ନୂଆଦିଲ୍ଲୀ: ଦିଲ୍ଲୀରୁ ଛାଡିବାକୁ ଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି। ଯାହାପରେ ବିମାନକୁ ତୁରନ୍ତ ଲକ୍ଷ୍ନୌ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ସକାଳ ୯ଟା ୧୭ମି.ରେ ଲକ୍ଷ୍ନୌରେ ବିମାନଟି ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରିଥିଲା।
ଇଣ୍ଡିଗୋ ବିମାନ 6E 6650 222 ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଉଡ଼ାଣ ଭରଥିଲା। ଏହା ପଶ୍ଚିମବଙ୍ଗର ବାଗଡୋଗ୍ରା ଅଭିମୁଖେ ଯାଉଥିବା ବେଳେ ବୋମା ଧମକ ମିଳିଥିଲା। ଯାହାପରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ବିମାନବନ୍ଦରରେ ଅବତରଣ କରିଥିଲା ବିମାନ।
ବିମାନବନ୍ଦର ପ୍ରଶାସନ ଅନୁଯାୟୀ, ବିମାନରେ ବୋମା ଥିବା ବିଷୟରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ପ୍ରାୟ ୮:୪୬ରେ ସୂଚନା ଦେଇଥିଲା। ସୁରକ୍ଷା ପ୍ରୋଟୋକଲ ଅନୁସରଣ କରି, ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସକ୍ରିୟ ହୋଇପଡ଼ିଥିଲେ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ କେହି ଜଣେ ଟିସୁ ପେପରରେ “ବିମାନରେ ବୋମା ଅଛି” ବୋଲି ଲେଖିଥିବା ଜଣାପଡ଼ିଛି। ଏହି ଟିସୁ ପେପର ମିଳିବା ପରେ ସମଗ୍ର ବିମାନରେ ଆତଙ୍କ ସୃଷ୍ଟି ହୋଇଥିଲା। ଫଳରେ ବିମାନକୁ ତୁରନ୍ତ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା।
ଏହି ଇଣ୍ଡିଗୋ ବିମାନରେ ୨୨୨ ଜଣ ଯାତ୍ରୀ ଏବଂ ଆଠ ଜଣ ଶିଶୁ ଥିଲେ। ଏହା ସହିତ ଦୁଇଜଣ ପାଇଲଟ୍ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ମଧ୍ୟ ବିମାନରେ ଥିଲେ। ସମସ୍ତେ ସୁରକ୍ଷିତ ଥିବା ବେଳେବମ୍ ସ୍କ୍ୱାଡ୍ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି।