ପୁରୀ: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଜମାଲପୁର ଗ୍ରାମରେ ରାତି ଅଧିଆ ଫୁଟିଲା ବୋମା। ବୋମାମାଡ଼ରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ବୋମାମାଡ଼ ବେଳେ ହାତରେ ଫୁଟିଲା ବୋମା। ଏଥିରେ ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଶିଶୁ ସମେତ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।
ରାଜକିଶୋରଙ୍କ ହାତ ପାପୁଲିରେ ବୋମା ବିସ୍ଫୋରଣ ଘଟି ପାପୁଲି ଛିଣ୍ଡି ଯାଇଥିବା ସୂଚନା ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ଜମାଲପୁର ଗ୍ରାମରେ ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ତାହା ଅଧାରୁ ବନ୍ଦ ହୋଇଯାଇଥିଲା । ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ପଡୋଶୀ ଗ୍ରାମର ଅନ୍ୟ ଜଣଙ୍କର ପୂର୍ବ ବିବାଦକୁ ନେଇ ରାତି ପ୍ରାୟ ସାଢେ ଗୋଟାଏରେ ଗଣ୍ଡଗୋଳ ଘଟିଥିଲା।
ପରେ ଏହା ଉଗ୍ରରୂପ ଧାରଣା କରିଥିଲା। ଏହାକୁ ନେଇ ଦୁଇଟି ବୋମାମାଡ ହୋଇଥିବା ସୂଚନା ମିଳିଛି। ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ସାଇଣ୍ଟିଫିକ ଟିମ ପହଂଚି ଜୀବନ୍ତ ବୋମା ଓ ଫୁଟା ବୋମାର ସୁତୁଲି ଓ ଗୋଡି ଜବତ କରିଥିବା ସୂଚନା ମିଳିଛି।
Comments are closed.