Latest Odisha News

ପୁସ୍ତକ ପରିଚୟ : ଏନ୍ତୁଡ଼ିରୁ ଏପର୍ଯ୍ୟନ୍ତ

ଏନ୍ତୁଡ଼ିରୁ ଏପର୍ଯ୍ୟନ୍ତ
ସମ୍ପାଦନା : ତପନ ମହାପାତ୍ର
ପ୍ରକାଶକ : ଆଦିତ୍ୟ ଭାରତ
ପୃଷ୍ଠା : ୨୧୦
ମୂଲ୍ୟ : ୨୦୦

ଏନ୍ତୁଡ଼ିରୁ ଜୁଇ ଯାଏଁ ଲମ୍ବିଥିବା ତମାମ କାଳଖଣ୍ଡର ନାମ ଜୀବନ। ହସ, ଲୁହ, ସ୍ୱପ୍ନ , ସମ୍ଭାବନା, ଭୁଲ, ଠିକ, ପ୍ରେମ ,ବିରହ ସବୁକୁ ନେଇ ଜୀବନ। କେବେ ଦୁଃଖ ତ କେବେ ସୁଖ । ଲକ୍ଷେ ଦୁଃଖ ଭିତରେ ଚେନାଏ ହସରଧାର ହିଁ ଜୀବନର ସାର୍ଥକତା। ନିଜର ଜୀବନକାଳ ଭିତରେ ଜଣେ କେବଳ ନିଜ ପାଇଁ ବଞ୍ଚେ ନାହିଁ , ବଞ୍ଚୁଥାଏ ଆଖ ପାଖର ଆହୁରି ଅନେକ ଜୀବନ ପାଇଁ। ସେଇ ଜୀବନ ଯେତେବେଳେ ନାରୀଟିଏର ହୋଇଥାଏ ତେବେ ତାହା ଆହୁରି ସ୍ୱତନ୍ତ୍ର ହୋଇଯାଏ।

ଏପରି ଏକ ନିଆରା ସୃଷ୍ଟି ହେଉଛି ବିଶିଷ୍ଟ ଗାଳ୍ପିକ ତପନ ମହାପାତ୍ରଙ୍କ ସମ୍ପାଦିତ ପୁସ୍ତକ ‘ଏନ୍ତୁଡ଼ିରୁ ଏପର୍ଯ୍ୟନ୍ତ’ । ଶୂନରୁ ଶହେ ଭିତରେ ନାରୀ ଜୀବନର ଦଶଟି ଭାଗର ଭିନ୍ନ ଭିନ୍ନ ଆବେଗର ସମଷ୍ଟିରେ ଦଶ ଜଣ ବିଶିଷ୍ଟ ଓଡ଼ିଆ ଲେଖିକାଙ୍କର ଜୀବନର ସ୍ମୃତି ଓ ଅନୁଭୂତି ତଥା ଭବିଷ୍ୟତର ଭାବନାର ଏକ ବାସ୍ତବ ରୂପକୁ ନେଇ ଏହା ରଚିତ।

ପୁସ୍ତକର ପ୍ରଥମ ଭାଗ ‘ ଷଠିଘର : ସେଇ ପାଦ ‘ ଗାଳ୍ପିକା ଗୋଲାପ ମଞ୍ଜରୀ କରଙ୍କ ଆଦ୍ୟ ଜୀବନର ସ୍ମୃତିର ସ୍ପର୍ଶରେ ରୂପାୟିତ ହୋଇଛି। ଜନ୍ମସମୟର ଜନ୍ମଦାତ୍ରୀଙ୍କୁ ହରେଇ , ପରେ ପରେ ପିତୃହରା ହେବାର ଅନୁଭୂତିକୁ ଭାବପ୍ରବଣତା ଫର୍ଦ୍ଦରେ ସେ ଜୀବନ୍ତ କରିଛନ୍ତି । ମା’ର ପାଖ ଛାଡୁନଥିବା ଛୁଆଟିଏ ଯେତେବେଳେ ହଠାତ ସାତ ତାଳ ପାଣି ଭିତରେ ଥିବା ଗୋପନ ସିନ୍ଦୁକର ରହସ୍ୟ ଜାଣିଯାଏ ସେତେବେଳେ ତା’ ଚାରିପାଖର ଦୁନିଆ ସମ୍ପୂର୍ଣ୍ଣ ରୂପେ ବଦଳିଯାଏ। ଶୂନ୍ୟସ୍ଥାନ ଯେତେ ବଡ଼ହେଉ ସ୍ନେହ, ଶ୍ରଦ୍ଧା ଓ ଆପଣାପଣରେ ତାହା ପୂର୍ଣ୍ଣ ହୋଇଯାଏ। ଲେଖିକାଙ୍କର ଆଦ୍ୟ ଜୀବନର ସ୍ମତି ପାଠକଙ୍କୁ ନିଜର ବାଲ୍ୟ ଜୀବନକୁ ଥରେ ଉଙ୍କି ମାରିବାକୁ ବାଧ୍ୟ କରିବ ।

ପୁସ୍ତକର ଦ୍ୱିତୀୟ ଭାଗରେ ବନଜ ଦେବୀଙ୍କର ସ୍ମୃତି ଆଲେଖ୍ୟ ‘ଭାରି ମନେପଡ଼େ’ ତାଙ୍କ ଜୀବନର ପିଲାଦିନର ପୃଷ୍ଠାକୁ ଉନ୍ମୁକ୍ତ କରେ । ଚପଳତାଠୁ ବହୁ ଦୂରରେ ପ୍ରତିଟି ବାକ୍ୟରେ ସ୍ପଷ୍ଟ ବାରି ହୋଇ ପଡ଼େ ତାଙ୍କ ସରଳପଣ । ଗାଁ ମାଟିର ବାସ୍ନା ଭିତରେ ଧାନକ୍ଷେତର ଢେଉ, ପକ୍ଷୀଙ୍କ କାକଳୀ , ଲାଜକୁଳୀ ଲତା ଓ ବଉଳ ଫୁଳର ବାସ୍ନାରୁ ହିଁ ତାଙ୍କ ମନରେ ବୁଣି ଦେଇଥିଲା ସର୍ଜନାର ମନ୍ତ୍ର। ଯାତ୍ରା ନାଟକର କାହାଣୀରେ ସେ ଭାବପ୍ରବଣ ହୋଇପଡିଛନ୍ତି । ପୁଣି ଦିନ ଦ୍ଵିପହରେ ଭୁତକୁ ଡରିଛନ୍ତି ।

ତୃତୀୟ ଭାଗରେ ଅପର୍ଣ୍ଣା ମହାନ୍ତିଙ୍କର ‘ଗୋଟେ ଗୋପନୀୟ କଥା ‘ ତାଙ୍କ କିଶୋରୀ ଜୀବନର ପରବର୍ତ୍ତୀ ସମୟ ସହିତ ପରିଚିତ କରାଇବ। ପ୍ରଥମ ଋତୁସ୍ରାବର ଅନୁଭୂତି ସହ ସେହି ସମୟରେ ସମାଜର ରକ୍ଷଣଶୀଳ ମନୋଭାବକୁ ସେ କିପରିଭାବରେ ସାମ୍ନା କରିଛନ୍ତି, ସେହି ଅନୁଭବକୁ  ବାଣ୍ଟିଛନ୍ତି। ନିଜର ସହପାଠୀର ଅକୁଣ୍ଠିତ ସାହାଯ୍ୟ ତାଙ୍କୁ ପ୍ରେମ ସହିତ ପରିଚିତ କରାଇଛି। ସେ ପ୍ରେମ କେବଳ ନିରୀହ ଭାବପ୍ରବଣତା ଏବଂ ଦୁଇଟି ନିଷ୍ପାପ ମନର ବନ୍ଧୁତା ଛଡା ଆଉ କିଛି ବି ହୋଇ ନପାରେ।

ସରୋଜିନୀ ସାହୁଙ୍କ ରଚିତ ଚତୁର୍ଥ ଭାଗରେ ‘ପାଇଯିବା ମାନେ ମରିଯିବା ଭଳି’ ନାରୀ ଜୀବନର ଅପ୍ରିୟ ବାସ୍ତବ କଥାକୁ ବର୍ଣ୍ଣନା କରେ। ପ୍ରେମରେ ପଡ଼ିବା , ପ୍ରେମିକକୁ ସ୍ୱାମୀ ରୂପରେ ପାଇବାର ଯାତ୍ରା ଭିତରେ ନାରୀ ଏକ   ମୋହଭଙ୍ଗର ଅବସ୍ଥା ଦେଇ ଗତି କରିଥାଏ। ସାଲିସ ନ ଶିଖିଲେ ଦାମ୍ପତ୍ୟକୁ ଅନୁଭବ କରିହୁଏ ନାହିଁ । କେବଳ ସେତିକି ନୁହେଁ ମା’ ହେବା ପାଇଁ ମଧ୍ୟ ନାରୀଟିଏକୁ କେତେ ସମସ୍ୟା ଦେଇ ଗତି କରିବାକୁ ହୁଏ।  ବାସ୍ତବ ଜୀବନର କାହାଣୀ କେବେବି ଚଳଚ୍ଚିତ୍ର ପରି ନୁହେଁ । ପ୍ରେମିକାରୁ ପତ୍ନୀ , ପତ୍ନୀତ୍ୱରୁ ମାତୃତ୍ୱ ପ୍ରାପ୍ତି ପର୍ଯ୍ୟନ୍ତ ଯେଉଁ ଅବସ୍ଥା ଦେଇ ସେ ଯାଇଛନ୍ତି ତାହା କେବଳ ଅଙ୍ଗେ ନିଭେଇଥିବା ମଣିଷ ହିଁ ବୁଝିପାରିବ।

‘ଧୂସର ବାଲିର ଚିତ୍ର : ମୋ ଜୀବନର ସିଲଟ’ ଶୀର୍ଷକରେ ପୁସ୍ତକର ପଞ୍ଚମ ଭାଗରେ ହୀରଣ୍ମୟୀ ମିଶ୍ରଙ୍କର ଜୀବନୀ ପୃଷ୍ଠା ପ୍ରତ୍ୟେକ ନାରୀଙ୍କ ପାଇଁ ଏକ ପ୍ରେରଣାପଦ ଆଲେଖ୍ୟ। ନିଜକୁ ବାଣ୍ଟି ଖୁଣ୍ଟି ଜୀବନର ପ୍ରତିଟି କ୍ଷଣରେ ପରୀକ୍ଷାଟିଏ ଦେବାକୁ ହୁଏ। ପରୀକ୍ଷାର ମୁହୂର୍ତ୍ତ ସବୁ ଯେତେ କଣ୍ଟକିତ ହୋଇଥାଉ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟରେ ଜଣେ ନିଶ୍ଚୟ ସଫଳ ହୋଇପାରିବ।

ପୁସ୍ତକର ଷଷ୍ଠ ଭାଗରେ ଗାୟତ୍ରୀ ଆର୍ଯ୍ୟଙ୍କର ‘ନାଗଫେଣୀ ଉପବନ’ରେ ସାଂସାରିକ ଜୀବନର ସଂଘର୍ଷପୂର୍ଣ୍ଣ କଥାକୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି। ନାରୀଟିଏର ଜୀବନ ତା’ ନିଜର ହୋଇପାରେ ନାହିଁ। ଅନେକ ଭୂମିକା ଭିତରେ ବାରମ୍ବାର ନିଜକୁ ନିଜେ ପରଖି ଚାଲିଥାଏ। ସ୍ୱାମୀ ସନ୍ତାନର ଜଞ୍ଜାଳ ଭିତରେ ନିଜକୁ ଭୁଲିଯାଉଥାଏ। ତଥାପି ହାର ମାନେ ନାହିଁ। ଅନେକ ଦୁଃସମୟର ସାମନା କରି କରି ନିଜ ଅସ୍ତିତ୍ୱର ଛାଇ ପାଇଁ ଜାଗାଟିଏ ତିଆରି ସାରିଥାଏ।

ସଂଯୁକ୍ତା ମହାନ୍ତିଙ୍କର ‘ଚାଲ ମନ ଚାଲ ଏକା ଏକା’ ଶୀର୍ଷକରେ ପୁସ୍ତକର ସପ୍ତମ ଭାଗଟି ଏକ ଭ୍ରମଣ କାହାଣୀ ପରି ମନେହୁଏ। ଜୀବନ ଯେମିତି ଅବିଶ୍ରାନ୍ତ ପରିବ୍ରାଜକଟିଏ ।  ଯାତ୍ରା ଓ କେବଳ ଯାତ୍ରା ହିଁ ତାର ଲକ୍ଷ୍ୟସ୍ଥଳ। କେବେ ବୃତ୍ତି ପାଇଁ କେବେ ପ୍ରବୃତ୍ତି ପାଇଁ ଆଉ କେବେ କେବେ ବାଧ୍ୟ ହୋଇ। ବନ୍ଧନ ଥାଉ ବା ନଥାଉ ଜୀବନ ସବୁବେଳେ ଗତିଶୀଳ । ଶେଷ ମୁହୂର୍ତ୍ତ ଆସିବା ପୂର୍ବରୁ ତାକୁ ମନଭରି ଆପଣାର କରିନେବା କଥା।

‘ସରି ଯାଉଥିବା ଡାଏରୀର ଗୋଟିଏ ପୃଷ୍ଠା’ ପୁସ୍ତକର ଅଷ୍ଟମ ଭାଗରେ ମୋନାଲିସା ମିଶ୍ରଙ୍କର କଥା ଆଗାମୀଦିନର ଫର୍ଦ୍ଦ ସହ ଯୋଡ଼ିରଖେ। ମଧ୍ୟାହ୍ନରୁ ଅପରାହ୍ନ ଆଡ଼େ ଉଙ୍କି ମାରିଲା ବେଳେ ସବୁକିଛି ଆଉ ଦେଖାଯାଏ ନାହିଁ। ଅନେକ ଛାଡ଼ି ହୋଇ ଯାଇଥିବା ଛାପ ବେଳେ ବେଳେ ଜୀବନ୍ତ ହୋଇ ପଡ଼ନ୍ତି।  କିନ୍ତୁ ହୁଏତ ଆଉ ତାର ଆବଶ୍ୟକତା ନଥାଏ। ନିଜର ସବୁ ପ୍ରଶ୍ନର ଉତ୍ତର ନିଜ ପାଖରେ ଥାଏ।

ଅଷ୍ଟମ ଭାଗରେ ପୁଣ୍ୟପ୍ରଭା ଦେବୀଙ୍କର ‘ବାଲକୋନୀରେ ବସିଥିବା ବେଳେ’ ବୟସର ଅପରାହ୍ନ ସମୟର ସୂଚନା ଦେଉଛି। ଜୀବନକୁ  ଭରପୁର ବଞ୍ଚିଲା ପରେ ବି ମନରେ ଆଶାଟିଏ ଥାଏ। ଆହୁରି କିଛି ଟିକେ କରିହେବ କି ? ଏଇ ଶଂସୟ ଟିକକ ଯୋଡ଼ି ରଖିଥାଏ ଜୀବନ ସହ। ସୂର୍ଯ୍ୟାସ୍ତ ହେବା ପୂର୍ବରୁ କିଛି ସୁନେଲି କିରଣ ସାଉଁଟି ନେବାର ଇଚ୍ଛାଟିଏ ଗଜରୁଥାଏ । ଏହା ହିଁ ତ ଜୀବନର ସାର୍ଥକତା ।

ପୁସ୍ତକର ଅନ୍ତିମ ଭାଗରେ ପୁଷ୍ପାଞ୍ଜଳି କରଙ୍କର ‘ଉତ୍ତର ନବେରେ ଉତ୍ତର ପ୍ରାପ୍ତି’ ପରିବର୍ତ୍ତନଶୀଳ ଜୀବନର ଏକମାତ୍ର ଚିରନ୍ତନ ସତ୍ୟର ଫର୍ଦ୍ଦରେ ଠିକଣା ଖୋଜୁଛି। ପଞ୍ଚଭୁତର ଆକର୍ଷଣ ମ୍ଳାନ ହେବା ଅବସ୍ଥାରେ କେବଳ ଜଣକ ସହିତ ଖିଅ ଯୋଡ଼ିବାକୁ ଆତ୍ମା ଛଟପଟ୍ ହୁଏ । ସେହି ଦିବ୍ୟ ଅନୁଭବର ସନ୍ଧାନରେ ସଂସାର , ଜଞ୍ଜାଳ, ମାୟା, ମୋହ ସବୁ ଅସ୍ତିତ୍ୱ ଶୁନ୍ୟ ହୋଇ ଯାଆନ୍ତି। ‘ମୁଁ କିଏ’ ପ୍ରଶ୍ନର ଉତ୍ତର ଆପେ ଆପେ ଆତ୍ମନିଃସୃତ ହୋଇ ଯାଉଥାଏ ।

ଏନ୍ତୁଡ଼ିରୁ ଏପର୍ଯ୍ୟନ୍ତ ପୁସ୍ତକଟି କେବଳ ଏକ ସଙ୍କଳନ ନୁହେଁ ; ନାରୀ ଜୀବନର ପ୍ରତ୍ୟେକଟି ଅବସ୍ଥାର ଏକ ଆବଗିଗ ଆଲୋଡନ। ପୁସ୍ତକର ଯେଉଁ ଭାଗଟି ପାଠକ ପଢ଼ିବ ତା’ ଭିତରେ ନିଜ ଜୀବନର ଏକ ଅଂଶକୁ ସ୍ପର୍ଶ କରିବ। ଏହି ସଙ୍କଳନଟି ଓଡ଼ିଆ ସାହିତ୍ୟ ଜଗତରେ ଏକ ବିରଳ ସୃଷ୍ଟି ଓ ଏହା ଚିରଦିନ ଅବିସ୍ମରଣୀୟ ହୋଇ ରହିବ ଏଥିରେ କୌଣସି ସନ୍ଦେହ ନାହିଁ ।

Comments are closed.