ସମ୍ବଲପୁର: ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ମିଳିଲା ବୋମା ଧମକ । ଇ-ମେଲ ଜରିଆରେ ଏହି ଧମକପୂର୍ଣ୍ଣ ମେଲ୍ ଆଶିଛି । ଯାହା ଜିଲ୍ଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଧମକପୂର୍ଣ୍ଣ ମେଲ୍ ଆସିବା ପରେ ପୋଲିସ ସୁରକ୍ଷା ବାହିନୀ, ଦମକଳ ବାହିନୀ ସହ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲାକୋର୍ଟ ପରିସର ସହିତ ସିଭିଲ କୋର୍ଟ ଆଦି ସମଗ୍ର ଅଞ୍ଚଳକୁ ଟିକିନିକ କରି ଯାଞ୍ଚ କରିଛନ୍ତି ।
ବର୍ତ୍ତମାନ ପ୍ରତ୍ୟେକ ପ୍ରବେଶ ପଥରେ ଲୋକଙ୍କର ସ୍କ୍ରିନିଂ କରାଯାଉଥିବା ବେଳେ ଡିଏଫଏମଡି ଏବଂ ଏଚଏଚଏମଡି ଭଳି ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ କଡ଼ା ଯାଞ୍ଚ କରାଯାଉଛି । ଏଥିସହିତ ସଶସ୍ତ୍ର ପୋଲିସ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ସାଇବର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୂର୍ବରୁ ଆସିଥିବା ଏଭଳି ଧମକପୂର୍ଣ୍ଣ ମେଲ୍ ଗୁଡ଼ିକ ବିଦେଶରୁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ତଦନ୍ତକାରୀ ଦଳ ନେଦରଲାଣ୍ଡ ଏବଂ ଜର୍ମାନୀ ଭଳି ଦେଶରୁ ଆଇପି ଆଡ୍ରେସ ଚିହ୍ନଟ କରିଥିବା ବେଳେ ପ୍ରକୃତ ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ଆନ୍ତର୍ଜାତୀୟ ନିୟମ ଅନୁସାରେ ପଦକ୍ଷେପ ନିଆଯାଉଛି । ଏହା ପୂର୍ବରୁ ଜାନୁଆରୀ ୮, ମାର୍ଚ୍ଚ ୧ ଏବଂ ଏପ୍ରିଲ ୨ ତାରିଖରେ ଏଭଳି ତିନି ତିନି ଥର ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।