ପୁରୀ: ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରି ଯୁବକ ଗିରଫ । ଅଭିଯୁକ୍ତ ପ୍ରତୀକ ମିଶ୍ରଙ୍କୁ ଗିରଫ କଲା ସିଂହଦ୍ବାର ଥାନା ପୋଲିସ । ଯୁବତୀଙ୍କ ନାଁରେ ଫେସବୁକ୍ ଆକାଉଣ୍ଟ ଖୋଲି ଧମକପୂର୍ଣ୍ଣ ପୋଷ୍ଟ କରିଥିଲେ । ଆଉ ଧରାପଡ଼ିବା ପରେ ସତ ଜାଣି ସମସ୍ତେ ଏବେ ଚକିତ। ପ୍ରେମରେ ବିଫଳ ହୋଇ ବାଛିଥିଲେ ଭୁଲ୍ ବାଟ।
ସୂଚନାଥାଉକି, ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ ପ୍ରତୀକ। ହେଲେ ଏଥିରେ ବିଫଳ ହେବାରୁ ଉକ୍ତ ମହିଳାଙ୍କ ନାଁରେ ଏକ ଆକାଉଣ୍ଟ କରି ଶ୍ରୀମନ୍ଦିରରେ ବୋମାମାଡ଼ କରିବା ଧମକ ପୋଷ୍ଟ କରିଥିଲେ। ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଧମକ ଓ ଗ୍ରାଣ୍ଡ ସେଣ୍ଟରରେ ଗୁଳିମାଡ଼ ନେଇ ମଧ୍ୟ ପୋଷ୍ଟ କରିଥିଲେ।
ଏପଟେ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ପୋଷ୍ଟ ପରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା କିଏ ଏବଂ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତା ସୋସିଆଲ ମିଡିଆରେ ପୋଷ୍ଟ କରିଛି ? ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ତଦନ୍ତ ଜୋରଦାର କରାଯାଇଥିଲା, ଏବେ ଧମକ ଦେଇଥିବା ଅଭିଯୁକ୍ତ ଧରାପଡିଛନ୍ତି ।