Latest Odisha News

BREAKING NEWS

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଗିରଫ, ରେଡ୍‌ରୁ ମିଳିଲା ଆୟ ତୁଳନାରେ ୧୧୩% ଅଧିକ ସମ୍ପତ୍ତି

ବଲାଙ୍ଗିର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଗିରଫ ହେଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରା। ଗତକାଲି ବଲାଙ୍ଗିର ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ପୁରୀ, ବଲାଙ୍ଗିର ଏବଂ ସମ୍ବଲପୁରସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ କରିଥିଲା। ଏହି ରେଡ୍‌ରେ ସୁଦର୍ଶନ ବେହେରାଙ୍କ ସମ୍ପତ୍ତି ଆୟ ତୁଳନାରେ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ମିଳିଥିବା ଭିଜିଲାନ୍ସ ଏସ୍‌ପି ଏ ଜେମ୍ସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବଲାଙ୍ଗୀର ଓ ପୁରୀରେ ସୁଦର୍ଶନଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଥିଲା। ତଦନ୍ତ ଅନୁଯାୟୀ ସୁଦର୍ଶନ ଦୁଇ କୋଟିରୁ ଊର୍ଦ୍ଧ୍ବ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି। ପୁରୀରେ ୧୬ ସମେତ ମୋଟ ୨୮ଟି ପ୍ଲଟ ଥିବା ବେଳେ ଲାଞ୍ଚ ଟଙ୍କାରେ ଏକ ବଡ଼ ଆଟଲିକା ନିର୍ମାଣ କରିଛନ୍ତି। ଯାହାର ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ। ଏହାସହ ୫୦ ଲକ୍ଷ ଟଙ୍କା, ୨୫୦ ଗ୍ରାମର ସୁନା ଅଳଙ୍କାର, ୩ଟି ଦାମୀ କାର ଆଉ ଗୋଟେ ସ୍ପୋର୍ଟସ ବାଇକ୍‌କୁ ମଧ୍ୟ ଜବତ କରାଯାଇଛି। ସୁଦର୍ଶନ ଆୟଠାରୁ ୧୧୩ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିଲେ।

ଗୁରୁବାର ସୁଦର୍ଶନ ପାଣିଗ୍ରାହୀଙ୍କ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଜୟପୁରସ୍ଥିତ ବାସଭବନ, ପୁରୀ ସଦର ଅଧୀନସ୍ଥ କାଶୀହରିପୁର ସ୍ଥିତ ବାସଭାବନ, ସତ୍ୟବାଦୀସ୍ଥିତ ନହଲା ବାସଭବନ, ସମ୍ବଲପୁର ସିଆରପିଏଫ କ୍ୟାମ୍ପସରେ ଥିବା ତାଙ୍କ ପତ୍ନୀଙ୍କ ସରକାରୀ ବାସଭବନ, ପୁରୀ ଜିଲ୍ଲାର ଗୋପ ସ୍ଥିତ ସୋରିଷପଦାର ସିମିଳି ଗାଁରେ ଥିବା ବାସଭବନ, ବଲାଙ୍ଗିର ସ୍ଥିତ ପ୍ରଫେସର ବେହେରାଙ୍କ ଅଫିସ ଉପରେ ଚଢାଉ କରିଛି ଭିଜିଲାନ୍ସ। ଚଢଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡିଥିଲା। ଏହି ଚଢାଉରେ ଭିଜିଲାନ୍ସର ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Leave A Reply

Your email address will not be published.