ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣିଥରେ ଏକ ବଡ଼ ଧରଣର ଆତଙ୍କ ଖେଳିଯାଇଛି। ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ କୌଣସି ଅଜ୍ଞାତ ଦୁର୍ବୃତ୍ତ ଧମକ ଦେଇଛି। ଏହି ଖବର ପ୍ରଚାରିତ ହେବା ମାତ୍ରେ କୋର୍ଟ ପରିସରରେ ଥିବା ବିଚାରପତି, ଆଇନଜୀବୀ, କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଧମକ ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ସମଗ୍ର କୋର୍ଟ ପରିସରରେ ହାଇଆଲର୍ଟ ଜାରି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏକ ଅଜ୍ଞାତ ଇମେଲ୍ ଆଇଡିରୁ ଭୁବନେଶ୍ୱର କୋର୍ଟ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ଏହି ଇମେଲ୍ରେ କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ଏବଂ କିଛି ସମୟ ମଧ୍ୟରେ ଏହାକୁ ବିସ୍ଫୋରଣ କରି ଉଡ଼ାଇ ଦିଆଯିବ ବୋଲି ଉଲ୍ଲେଖ ରହିଥିଲା। ତେବେ କୋର୍ଟକୁ ଏଭଳି ଧମକ ମିଳିବା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ସମାନ ଢଙ୍ଗରେ ନ୍ୟାୟାଳୟକୁ ଟାର୍ଗେଟ୍ କରାଯାଇ ବୋମା ଧମକ ଦିଆଯାଇସାରିଛି। କିନ୍ତୁ ଏଥର ପୋଲିସ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି।
ବୋମା ଧମକ ସମ୍ପର୍କରେ ଖବର ପାଇବା ମାତ୍ରେ କମିଶନରେଟ୍ ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ଥାନୀୟ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କୌଣସି ଅଘଟଣ ଆଶଙ୍କାରେ କୋର୍ଟ ପରିସରରେ ସୁରକ୍ଷା ବଢ଼ାଇ ଦିଆଯାଇଛି।
ସର୍ବସାଧାରଣ ସ୍ଥାନରେ ଏଭଳି ଆତଙ୍କ ଖେଳାଇବା ପଛରେ କାହାର ହାତ ଅଛି ଏବଂ ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ, ସେ ନେଇ ପୋଲିସ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛି। ଯେଉଁ ଇମେଲ୍ ଆଇଡିରୁ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଥିଲା, ସାଇବର ସେଲ୍ ସହାୟତାରେ ତାର ଉତ୍ସ ବା ଆଇପି ଆଡ୍ରେସ୍ (IP Address) ଟ୍ରାକ୍ କରିବା ପାଇଁ ଛାନଭିନ୍ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।