ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ଓ ତଦନ୍ତକାରୀ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି ।
ବିମାନଟି ଦିଲ୍ଲୀର ଟି୨ ଟର୍ମିନାଲରୁ ସକାଳ ୫:୦୪ ରେ ବନାରସ ଅଭିମୁଖେ ଯାତ୍ରା କରିବାର ଥିଲା । କିନ୍ତୁ ସେତିକି ବେଳେ ବୋମା ବିଷୟରେ ସୂଚନା ପାଇଥିଲା ବିମାନ କତୃପକ୍ଷ । ଏହାପରେ ତୁରନ୍ତ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ସଙ୍ଗେ ସଙ୍ଗେ ଏନେଇ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ତଦନ୍ତକାରୀ ଦଳଙ୍କୁ ଖବର ଦିଆଯାଇଥିଲା । ଏହା ବ୍ୟତୀତ ଘଟଣାସ୍ଥଳରେ ସିଆଇଏସଏଫର ୫ ଟି ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି।
ଏହାରିଭିତରେ ଇଣ୍ଡିଗୋ ବିମାନରୁ ଯାତ୍ରୀମାନଙ୍କୁ ଓହ୍ଲାଇଦିଆଯିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତେବେ କହିରଖୁଛୁ ଯେ, ଗତ କିଛି ଦିନ ହେବ ଦିଲ୍ଲୀର ହୋଟେଲ, ସ୍କୁଲ ଏବଂ ଡାକ୍ତରଖାନା ସମେତ ଅନେକ ସ୍ଥାନକୁ ବୋମାରେ ଉଡେଇଦେବାର ଧମକ ମିଳିଛି । କିନ୍ତୁ ପରେ ତଦନ୍ତରୁ ଏହା ମିଥ୍ୟା ଧମକ ବୋଲି ଜଣାପଡିଛି ।
Comments are closed.