Latest Odisha News

ଆସ ବୁଲିଯିବା ଓଡିଶା: ପ୍ରକୃତିରାଣୀର ଚିକ୍ ମିକ୍ ଝରଣା ପାଣିରେ ଆକର୍ଷିତ ପର୍ଯ୍ୟଟକ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

ବଲାଙ୍ଗିର: ନୂଆବର୍ଷ ପାଖେଇ ଆସିବା କ୍ଷଣି ଓଡିଶାରେ ଆରମ୍ଭ ହୋଇଯାଏ ପିକନିକ୍ ବା ବଣଭୋଜି ଭ୍ରମଣ । ପ୍ରକୃତି କୋଳରେ କିଛି ସମୟ ଅତିବାହିତ ବାହିତ କରିବା ପାଇଁ କିଏ ବା ନ ଚାହେଁ । ପର୍ଯ୍ୟଟନ ଋତୁ ପାଇଁ ଚଳଚଞ୍ଚଳ ହୋଇପଡିଛି ଓଡିଶାର ସବୁ ପର୍ଯ୍ୟଟନ ସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡିଶାର ସେହି ପର୍ଯ୍ୟଟନ ସ୍ଥଳୀର ଶୋଭା ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟନ ଙ୍କ ସୁଅ ଛୁଟିଥାଏ । ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ଆପଣ ମନ୍ତ୍ରମୁଗ୍ଧ ହୋଇଯିବେ ।

ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଗନ୍ଧମାର୍ଦ୍ଦନ ପାହାଡର ଦକ୍ଷିଣ କୋଣରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମନୋରମା ଭୂଭାଗରେ ଅବସ୍ଥିତ ହରିଶଙ୍କର । ଏହି ସ୍ଥାନଟି ବଲାଙ୍ଗିର ସଦର ମହକୁମାଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ରହିଛି । ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ଅସାଧାରଣ ରମଣୀୟ ତଥା ମନୋରମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ୍‌ ପରିଚିତ । ଚିରସ୍ରୋତ ଝରଣାର କୁଲୁକୁଳୁ ନାଦର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଖସଡା ପଥର ଦେଇ ବାହିଯାଉଥିବା ଶୀତଳ ଜଳରାଶିରେ ଗାଧୋଇ ଏହାର ମଜା ଉଠାଇଥାନ୍ତି ପର୍ଯ୍ୟଟକ । ବିଶ୍ଵାସ କରାଯାଏ ଯେ ଏହି ଝରଣାର ଶୀତଳ ଜଳରେ ସ୍ନାନ କରି ପ୍ରଭୁ ହରିଶଙ୍କରଙ୍କ ପୂଜା କଲେ, ଭକ୍ତ ସମସ୍ତ ପ୍ରକାର ପାପରୁ ମୁକ୍ତି ପାଇଥାଏ । ତେଣୁ ବର୍ଷତମାମ ଦେଶର କୋଣ ଅନୁକୋଣରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟେ । କିମ୍ବଦନ୍ତୀ ଅନୁସାରେ ୧୪୦୦ ଶତାବ୍ଦୀରେ ପଶ୍ଚିମ ଓଡ଼ିଶାର ଚୌହାନ ବଂଶର ରାଜାଙ୍କୁ ଏହି ସ୍ଥାନରେ ଭଗବାନ ଶଙ୍କର ଓ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଥିବା ନେଇ ସୂଚନା ମିଳିଥିଲା। ଏହା ପରଠାରୁ ବିଷ୍ଣୁ ଓ ଶଙ୍କର ଭଗବାନଙ୍କୁ ଏଠାରେ ଏକତ୍ର ପୂଜା କରାଯାଇଆସୁଛି ଏବଂ ଭଗବାନଙ୍କ ନାମାନୁସାରେ ଏହି ସ୍ଥାନକୁ ହରିଶଙ୍କର ନାମରେ ନାମିତ କରାଯାଇଛି।

ଏହା ମଧ୍ୟ ପଢନ୍ତୁ

https://odishasambad.in/odisha-is-celebrating-mandia-divas-today/

ବିଭିନ୍ନ ପ୍ରକାର ଉଦ୍ଭିଦ ଓ ଜୀବଜନ୍ତୁରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡର ପାଦ ଦେଶରେ ଏକ ସୁନ୍ଦର ହରିଣ ଉଦ୍ୟାନ ରହିଛି ଯାହା ଏହି ପର୍ଯ୍ୟଟନ ସ୍ଥଳୀର ସୋଭାକୁ ଦ୍ଵିଗଣିତ କରିଦିଏ । ବୈଶାଖ ପୁର୍ଣ୍ଣିମାରେ ହରିଶଙ୍କର ଠାରେ ଏକ ମେଳା ଅନୁଷ୍ଠିତ ହୋଇଥାଏ। ଏହି ବୈଶାଖ ମେଳା ଅବସରରେ ପର୍ଯ୍ୟଟକ ମାନେ ବହୁଦୂର ଦୁରାନ୍ତରରୁ ଆସିଥାନ୍ତି । ପଶ୍ଚିମ ଓଡ଼ିଶା ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନେ ହରିଶଙ୍କର ନବୁଲିଲେ ତାଙ୍କ ବୁଲିବା ଅଧା ରହିଗଲା ବୋଲି କୁହନ୍ତି । ତେଣୁ ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହରିଶଙ୍କରରେ ବର୍ଷ ତମାମ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ଼ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଆଧ୍ୟାତ୍ମିକ ପରିବେଶରେ ନିଜକୁ ହଜାଇ ଦେବାକୁ କାହିଁ କେତେ ଆଡ଼ୁ ପ୍ରକୃତି ପ୍ରେମୀମାନେ ଆସିଥାନ୍ତି । ନୃସିଂହନାଥ ଓ ହରିଶଙ୍କରଙ୍କୁ ଦର୍ଶନ କରିବା ସହିତ ଏଠାରେ ଥିବା ଜଳପ୍ରପାତରେ ସ୍ନାନ କରି ପର୍ଯ୍ୟଟକମାନେ ସ୍ୱର୍ଗୀୟ ତୃପ୍ତି ଅନୁଭବ କରନ୍ତି । ଏଥିସହ ଏଠାରେ ଆପଣ ଗନ୍ଧମାର୍ଦ୍ଦନ ପାହାଡ଼ ଚଢ଼ିବାର ରୋଚକ ଅନୁଭୂତି ମଧ୍ୟ ଲାଭ କରିପାରିବେ ।

Leave A Reply

Your email address will not be published.