Latest Odisha News

BREAKING NEWS

ପାଟଣାଗଡ଼ରେ ଚାଞ୍ଚଲ୍ୟ, ବୋମା ବିସ୍ଫୋରଣରେ ଯୁବକ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକରେ ବୋମା ବିସ୍ଫୋରଣ। ଉକ୍ତ ବ୍ଲକର ବିଲେଇସାଥୀ ଗାଁ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଏକ ପଲିଥିନ ଭିତରେ ଥିବା ବୋମା ହେଲା ବିସ୍ଫୋରଣ। ଏହି ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଉକ୍ତ ଗ୍ରାମର ହେମସାଗର ସାହୁ।

ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ଗାଁ ନିକଟରେ ଥିବା ସେତୁ ତଳକୁ ଶୌଚ ପାଇଁ ଯାଇଥିଲେ ହେମସାଗର। ସେଠାରେ ଏକ ବୁଦାମୂଳରେ ପଲିଥିନ ବ୍ୟାଗ ପଡିଥିବା ଦେଖି ହେମସାଗର ତାକୁ ଖୋଲିଥିଲେ। କିଛି ଜାଣିବା ପୂର୍ବରୁ ହଠାତ୍ ପଲିଥିନ ଭିତରେ ଥିବା ବୋମା ବିସ୍ଫୋରଣ ହେଲା। ବୋମା ବିସ୍ଫୋରଣ ହେବାର ଭୟଙ୍କର ଶବ୍ଦ ପାଇଁ ଗାଁ ଲୋକେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେଠାରେ ହେମସାଗର ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ପଡିଥିଲେ।

ଗୁରୁତର ଅବସ୍ଥାରେ ଯୁବକଙ୍କୁ ପାଟଣାଗଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇଁ ପାଟଣାଗଡ଼ ମେଡିକାଲକୁ ଉପଜିଲ୍ଲାପାଳ, ତହସିଲଦାର ପହଞ୍ଚିଥିଲେ। ସେହିପରି ପୋଲିସ ଡାକ୍ତରଖାନା ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପଲିଥିନରେ କିଏ ଏବଂ କାହିଁକି ଏପରି ବୋମା ରଖିଥିଲା ସେନେଇ ଏବେ ସନ୍ଦେହ ଘେରରେ। ଉକ୍ତ ଘଟଣା ସମ୍ପର୍କରେ ତୁରନ୍ତ ତଦନ୍ତ ଆରମ୍ଭ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.