ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା
ମରୁଦ୍ରୋହ : ନାରୀ ହୃଦୟରେ ଏକ ପରିବର୍ତ୍ତିତ ସ୍ବର
ଉପନ୍ୟାସ : ମରୁଦ୍ରୋହ
ଲେଖିକା : ମମତାମୟୀ ଚୈୗଧୁରୀ
ପ୍ରକାଶକ : ପଶ୍ଚିମା
ପ୍ରଥମ ପ୍ରକାଶ : ୨୦୨୨
ପୃଷ୍ଠା ସଂଖ୍ୟା : ୧୬୦
ମୂଲ୍ୟ : ୧୮୯ ଟଙ୍କା
ଫକୀର ମୋହନ ସେନାପତିଙ୍କ ରେବତୀ ଭଳି ଚରିତ୍ରମାନେ ସବୁକାଳରେ ଥିଲେ, ଅଛନ୍ତି ଓ ରହିବେ ମଧ୍ୟ।ଯାହା ନରହିବ ତାହା ହେଲା ସେହି ସମାନ ପ୍ରକାରର ଦୃଶ୍ୟପଟ୍ଟ। ସମୟ ସହ ସମୟର ଦୃଶ୍ୟପଟ୍ଟ ମଧ୍ୟ ବଦଳିଥାଏ । ଏହି କଥାକୁ ପୁଣି ଥରେ ପ୍ରମାଣିତ କରୁଛି ମମତାମୟୀ ଚୈୗଧୁରୀଙ୍କ ସଦ୍ୟ ପ୍ରକାଶିତ ଉପନ୍ୟାସ ” ମରୁଦ୍ରୋହ ” ।
ଫକୀର ମୋହନଙ୍କ ରେବତୀରେ ରେବକୁ “ଲୋ ରେବୀ, ଲୋ ନିଆଁ, ଲୋ ଚୁଲି ” ବୋଲି ଶୁଣିବାକୁ ମିଳୁଥିଲା। ବୁଢୀ ମାଆର ବିରୋଧ ସତ୍ତ୍ୱେ ସେ ଦଶମ ଶ୍ରେଣୀରେ ପାଠ ପଢିବାକୁ ଅଣ୍ଟା ଭିଡ଼ିଥିଲା, ଯଦିଓ ଏ ସାହାସ ଭିତରେବି ସେ ଅନୁଭବ କରୁଥିଲା ଏକ କାରୁଣ୍ୟର ସ୍ବର , ସେ ଅନୁଭବ କରୁଥିଲା ତାର ପାଠ ପଢା ହିଁ ସକଳ ଅମଙ୍ଗଳର କାରଣ। ତାର ପାଠ ପଢା ପାଇଁ ହିଁ ତାର ବାପା ମଲା, ମାଆ ମଲା, ଅକୁହା ପ୍ରେମ ମଲା, ବୁଢି ମାଆ ମଲା, ମହାମାରୀରେ ସାରାଟା ଗାଁ ଗଲା। ତାହା ଥିଲା ସେ ସମୟର ଦୃଶ୍ୟପଟ, ସେସମୟର ଅନୁଭବ ଓ ସେ ସମୟର ସାମାଜିକ ସ୍ବର।
ଜି କିନ୍ତୁ ରେବତୀର ୧୨୪ ବର୍ଷ ପରେ ବଦଳିଛି ସମୟର ଚିତ୍ରପଟ୍ଟ, ବଦଳିଛି ସମୟର ସ୍ଵର, ଯଦିଓ ଏବେବି ବଣ୍ଚିଛି ରେବତୀ। ଅବଶ୍ୟ ଏ ରେବତୀ ସେ ରେବତୀ ନୁହେଁ। ଆଜି ରେବତୀର ପାଠ ପଢା ପାଇଁ କାହାରି ଆପତି ନାହିଁ। ରେବତୀ ହସ ଖୁସିରେ ଘର, ପରିବାର ଓ ସରକାରଙ୍କ ସଦିଛାରେ ଦଶମ ଶ୍ରେଣୀରେ ପଢୁଛି। ହଁ, ରେବତୀ, ଓରଫ୍ ରେବତୀ ନାଇକ ସତର ବର୍ଷ ବୟସରେ ପଢୁଛି ଦଶମ।
ଏବେ ପ୍ରେମ କରିବାରେ ସେତେଟା ଆକଟ ନାହିଁ କି ପ୍ରେମକୁ ସ୍ଵୀକାର କରିବା ପାଇଁ କୈୗଣସି ଆପତି ନାହିଁ। ଏବେ ବୁଢି ମାଆ କହୁନି ” ଲୋ ରେବି ଲୋ ନିଆଁ ଲୋ ଚୁଲି ” ! ବରଂ ଏବେ ରେବତୀ ମୁକ୍ତ କଣ୍ଠରେ ସ୍ବୀକାର କରୁଛି ନିଜର ଦୁର୍ବଳତା, ନ୍ୟାୟାଳୟର କାଠଗଡାରେ ସ୍ବାଧୀନ ଭାବରେ ଠିଆ ହୋଇ କହି ପାରୁଛି,
” ମୁଁ ଚିତ୍କାର କରି କହିବି, କୋଟିଏ ଥର କହିବି, ମୋର ରେପ୍ ହୋଇଛି। ମୁଁ ନିର୍ଯ୍ୟାତିତ ହୋଇଛି। ଏଣିକି ଆପଣ ମାନେ ପ୍ରମାଣ କରନ୍ତୁ ବଳତ୍କାରୀ କିଏ। ମୁଁ ଦାବୀ କରୁଛି ଜାଣିବା ପାଇଁ କିଏ ମୋର ରେପ୍ କରିଥିଲା ” ।
(ମରୁଦ୍ରୋହ -ପୃଷ୍ଠା ସଂଖ୍ୟା -୧୫୭)
ଏବେ ନାରୀ ଶିକ୍ଷିତ ହୋଇଛି। ନିଜ ପାଇଁ ନିଜେ ସ୍ବର ଉତ୍ତୋଳନ କରିବା ସହିତ ସମାଜର ଚିନ୍ତକ ସାଜି ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ଓ ତଳ ସ୍ତରରୁ ଅର୍ଥନୈତିକ ବିକାଶର ନିତି ପ୍ରଣୟନ ପାଇଁ ରାଜନୈତିକ ନେତା ଓ ମନ୍ତ୍ରୀ ମାନଙ୍କୁ ଗୁରୁଜ୍ଞାନ ଦେବାର କାମ ମଧ୍ୟ କରି ପାରୁଛି। ନାରୀ ଆଜି ଲଢିବା ଶିଖିଛି, ଜିତିବାବି ଶିଖିଛି। ଏହି କଥା ହିଁ କହୁଛି ଡକ୍ଟର ମମତାମୟୀ ଚୈୗଧୁରୀଙ୍କ ଉପନ୍ୟାସ ” ମରୁଦ୍ରୋହ ” ।
ଉପନ୍ୟାସର ନାୟିକା ହେନା, ମନ୍ତ୍ରୀ ରାଜନ୍ ଙ୍କୁ ଉପଦେଶ ଦେଇ କହୁଛି,
” ମାନେ ଫୋକସଟା କମେଇ ଦିଅନ୍ତୁ। କେବଳ ଟ୍ରାଇବାଲ୍ କନ୍ୟା ମାନଙ୍କ ପାଇଁ ପ୍ରଥମେ ଯୋଜନା କରନ୍ତୁ। ଏଥିପାଇଁ ସେଣ୍ଟର ବି ସହାୟତା ଦେବାରେ କିଛି କୁଣ୍ଠା କରିବନି। ପୁଣି ଧିରେ ଧିରେ ପାହାଚ ଚଢନ୍ତୁ।ନିଦ୍ଧିଷ୍ଟ ଅଞ୍ଚଳ ନୁହଁ, ପୁରା ରାଜ୍ୟର ସବୁ ଏସ୍. ଟି କନ୍ୟା ମାନଙ୍କୁ ନିଅନ୍ତୁ ଆଉ ସେମାନଙ୍କ ପାଇଁ ଛୋଟିଆ ଆର୍ଥିକ ବ୍ୟବସ୍ଥାଟେ କରନ୍ତୁ * ** * କ୍ରମଶଃ ପୁଅ ପିଲା ମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରାଇ ପାରିବେ। ଆଉ ଆପଣବି ଲୋକଙ୍କ ମନରେ ରହି ପାରିବେ ”
(ମରୁଦ୍ରୋହ -ପୃ. ସଂ – ୧୮)
ଏଠି ନାୟିକା ହେନା ଖାଲିଯେ ମନ୍ତ୍ରୀ ରାଜନ୍ ଙ୍କୁ ଉପଦେଶ ଦେଉଛି ,ତାହା ନୁହେଁ। ସେ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଲଢିଛି ମଧ୍ୟ। ହେନାର ଘର କାମ କରେ ରେବ। ସେ ରାତିରେ ଆସି ବୁଢ଼ୀ ମାଆ ପାଖରେ ଶୁଏ, ତାର ଭଲ ମନ୍ଦ ବୁଝେ। ସେଇ ରେବ ଯେତେବେଳେ ମନ୍ତ୍ରୀ ରାଜନ୍ ଙ୍କ ଦ୍ୱାରା ଧର୍ଷଣର ଶିକାର ହୋଇଛି, ସେତେବେଳେ ହେନା ତାକୁ ନ୍ୟାୟ ଦେଇଛି, ସେ ମନ୍ତ୍ରୀ ରାଜନ୍ ଙ୍କ ବିରୋଧରେ ଧର୍ଷଣର ଅଭିଯୋଗ ଆଣି ନ୍ୟାୟାଳୟରେ ମନ୍ତ୍ରୀଙ୍କୁ ପରାସ୍ତ କରିଛି। ଏହାହିଁ ଦେଖାଉଛି ଆଜିର ଦିନରେ ନାରୀ କିଭଳି ଭାବରେ ନିଜକୁ ସଶକ୍ତ କରିବା ସହିତ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ନିଜର ସ୍ବର ଉତ୍ତୋଳନ କରି ପାରୁଛି ଏବଂ ସବୁଠାରୁ ବଡକଥା ହେଉଛି ନିଜ ପାଇଁ ନିଜେ ଲଢି କରି ଜିତିଵାର କଳା ଶିଖି ପାରିଛି।
ସତରେ ଖୁବ୍ ଚମତ୍କାର ହୋଇଛି ଉପନ୍ୟାସଟି।ପ୍ରଛଦପଟ ଚିତ୍ରଟି ପରି ଖୁବ୍ ସୁନ୍ଦର ହୋଇଛି ପୁରାଟା କାହାଣୀ। କେବଳ ନିଜ କଥାର ଚତୁର୍ଥ ଓ ୨୯ତମ ଧାଡିଟିକୁ ଛାଡି ଦେଲେ ଅନ୍ୟ କୈୗଣସିବି ଯାଗାରେ ମୁଦ୍ରଣଗତ ତ୍ରୁଟିବି ସାମ୍ନାକୁ ଆସିନି। ଖୁବ୍ ଭଲ ହୋଇଛି ଉପନ୍ୟାସଟି ।ଅବଶ୍ୟ ହେନାର ନିଃସଙ୍ଗତା ଓ ସୈୗରଭର ସ୍ବପ୍ନ କଥା ଆଉଟିକେ କୁହା ଯାଇ ପାରିଥାନ୍ତା। ଯେଉଁ ପାଞ୍ଚ ବର୍ଷ ତଳର ଘଟଣାକୁ ପରଦା ପଛରେ ରଖାଯାଇଛି ତାକୁ ପରଦା ବାହାରକୁ ଅଣାଯାଇ ପାରିଥାନ୍ତା। ଭଲ ହୋଇଛି ମହକ ଓ ସେଲିର କାହାଣୀ ଆଗକୁ ନବଢି ସାମାନ୍ୟ ମାତ୍ର ଇଙ୍ଗିତରେ ରହିଛି। ସେ କାହାଣୀ ଆଗକୁ ବଢିଥିଲେ ହୁଏତ ରେବତୀ ଉପରୁ ପାଠକଙ୍କ ଧ୍ୟାନ ହଟି ଯାଇଥାଆନ୍ତା। ଏପରି କରି ଔପନ୍ୟାସିକା ଏକ ବୁଦ୍ଧିମାନର କାମ କରିଛନ୍ତି। ଆଶା ଏ ଉପନ୍ୟାସ ଅନ୍ୟମାନଙ୍କୁ ଭଲ ଲାଗିବ ନିଶ୍ଚୟ।
Comments are closed.