍ଷଣ।

ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ହରିଶଙ୍କର ଅବସ୍ଥିତ। ଏହି ସ୍ଥାନଟି ବଲାଙ୍ଗିର ସଦର ମହକୁମାଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ରହିଛି।୧୪୦୦ ଶତାବ୍ଦୀରେ ପଶ୍ଚିମ ଓଡ଼ିଶାର ଚୌହାନ ବଂଶର ରାଜାଙ୍କୁ ଏହି ସ୍ଥାନରେ ଭଗବାନ ଶଙ୍କର ଓ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଥିବା ନେଇ ସୂଚନା ମିଳିଥିଲା। ଏହା ପରଠାରୁ ବିଷ୍ଣୁ ଓ ଶଙ୍କର ଭଗବାନଙ୍କୁ ଏଠାରେ ଏକତ୍ର ପୂଜା କରାଯାଇଆସୁଛି ଏବଂ ଭଗବାନଙ୍କ ନାମାନୁସାରେ ଏହି ସ୍ଥାନକୁ ହରିଶଙ୍କର ନାମରେ ନାମିତ କରାଯାଇଛି।

ବଲାଙ୍ଗିରର ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଗଲେ ଆପଣ ହରିଶଙ୍କର ମନ୍ଦିର, ପାପହାରିଣୀ ଝରଣା, ସଲ୍‌ଡେନ୍ ପଥର ଆଦି ଦେଖିବା ସହ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ।ଗନ୍ଧମାର୍ଦ୍ଦନ ପର୍ବତରୁ ବାହାରିଥିବା ଏକ ଝରଣା ଏହି ମନ୍ଦିର ଦେଇ ବହିଯାଇଛି। ଏହାକୁ ସ୍ଥାନୀୟ ଲୋକେ ପାପହାରିଣୀ ଝରଣା ବୋଲି କହିଥାନ୍ତି। ଏହି ଝରଣାର ଶୀତଳ ଜଳରେ ସ୍ନାନ କରି ହରିଶଙ୍କରଙ୍କୁ ପୂଜା କଲେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ଵାସ ରହିଛି। ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ନିଜ ମନୋବାଞ୍ଛା ପୂରଣ କରିବା ପାଇଁ ଏଠାକୁ ଆସିଥାନ୍ତି।ହରିଶଙ୍କର ମନ୍ଦିର ପାଖ ଦେଇ ଯାଇଥିବା ଝରଣାର ପାଣି ଗଡ଼ାଣିଆ ପଥର ଶଯ୍ୟା ଉପରେ ପ୍ରବାହିତ ହୋଇଥାଏ। ଏହି ପଥର ଶଯ୍ୟାକୁ ଲୋକମାନେ ‘ସଲ୍‌ଡେନ୍ ପଥର’ ବୋଲି କହିଥାନ୍ତି। ସବୁଦିନ ପାଣି ପ୍ରବାହିତ ହେଉଥିବାରୁ ପଥର ଶଯ୍ୟାଟି ଖୁବ୍ ଚିକ୍କଣ। ଏହି ପଥର ଶଯ୍ୟାରେ ଗାଧୋଇବା ଓ ଜଳକ୍ରୀଡ଼ା କରିବା ପାଇଁ ସବୁ ପ୍ରକାର ସୁବିଧା ରହିଛି। ଏଣୁ ସଲ୍‌ଡେନ୍ ପଥର ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥାଏ।

ଗନ୍ଧମାର୍ଦ୍ଦନ ପାହାଡ଼ର ପାଦ ଦେଶରେ ଏକ ସୁନ୍ଦର ହରିଣ ଉଦ୍ୟାନ ରହିଛି। ତା ସହ ଗନ୍ଧମାର୍ଦ୍ଦନ ପାହାଡ଼ର ଉତ୍ତର ଦିଗରେ ରହିଛି ନୃସିଂହନାଥ ମନ୍ଦିର। ହରିଶଙ୍କର ଓ ନୃସିଂହନାଥ ମନ୍ଦିର ଗୋଟିଏ ପର୍ବତର ଦୁଇ ବିପରୀତ ଦିଗରେ ରହିଛି। ତେଣୁ ଏହି ଦୁଇ ପୀଠ ମଧ୍ୟରେ ୧୬ କିଲୋମିଟର ବିଶିଷ୍ଟ ଏକ ପାଦଚଲା ରାସ୍ତା ରହିଛି। ଏହି ରାସ୍ତା ଦେଇ ଲୋକମାନେ ଚାଲି ଚାଲି ଗୋଟିଏ ପୀଠରୁ ଅନ୍ୟ ପୀଠକୁ ଯାଇଥାନ୍ତି।ହରିଶଙ୍କରରେ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ଜୀବଜନ୍ତୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାଏ। ଯଦି ଆପଣ ପ୍ରକୃତିକୁ ଅତି ନିକଟରୁ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ହରିଶଙ୍କରରେ ଆପଣଙ୍କ ଇଚ୍ଛା ପୂରଣ ହୋଇଯିବ।

Comments are closed.