ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଦୁନିଆରେ ଯୁବପିଢ଼ି କେଉଁଠି ହଜିଯାଉଛନ୍ତି କି ? ସୋସିଆଲ ମିଡିଆର ‘ଟ୍ରେଣ୍ଡ’ ପଛରେ ଦୌଡୁଥିବା ଜେନ୍-ଜି (GenZ) କୁ ଏବେ ଏକ ବଡ଼ ପରାମର୍ଶ ଦେଇଛନ୍ତି ବଲିଉଡର ଅଭିନେତ୍ରୀ କାଜୋଲ। କାଜୋଲ କହିଛନ୍ତି, କେବଳ ଲାଇକ୍, କମେଣ୍ଟ କିମ୍ବା ଟ୍ରେଣ୍ଡ ଦ୍ୱାରା ନୁହେଁ, ବରଂ ନିଜସ୍ୱ ନିଷ୍ପତ୍ତି ଏବଂ ମୂଲ୍ୟବୋଧ ଦ୍ୱାରା ହିଁ ଜଣେ ବ୍ୟକ୍ତିର ପ୍ରକୃତ ପରିଚୟ ସୃଷ୍ଟି ହୁଏ।
ସୋସିଆଲ ମିଡିଆରେ ସବୁବେଳେ ନିଜର ସ୍ପଷ୍ଟ ମତାମତ ପାଇଁ ଜଣାଶୁଣା ଅଭିନେତ୍ରୀ କାଜୋଲ। ନିକଟରେ ଏକ ପୋଡକାଷ୍ଟରେ ସେ ଆଜିର ଯୁବପିଢ଼ିଙ୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। କାଜୋଲଙ୍କ କହିବା ଅନୁସାରେ, ଆଜିର ଯୁବପିଢ଼ି ‘ଇନଫର୍ମେସନ ଓଭରଲୋଡ୍’ ବା ଅତ୍ୟଧିକ ସୂଚନା ମଧ୍ୟରେ ଅଣନିଶ୍ୱାସୀ ହୋଇପଡୁଛନ୍ତି। ଇଣ୍ଟରନେଟରେ ସବୁ ପ୍ରଶ୍ନର ଉତ୍ତର ତ ମିଳିଯାଉଛି, କିନ୍ତୁ ସେଥିମଧ୍ୟରୁ ନିଜ ପାଇଁ କଣ ସଠିକ୍, ତାହା ବାଛିବା କଷ୍ଟକର ହୋଇପଡୁଛି।
ତେଣୁ କେବଳ ଟ୍ରେଣ୍ଡ ପଛରେ ଦୌଡ଼ନ୍ତୁ ନାହିଁ। ନିଜର ମୂଲ୍ୟବୋଧ ଏବଂ ସୀମା ନିଜେ ସ୍ଥିର କରନ୍ତୁ। ନିଜସ୍ୱ ନିଷ୍ପତ୍ତି ନେବା ପାଇଁ ଶିଖନ୍ତୁ ବୋଲି କାଜୋଲ ପରାମର୍ଶ ଦେଇଛନ୍ତି । କାଜୋଲ ନିଜ ସମୟର ଉଦାହରଣ ଦେଇ କହିଛନ୍ତି ଯେ, ପୂର୍ବରୁ ସୂଚନା ସୀମିତ ଥିଲା, ତେଣୁ ମଣିଷକୁ ନିଜ ବିବେକ ବ୍ୟବହାର କରିବାକୁ ପଡ଼ୁଥିଲା। କିନ୍ତୁ ଆଜିର ଡିଜିଟାଲ୍ ଯୁଗରେ ପିଲାମାନଙ୍କର ନିଷ୍ପତ୍ତି ନେବା କ୍ଷମତା ହ୍ରାସ ପାଉଛି। ଏପରିକି ସେ ନିଜ ସନ୍ତାନ ନିସା ଏବଂ ଯୁଗ୍ଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ଆଜିର ସମାଜରେ ଝିଅମାନଙ୍କ ଉପରେ ସୋସିଆଲ ମିଡିଆର ଚାପ ଅଧିକ ରହୁଛି।
“ଶେଷରେ ଆପଣଙ୍କୁ ନିଜ ନିଷ୍ପତ୍ତି ନିଜେ ହିଁ ନେବାକୁ ହେବ। ବାହାରର କୋଳାହଳରୁ ଦୂରେଇ ରହି ନିଜର ପ୍ରାଥମିକତା କଣ, ତାହା ବୁଝିବା ନିହାତି ଜରୁରୀ।” ବୋଲି କହିଛନ୍ତି କାଜୋଲ ।
ତେବେ କାଜୋଲଙ୍କ ଏହି ବାର୍ତ୍ତା ସ୍ପଷ୍ଟ କରୁଛି ଯେ, ବାସ୍ତବ ଜୀବନ ସୋସିଆଲ ମିଡିଆର ‘ରିଲ୍’ ଠାରୁ ବହୁତ ଭିନ୍ନ। ଯଦି ଆମେ ନିଜର ସ୍ୱତନ୍ତ୍ର ଚିନ୍ତାଧାରା ରଖିବା ନାହିଁ, ତେବେ ଏହି ଡିଜିଟାଲ୍ ଭିଡ଼ ମଧ୍ୟରେ ଆମେ ନିଜର ଅସ୍ତିତ୍ୱ ହରାଇ ବସିବା।