ମୁମ୍ବାଇ: ମୁମ୍ବାଇ ଉଡ଼ାଇବାକୁ ଧମକ ଦେବା ଅଭିଯୋଗରେ ଦିଲ୍ଲୀ ନୋଏଡାରୁ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି।
ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ମୁମ୍ବାଇ ଟ୍ରାଫିକ୍ ପୋଲିସର ସରକାରୀ ହ୍ୱାଟ୍ସଆପ୍ ନମ୍ବରରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଯେଉଁଥିରେ ଦାବି କରାଯାଇଥିଲା ଯେ ସହରର ୩୪ଟି ଗାଡ଼ିରେ ମାନବ ବୋମା ଲଗାଯିବା ସହ ଅନନ୍ତ ଚତୁର୍ଦ୍ଦଶୀ ଦିନ ୪୦୦ କିଲୋଗ୍ରାମ RDX ସହିତ ସମଗ୍ର ସହରକୁ ଉଡ଼ାଇ ଦିଆଯିବ। ଏଥିସହିତ ଏହି ବିସ୍ଫୋରଣରେ ୧ କୋଟି ଲୋକ ନିଜର ଜୀବନ ହରାଇବା ନେଇ ମଧ୍ୟ କୁହାଯାଇଥିଲା।
ତେବେ ବର୍ତ୍ତମାନ୍ ପୋଲିସ ଏହାର ତଦନ୍ତ କରି ଧମକ ଦେଇଥିବା ବ୍ୟକ୍ତିଙ୍କୁ ନୋଏଡାର ସେକ୍ଟର ୭୯ ରେ ଥିବା ସିଭିଟେକ୍ ଷ୍ଟାଡିଆ ସୋସାଇଟିରୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଅଶ୍ୱିନୀ କୁମାର ସୁପ୍ରା। ସେ ବିହାରର ବାସିନ୍ଦା ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ସେ ଗତ ପାଞ୍ଚ ବର୍ଷ ଧରି ନୋଏଡାରେ ନିଜକୁ ଜଣେ ଜ୍ୟୋତିଷ ଭାବେ ପରିଚିତ କରାଇ ରହି ଆସୁଥିଲେ। ସମ୍ପୂର୍ଣ୍ଣ ମାମଲାଟିକୁ ୨୪ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାଶ କରିବାରେ ପୋଲିସ ସଫଳତା ହାସଲ କରିଛି।
ନିଜକୁ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ଜିହାଦି’ର ସଦସ୍ୟ ଭାବେ ସେ ନିଜର ପରିଚୟ ଦେଇଥିଲେ ଓ ୧୪ ଜଣ ଆତଙ୍କବାଦୀ ମୁମ୍ବାଇରେ ପ୍ରବେଶ କରିଥିବା ମଧ୍ୟ ଦାବି କରାଯାଇଥିଲା। ଏଥିସହିତ ମେସେଜରେ ମୁମ୍ବାଇ ପୋଲିସ ବିରୁଦ୍ଧରେ ଅନେକ ଅପମାନଜନକ ଶବ୍ଦ ମଧ୍ୟ ବ୍ୟବହାର କରାଯାଇଥିଲା।
ଏହା ପରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ବର୍ତ୍ତମାନ ଅଶ୍ୱିନୀଙ୍କୁ ନୋଏଡାରୁ ମୁମ୍ବାଇ ଅଣାଯାଇ ପୁଙ୍ଖାନୁପୁଙ୍ଖ ପଚରାଉଚରା କରାଯିବ। ଯାହାଦ୍ୱାରା ଧମକ ପଛର ପ୍ରକୃତ ଉଦ୍ଦେଶ୍ୟ ଜଣାପଡିବ ବୋଲି ସୂତ୍ରରୁ ପ୍ରକାଶ।
Comments are closed.